ଭୂସ୍ଖଳନ ଓ ବାତ୍ୟାଜନିତ କ୍ଷୟକ୍ଷତି ଉପରେ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା : କ୍ଷତିଗ୍ରସ୍ତଙ୍କ ପାଇଁ ହେବ ପୁନଃସର୍ଭେ ।

0 210

ବାଲିଗୁଡ଼ା, ୧୭/୧୧ (ପିପିଟି): କନ୍ଧମାଳ ଜିଲ୍ଲାରେ ସମ୍ପ୍ରତି ଲଗାଣ ବର୍ଷା ଓ ବାତ୍ୟାଜନିତ ବିପର୍ଯ୍ୟୟରେ ଘଟିଥିବା ଭୂସ୍ଖଳନ, ଧନଜୀବନ କ୍ଷୟକ୍ଷତି ଏବଂ ପ୍ରଭାବିତ ଅଞ୍ଚଳର ପୁନରୁଦ୍ଧାର କାର୍ଯ୍ୟକୁ ନେଇ ବାଲିଗୁଡ଼ାଠାରେ ଅନୁଷ୍ଠିତ ହୋଇଛି ପଞ୍ଚମ ଜିଲ୍ଲା ଉନ୍ନୟନ ସମନ୍ୱୟ ଓ ତଦାରଖ କମିଟି (ଦିଶା) ବୈଠକ। କନ୍ଧମାଳ-ଗଞ୍ଜାମ ସୀମାନ୍ତ ଗିଡ଼ିପାବାଲି ସମେତ ବିଭିନ୍ନ ଅଞ୍ଚଳରେ ଭୂସ୍ଖଳନ ଓ ବର୍ଷାଜନିତ କ୍ଷୟକ୍ଷତି ଏହି ବୈଠକର ମୁଖ୍ୟ ଆଲୋଚନାର ବିଷୟ ପାଲଟିଥିଲା। କ୍ଷତିଗ୍ରସ୍ତଙ୍କୁ ନ୍ୟାୟ ସଙ୍ଗତ ସହାୟତା ପ୍ରଦାନ ପାଇଁ ପୁନଃସର୍ଭେ କରାଯିବାକୁ ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ବାଲିଗୁଡ଼ା ଉପଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷରେ କନ୍ଧମାଳ ଜିଲ୍ଲା ପ୍ରଶାସନ ତତ୍ତ୍ୱାବଧାନରେ ଆୟୋଜିତ ଏହି ବୈଠକରେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ବେଦଭୂଷଣ ଅଧ୍ୟକ୍ଷତା କରିଥିଲେ। ମଞ୍ଚରେ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ନନ୍ଦିନୀ ମଲ୍ଲିକ, ବାଲିଗୁଡ଼ା ବିଧାୟକଙ୍କ ପ୍ରତିନିଧି ଟୁନା ଦାସ, ଏସଡିସି ଅଧ୍ୟକ୍ଷା କଳ୍ପନା କହଁର, ଫୁଲବାଣୀ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ମନୋଗୋବିନ୍ଦ ପ୍ରଧାନ, ବାଲିଗୁଡ଼ା ଉପଜିଲ୍ଲାପାଳ ପ୍ରଣିତା ଦାସ ଓ ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ଶୁଭମ ଭୋସଲେ ଉପସ୍ଥିତ ଥିଲେ। ବୈଠକରେ ବିପର୍ଯ୍ୟୟ ପରବର୍ତ୍ତୀ ସ୍ଥିତିର ସମୀକ୍ଷା କରି ପ୍ରଶାସନ ପକ୍ଷରୁ ବିଭିନ୍ନ ବ୍ଲକ୍ ଓ ପଞ୍ଚାୟତର ବର୍ଷାର ପରିମାଣ, ଭୂସ୍ଖଳନର ପ୍ରଭାବ, ଘରଦ୍ୱାର ଭାଙ୍ଗିବା, ପ୍ରାଣହାନି, ଆହତ ଓ ଗୃହପାଳିତ ପଶୁଙ୍କ କ୍ଷୟକ୍ଷତି ସମ୍ପର୍କିତ ତଥ୍ୟ ଉପସ୍ଥାପନ କରାଯାଇଥିଲା। ବିଶେଷକରି ଗିଡ଼ିପାବାଲି ଅଞ୍ଚଳରେ ଭୂସ୍ଖଳନ ଯୋଗୁଁ ସୃଷ୍ଟି ହୋଇଥିବା ସମସ୍ୟା ଓ ପ୍ରଭାବିତ ଲୋକଙ୍କ ସ୍ଥିତି ଉପରେ ଗୁରୁତ୍ୱ ଦିଆଯାଇଥିଲା। ବିପର୍ଯ୍ୟୟ ସମୟରେ ପ୍ରଭାବିତ ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର, ରିଲିଫ୍ କ୍ୟାମ୍ପ ପରିଚାଳନା ଓ ଜରୁରୀକାଳୀନ ଉଦ୍ଧାର କାର୍ଯ୍ୟର ବିବରଣୀ ମଧ୍ୟ ରଖାଯାଇଥିଲା। ଏଥିସହ କ୍ଷତିଗ୍ରସ୍ତ ପରିବାରଙ୍କୁ ଚାଉଳ ଓ ଆର୍ଥିକ ସହାୟତା ବଣ୍ଟନର ହିସାବ ଉପସ୍ଥାପନ କରାଯିବା ସହ ଆବଣ୍ଟିତ ପାଣ୍ଠିର ବିନିଯୋଗ ସମ୍ପର୍କରେ ଆଲୋଚନା ହୋଇଥିଲା। ତେବେ ବିପର୍ଯ୍ୟୟରେ ପ୍ରକୃତରେ କ୍ଷତିଗ୍ରସ୍ତ ହୋଇଥିବା ସମସ୍ତ ପରିବାର ଯେପରି ସରକାରୀ ସହାୟତାରୁ ବଞ୍ଚିତ ନହୁଅନ୍ତି, ସେଥିପାଇଁ ପ୍ରଶାସନ ପକ୍ଷରୁ ପୁନଃସର୍ଭେ କରାଯିବାକୁ ନିଷ୍ପତ୍ତି ସମ୍ପର୍କରେ ସୂଚନା ଦିଆଯାଇଥିଲା। ଏହି ପଦକ୍ଷେପ ଦ୍ୱାରା ପୂର୍ବ ସର୍ଭେରେ ବାଦ୍ ପଡ଼ିଥିବା କ୍ଷତିଗ୍ରସ୍ତଙ୍କୁ ଚିହ୍ନଟ କରି ସହାୟତା ପରିସରଭୁକ୍ତ କରିବାର ସୁଯୋଗ ସୃଷ୍ଟି ହେବ। ଅନ୍ୟପକ୍ଷରେ ଭବିଷ୍ୟତରେ ଏଭଳି ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ଆଗୁଆ ସତର୍କତା, ଉଦ୍ଧାର ବ୍ୟବସ୍ଥା, ରିଲିଫ୍ ପରିଚାଳନା ଓ ପୁନରୁଦ୍ଧାର କାର୍ଯ୍ୟକୁ ଅଧିକ ସୁଦୃଢ଼ କରିବା ଉପରେ ମତପ୍ରକାଶ ପାଇଥିଲା। ବିଭିନ୍ନ ବ୍ଲକ୍‌ର ଅଧ୍ୟକ୍ଷ, ଉପାଧ୍ୟକ୍ଷ ଓ ଜିଲ୍ଲା ପରିଷଦ ସଦସ୍ୟମାନେ ନିଜ ନିଜ ଅଞ୍ଚଳର ସମସ୍ୟା ଉଠାଇବା ସହ କ୍ଷତିଗ୍ରସ୍ତ ରାସ୍ତାଘାଟ, ଯୋଗାଯୋଗ ଓ ଅନ୍ୟାନ୍ୟ ଭିତ୍ତିଭୂମିର ପୁନରୁଦ୍ଧାରକୁ ତ୍ୱରାନ୍ୱିତ କରିବାକୁ ପରାମର୍ଶ ଦେଇଥିଲେ। ବିଭିନ୍ନ ବିଭାଗର ଅଧିକାରୀମାନେ ନିଜ ନିଜ ବିଭାଗର ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ଓ ବିପର୍ଯ୍ୟୟ ପରବର୍ତ୍ତୀ ସ୍ଥିତି ସମ୍ପର୍କିତ ରିପୋର୍ଟ ଉପସ୍ଥାପନ କରିଥିଲେ। ଜିଲ୍ଲାର ବିକାଶମୂଳକ ଯୋଜନାର ସଫଳ ରୂପାୟନ ସହ ବିପର୍ଯ୍ୟୟ ପ୍ରଭାବିତ ଲୋକଙ୍କୁ ତ୍ୱରିତ ନ୍ୟାୟ ଓ ସହାୟତା ପ୍ରଦାନ କରିବା ଉପରେ ଏହି ଦିଶା ବୈଠକରେ ଗୁରୁତ୍ୱ ଦିଆଯାଇଥିଲା। ବୈଠକରେ ଜିଲ୍ଲାର ବରିଷ୍ଠ ପ୍ରଶାସନିକ ଅଧିକାରୀ, ବିଭିନ୍ନ ବିଭାଗୀୟ ଅଧିକାରୀ ଓ ବାଲିଗୁଡ଼ା ଉପଖଣ୍ଡର ଗଣମାଧ୍ୟମ ପ୍ରତିନିଧିମାନେ ଯୋଗ ଦେଇଥିଲେ।

ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ

Leave A Reply

Your email address will not be published.