ପୋଲସରା ,୧୮/୧୧(ପିପିଟି) : ସୃଷ୍ଟି ହୋଇଥିବା ବାତ୍ୟା ‘ଅକଭାନ’କୁ ନେଇ ଜନସାଧାରଣଙ୍କ ମୂଲ୍ୟବାନ୍ ଧନ ଓ ଜୀବନର ସୁରକ୍ଷାକୁ ଦୃଷ୍ଟି ଆଗରେ ରଖି ପୋଲସରା ବ୍ଲକ୍ ପ୍ରଶାସନ ସମ୍ପୂର୍ଣ୍ଣ ଭାବେ ସଜାଗ ହୋଇପଡ଼ିଛି। ଆଜି ବୁଧବାର ଦିନ ପୋଲସରା ବିଡ଼ିଓ ଶଶିଭୂଷଣ ମହାପାତ୍ର ଏବଂ ବାତ୍ୟା ପର୍ଯ୍ୟବେକ୍ଷକ ବସନ୍ତ ସେଠୀ ପୋଲସରା ବ୍ଲକ୍ ସ୍ଥିତ ଭାବରଡା , ଗୋଚ୍ଛାବାଡି ଓ ପାଣ୍ଡିରିପଡା ପଞ୍ଚାୟତ ଗୁଡ଼ିକ ସ୍ଥିତ ଆଦିବାସୀ ବହୁଳ ଗ୍ରାମ ପାଲବା, ତୋସିଙ୍ଗି, ଖୁରା, ଚାଞ୍ଚରା ଓ ଉସ୍ତା ସମେତ ଉପାନ୍ତ ଅଞ୍ଚଳ ପରିଦର୍ଶନ କରିବା ସହିତ ବାତ୍ୟା ଆଶ୍ରୟସ୍ଥଳ ବୁଲି ଦେଖୁଥିଲେ। ଏଥିସହ ଜନସାଧାରଣ ଏହି ଆଶ୍ରୟସ୍ଥଳ ଗୁଡ଼ିକରେ କିଭଳି ସୁରକ୍ଷିତ ରହିବେ ସେନେଇ ଆଲୋଚନା କରିଥିଲେ। ପର୍ଯ୍ୟବେକ୍ଷକ ଶ୍ରୀ ସେଠୀ ଲୋକମାନଙ୍କୁ ବାତ୍ୟା ସଚେତନା କରାଇଥିଲେ। ଏହି ଅବସରରେ ଆଶ୍ରୟ ସ୍ଥଳରେ ଥିବା ଆଶ୍ରିତ ଓ ଆଶ୍ରିତା ମାନଙ୍କୁ ରନ୍ଧନ ଖାଦ୍ୟ ଖାଇବାକୁ ଦିଆଯାଇଥିଲା। ଏଥିସହ ଖାଦ୍ୟ ପ୍ୟାକେଟ୍ ମଧ୍ୟ ଦିଆଯାଇଥିଲା। ଏହି ସମୟରେ ଯନ୍ତ୍ରୀ ଶ୍ରଦ୍ଧାନ୍ତ ସାହୁ,ବ୍ଲକ୍ କାର୍ଯ୍ୟନିର୍ବାହୀ ଅଧିକାରୀ ଗୌରାଙ୍ଗ ଦଳେଇଙ୍କ ସମେତ ତିନି ଗୋଟି ଗ୍ରାମ ପଞ୍ଚାୟତର ସରପଞ୍ଚମାନେ ଉପସ୍ଥିତ ଥିଲେ।
ରିପୋର୍ଟ: ସନ୍ତୋଷ କୁମାର ପଣ୍ଡା