ସରକାରୀ ବସ୍‌ ଦୁର୍ଘଟଣା ଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ ୨୦ ଯାତ୍ରୀ ଦୁଇ ଘଣ୍ଟା ଧରି ଯାତାୟାତ ବାଧାପ୍ରାପ୍ତ ।

0 4

ବେଲଗୁଣ୍ଠା ୧୮/୧୧(ପିପିଟି): ଭଞ୍ଜନଗରରୁ ଜୟପୁର ଅଭିମୁଖେ ଯାଉଥିବା ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ (OSRTC)ର ଏକ ଯାତ୍ରୀବାହୀ ବସ୍ ବେଲଗୁଣ୍ଠା ନିକଟସ୍ଥ ବାଣତୁମ୍ବଠାରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ରାସ୍ତା ମଝିରେ ଅଚଳ ହୋଇପଡ଼ିଥିଲା। ଫଳରେ ବସ୍‌ରେ ଥିବା ପ୍ରାୟ ୨୦ ଜଣ ଯାତ୍ରୀ ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଥିବା ବେଳେ ଦୀର୍ଘ ସମୟ ଧରି ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା।ବସ୍‌ର ଚାଳକ ରଘୁନାଥ ନାୟକ ଓ କଣ୍ଡକ୍ଟର ଉମାକାନ୍ତ ଗୌଡ଼ଙ୍କ ସୂଚନା ଅନୁଯାୟୀ, OD32G4171 ନମ୍ବର ବିଶିଷ୍ଟ ଏହି ବସ୍‌ଟି ସନ୍ଧ୍ୟା ପ୍ରାୟ ୬ଟା ୨୦ ମିନିଟ୍‌ରେ ବାଣତୁମ୍ବ ନିକଟରେ ପହଞ୍ଚିଥିବା ବେଳେ ହଠାତ୍ ବସ୍‌ର ଆଗ ଚକର ଆକ୍ସେଲ୍ ଛିଡ଼ିଯାଇଥିଲା। ଫଳରେ ବସ୍‌ଟି ରାସ୍ତା ମଝିରେ ଅଟକି ଯାଇଥିଲା।ଏହି ଘଟଣାକୁ ନେଇ ଯାତ୍ରୀମାନେ ଅସନ୍ତୋଷ ପ୍ରକାଶ କରିବା ସହ OSRTC ବସ୍‌ର ରକ୍ଷଣାବେକ୍ଷଣ ଓ ଯାନ୍ତ୍ରିକ ଯାଞ୍ଚ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛନ୍ତି। ବସ୍‌ର ଦାୟିତ୍ୱରେ ଥିବା ଅଧିକାରୀ ଓ ମେକାନିକମାନେ ନିୟମିତ ଭାବେ ଗାଡ଼ିର ଯନ୍ତ୍ରାଂଶ ଯାଞ୍ଚ କରୁନଥିବାରୁ ଯାତ୍ରୀମାନଙ୍କୁ ଏଭଳି ଅସୁବିଧା ଭୋଗିବାକୁ ପଡ଼ୁଛି ବୋଲି ସେମାନେ ଅଭିଯୋଗ କରିଛନ୍ତି।ଖବର ପାଇ ଘଟଣାସ୍ଥଳରେ ସ୍ଥାନୀୟ ପୁଲିସ ଓ ପରିବହନ ବିଭାଗର କର୍ମଚାରୀ ପହଞ୍ଚି ସ୍ଥିତି ତଦାରଖ କରିଥିଲେ। ପରେ କ୍ରେନ୍ ସହାୟତାରେ ଅଚଳ ବସ୍‌ଟିକୁ ରାସ୍ତାରୁ ହଟାଯାଇଥିଲା। ରାତି ପ୍ରାୟ ୮ଟା ସମୟରେ ଯାନବାହନ ଚଳାଚଳ ସ୍ୱାଭାବିକ ହୋଇଥିଲା।ସରକାରୀ ଯାତ୍ରୀବାହୀ ବସ୍‌ରେ ଏଭଳି ଯାନ୍ତ୍ରିକ ତ୍ରୁଟି ଯାତ୍ରୀଙ୍କ ସୁରକ୍ଷାକୁ ନେଇ ଚିନ୍ତା ବଢ଼ାଇଥିବା ବେଳେ ବସ୍‌ଗୁଡ଼ିକର ନିୟମିତ ଯାଞ୍ଚ ଓ ଉପଯୁକ୍ତ ରକ୍ଷଣାବେକ୍ଷଣ ପ୍ରତି ପରିବହନ ବିଭାଗ ଗୁରୁତ୍ୱ ଦେବାକୁ ଯାତ୍ରୀମହଲରେ ଦାବି ହୋଇଛି।

ରିପୋର୍ଟ -ସୁଶାନ୍ତ କୁମାର ବେହେରା

Leave A Reply

Your email address will not be published.