ଘୂର୍ଣ୍ଣିବାତ୍ୟା ‘ଅକ୍‌ବାନ୍’କୁ ନେଇ ଉଚ୍ଚ ସତର୍କତା, ୨୪×୭ କଣ୍ଟ୍ରୋଲ୍ ରୁମ୍ କାର୍ଯ୍ୟକ୍ଷମ କଲେ ଆଇଜି ଡଃ ସତ୍ୟଜିତ ନାୟକ ।

0 0

କଟକ,୧୮/୧୧(ପିପିଟି): ଘୂର୍ଣ୍ଣିବାତ୍ୟା ‘ଅକ୍‌ବାନ୍’କୁ ଦୃଷ୍ଟିରେ ରଖି କେନ୍ଦ୍ରାଞ୍ଚଳ ପୋଲିସ, କଟକ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଆଇଜି ଡଃ ସତ୍ୟଜିତ ନାୟକ, ଆଇପିଏସଙ୍କ ନିର୍ଦ୍ଦେଶ ଓ ତତ୍ତ୍ୱାବଧାନରେ ଆଇଜିଙ୍କ କାର୍ଯ୍ୟାଳୟରେ ୨୪×୭ କଣ୍ଟ୍ରୋଲ୍ ରୁମ୍ କାର୍ଯ୍ୟକ୍ଷମ କରାଯାଇଛି। କେନ୍ଦ୍ରାଞ୍ଚଳ ଅଧୀନରେ ଥିବା ସମସ୍ତ ସାତଟି ଜିଲ୍ଲା ସହ ନିରନ୍ତର ସମନ୍ୱୟ ରକ୍ଷା କରି ପାଣିପାଗ ଓ ସମ୍ଭାବ୍ୟ ପରିସ୍ଥିତି ଉପରେ ନଜର ରଖିବା, ଜନସାଧାରଣଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଏବଂ ଯେକୌଣସି ଜରୁରୀକାଳୀନ ପରିସ୍ଥିତିରେ ତୁରନ୍ତ ପୋଲିସ ସହାୟତା ପହଞ୍ଚାଇବା ଏହି କଣ୍ଟ୍ରୋଲ୍ ରୁମ୍‌ର ମୁଖ୍ୟ ଉଦ୍ଦେଶ୍ୟ। ଆଇଜି ଡଃ ସତ୍ୟଜିତ ନାୟକ ଜନସାଧାରଣଙ୍କୁ ସରକାରୀ ସତର୍କ ସୂଚନା ଓ ପରାମର୍ଶକୁ ଅନୁସରଣ କରିବା, ଅନାବଶ୍ୟକ ଯାତ୍ରାରୁ ଦୂରେଇ ରହିବା ଏବଂ ସତର୍କତା ଅବଲମ୍ବନ କରିବାକୁ ଅନୁରୋଧ କରିଛନ୍ତି। ଘୂର୍ଣ୍ଣିବାତ୍ୟା ସମୟରେ ନିଜର ତଥା ପରିବାରର ସୁରକ୍ଷା ପ୍ରତି ଯତ୍ନବାନ ହେବା ସହ ପୋଲିସ ଓ ପ୍ରଶାସନକୁ ସହଯୋଗ କରିବାକୁ ସେ ଆହ୍ୱାନ ଦେଇଛନ୍ତି। ଜରୁରୀକାଳୀନ ପୋଲିସ ସହାୟତା ପାଇଁ ୧୧୨ ନମ୍ବରକୁ ଡାଏଲ୍ କରିବାକୁ କେନ୍ଦ୍ରାଞ୍ଚଳ ପୋଲିସ ପକ୍ଷରୁ ଜନସାଧାରଣଙ୍କୁ ସୂଚନା ଦିଆଯାଇଛି। ସତର୍କ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ।

Leave A Reply

Your email address will not be published.