କୋଦଳା ,୧୮/୧୧(ପିପିଟି ): ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ କାଳିମେଘି ପଞ୍ଚାୟତରେ ଭତ୍ତା ବଣ୍ଟନ ସମୟରେ ସ୍ଥାନୀୟ ସମସ୍ୟାକୁ ନେଇ ସିଧାସଳଖ ପ୍ରଶ୍ନ ଉଠାଇଛନ୍ତି ସରପଞ୍ଚ ଅର୍ଚ୍ଚନା ତ୍ରିପାଠୀ। ବିଧାୟକ ପ୍ରତାପ ଚନ୍ଦ୍ର ନାୟକ ଓ ବିଡିଓ ସୁନିଲ କୁମାର ସାମନ୍ତଙ୍କ ସମ୍ମୁଖରେ ପଞ୍ଚାୟତର ଅନେକ ସମସ୍ୟା ରଖି ସରକାରୀ ବ୍ୟବସ୍ଥାର କାର୍ଯ୍ୟକାରିତାକୁ ନେଇ ସେ ପ୍ରଶ୍ନ କରିଛନ୍ତି । ପଞ୍ଚାୟତର କିଛି ହିତାଧିକାରୀଙ୍କୁ ରାସନ କାର୍ଡ ମିଳିଥିଲେ ମଧ୍ୟ ଏଯାଏଁ ତାହା ଆକ୍ଟିଭ ହୋଇନାହିଁ। ଫଳରେ କାର୍ଡ ହାତରେ ଥାଇ ମଧ୍ୟ ସରକାରୀ ସୁବିଧା ପାଇବାରୁ ବଞ୍ଚିତ ହେଉଛନ୍ତି ଲୋକେ। ସେହିପରି କିଛି ହିତାଧିକାରୀଙ୍କୁ ଭତ୍ତା ମିଳୁନଥିବା ବେଳେ ଅନେକଙ୍କ ଭତ୍ତା ପ୍ରଦାନରେ ବିଳମ୍ବ ହେଉଛି। ଲୋକଙ୍କ ଏଭଳି ସମସ୍ୟାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ସରପଞ୍ଚ। ସବୁଠାରୁ ଗୁରୁତର ଅଭିଯୋଗ ହେଉଛି, କାଳିମେଘି ପଞ୍ଚାୟତରେ ଗତ ଦୁଇ ବର୍ଷ ଧରି କୌଣସି ଉନ୍ନୟନମୂଳକ କାମ ହୋଇନଥିବା କଥା କହିଛନ୍ତି ଅର୍ଚ୍ଚନା। ଗାଁର ବିକାଶକୁ ନେଇ ଲୋକଙ୍କ ଆଶା ଥିବା ସତ୍ତ୍ୱେ କାମ ଆଗକୁ ବଢ଼ୁନଥିବା ନେଇ ସେ ପ୍ରଶ୍ନ ଉଠାଇଛନ୍ତି। ଏନେଇ ଯନ୍ତ୍ରୀଙ୍କୁ ପଚାରିବାରୁ ବିଧାୟକ କାମ କରିବାକୁ ମନା କରିଥିବା କଥା ସେ କହୁଥିବା ଅଭିଯୋଗ କରିଛନ୍ତି ସରପଞ୍ଚ। ଭତ୍ତା ବଣ୍ଟନ ସମୟରେ ସରପଞ୍ଚଙ୍କ ଏହି ପ୍ରଶ୍ନ ଓ ଅଭିଯୋଗ ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି ।
ରିପୋର୍ଟ -ସୂର୍ଯ୍ୟ ନାରାୟଣ ବଡୁ