ଭଞ୍ଜନଗର, ୨୧/୧୧(ପିପିଟି):ପବିତ୍ର କାର୍ତ୍ତିକ ମାସକୁ ଧାର୍ମିକ ମାସ ଭାବେ ପାଳନ କରାଯାଏ। ଏହି ମାସରେ ବ୍ରତ ପାଳନ କଲେ କୋଟି ପୁଣ୍ୟ ମିଳେ ବୋଲି ବିଶ୍ୱାସ ରହିଛି।ତେଣୁ ଶ୍ରଦ୍ଧାଳୁମାନେ ଶୁଦ୍ଧ ଶାକାହାରୀ ଭୋଜନ ଗ୍ରହଣ କରିବା ସହ ସୋମବାର, ସଂକ୍ରାନ୍ତି, ଅଁଳା ନବମୀ,ପଞ୍ଚୁକରେ ହବିଷ, କାର୍ତ୍ତିକ ପୂର୍ଣ୍ଣିମା ଆଦି ଦିନ ମାନଙ୍କରେ ନିଷ୍ଠାର ସହ ବ୍ରତ, ଉପବାସ ରଖନ୍ତି। ପ୍ରତିଦିନ ସନ୍ଧ୍ୟାରେ ଆକାଶ ଦୀପ ଜଳାଇ ପିତୃ ପୁରୁଷଙ୍କ ଉଦ୍ଦେଶ୍ୟରେ ପରିବାରର ସୁଖ, ସମୃଦ୍ଧି ଓ ମଙ୍ଗଳ କାମନା କରିଥାନ୍ତି। ଏହି ପବିତ୍ର ମାସରେ ମହାପ୍ରଭୁ କାର୍ତ୍ତିକେଶ୍ୱରଙ୍କ ପୂଜାର ମଧ୍ୟ ବିଶେଷ ମହତ୍ତ୍ୱ ରହିଛି।
ଭଞ୍ଜନଗର ସହରର ଭେଜିପୁଟ ବଡ଼ଦାଣ୍ଡ ସାହିରେ ମହାସମାରୋହରେ ପାଳନ କରାଯାଉଛି କାର୍ତ୍ତିକେଶ୍ୱର ପୂଜା। ଚଳିତ ବର୍ଷ ଏହି ପୂଜା ୫ମ ବର୍ଷରେ ପଦାର୍ପଣ କରିଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଉତ୍ସାହ ଓ ଆନନ୍ଦ ଲାଗିରହିଛି।
ଶୁକ୍ରବାର ଭୋର୍ରୁ ବିଭିନ୍ନ ପାରମ୍ପରିକ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା, ହୋମ ଓ ଯଜ୍ଞ ଆଦି ଶେଷ ହୋଇଛି।ଏଥିରେ କର୍ତ୍ତା ଭାବେ ଭରତ ସ୍ୱାଇଁ ଦାୟିତ୍ୱ ତୁଲାଇଥିବା ବେଳେ ପୂଜାକାର୍ଯ୍ୟ ଶ୍ରଦ୍ଧା ଓ ନିଷ୍ଠାର ସହ ସମ୍ପନ୍ନ ହୋଇଥିଲା। ସନ୍ଧ୍ୟା ସମୟରେ ମହାପ୍ରଭୁଙ୍କ ଆଳତୀ ଦର୍ଶନ ପାଇଁ ବର୍ଷା ସତ୍ତ୍ୱେ ଭକ୍ତଙ୍କ ଭିଡ଼ ଜମିଥିଲା। ଘଣ୍ଟ,ଘଣ୍ଟା, ଶଙ୍ଖ ଧ୍ୱନିରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା।
ଏହି ପୂଜା ଆସନ୍ତା ୨୬ତାରିଖରେ ସମ୍ପନ୍ନ ହେବା ପରେ ୨୭ରେ ଭଷାଣି କାର୍ଯ୍ୟକ୍ରମ ରହିଛି। ସେହିପରି ଆସନ୍ତା ୨୨ ତାରିଖ ରବିବାର ସନ୍ଧ୍ୟାରେ ଶ୍ରଦ୍ଧାଳୁଙ୍କ ପାଇଁ ସାମୂହିକ ପ୍ରସାଦ ସେବନର ବ୍ୟବସ୍ଥା ରହିଛି।ପୂଜା କମିଟି ସଭାପତି ଶିବ ଶଙ୍କର ପାତ୍ର, ସମ୍ପାଦକ ଅନନ୍ତ ନାରାୟଣ ବିଷୋୟୀ, କୋଷାଧ୍ୟକ୍ଷ ଅଜିତ କୁମାର ବିଷୋୟୀଙ୍କ ସମେତ ପୂଜା କମିଟିର ସମସ୍ତ ସଦସ୍ୟ ଓ ଭେଜିପୁଟ ଗ୍ରାମବାସୀ ଏଥିରେ ସହଯୋଗ କରିଛନ୍ତି।
ରିପୋର୍ଟ -ଜେ କେ ପଟ୍ଟନାୟକ