ବାତ୍ୟା ମୁକାବିଲା ପ୍ରସ୍ତୁତିର ସମୀକ୍ଷା କଲେ ଜିଲ୍ଲାପାଳ;ସମସ୍ତ ଜଳଭଣ୍ଡାରରେ ଜଳସ୍ତର ସର୍ବନିମ୍ନ ସୁରକ୍ଷିତ ସ୍ତରରେ ରଖିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ।
ଛତ୍ରପୁର,୧୭/୧୧(ପିପିଟି): ସମ୍ଭାବ୍ୟ ବାତ୍ୟା ‘ଅକବାନ’ର ମୁକାବିଲା ପାଇଁ ଗଞ୍ଜାମ ଜିଲ୍ଲାରେ ଚାଲିଥିବା ପ୍ରସ୍ତୁତି ଏବଂ ପୂର୍ବ ବିପର୍ଯ୍ୟୟ ପରବର୍ତ୍ତୀ ରିଲିଫ୍ କାର୍ଯ୍ୟର ସମୀକ୍ଷା କରିଛନ୍ତି ଜିଲ୍ଲାପାଳ ଭି କୀର୍ତ୍ତି ଭାସନ ।
ବାତ୍ୟା ସମ୍ପର୍କରେ ବ୍ୟାପକ ଜନସଚେତନତା ଉପରେ ଗୁରୁତ୍ୱ ଦେଇ ଜିଲ୍ଲାପାଳ କହିଥିଲେ ଯେ, ପ୍ରଶାସନର ପ୍ରସ୍ତୁତି ଓ ସତର୍କତାମୂଳକ ବ୍ୟବସ୍ଥା ସମ୍ପର୍କରେ ଜିଲ୍ଲାର ପ୍ରତ୍ୟେକ ଲୋକ ଅବଗତ ହେବା ଆବଶ୍ୟକ। ବିଶେଷକରି ଦୁର୍ଗମ ଓ ଦୂରଦୂରାନ୍ତ ଅଞ୍ଚଳର ଲୋକଙ୍କ ନିକଟରେ ସତର୍କ ସୂଚନା ପହଞ୍ଚାଇବା ପାଇଁ ବ୍ୟାପକ ପ୍ରଚାର ଓ ମାଇକ୍ ଯୋଗେ ସଚେତନତା ସୃଷ୍ଟି କରିବାକୁ ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ବର୍ତ୍ତମାନ ବର୍ଷା ଆରମ୍ଭ ହୋଇନଥିଲେ ମଧ୍ୟ ହଠାତ୍ ପ୍ରବଳ ବର୍ଷା ହୋଇପାରେ । ତେଣୁ ବିପଦସଙ୍କୁଳ ଅଞ୍ଚଳର ଲୋକମାନେ ବିଳମ୍ବ ନକରି ସୁରକ୍ଷିତ ସ୍ଥାନକୁ ଚାଲିଆସିବା ସହ ସ୍ଥାନାନ୍ତର ପ୍ରକ୍ରିୟାରେ ପ୍ରଶାସନକୁ ସହଯୋଗ କରିବାକୁ ସେ ଅନୁରୋଧ କରିଛନ୍ତି ।
ବାତ୍ୟା ଆଶ୍ରୟସ୍ଥଳୀଗୁଡ଼ିକରେ ଆବଶ୍ୟକ ଔଷଧ ଓ ମେଡିକାଲ କିଟ୍ ମହଜୁଦ ରଖିବାକୁ ସେ ନିର୍ଦ୍ଦେଶ ଦେଇଥିଲେ । ବ୍ରହ୍ମପୁର ସହରର ଜଳ ନିଷ୍କାସନ ବ୍ୟବସ୍ଥା ଓ ଏମ୍କେସିଜି ମେଡିକାଲ କଲେଜର ପ୍ରସ୍ତୁତି ଉପରେ ସ୍ୱତନ୍ତ୍ର ଆଲୋଚନା କରିଥିଲେ । ଜେସିବି ମେସିନ୍ ନିୟୋଜିତ କରି ଡ୍ରେନ୍ ସଫେଇ କାର୍ଯ୍ୟ ତ୍ୱରାନ୍ୱିତ କରିବା ସହ ଏମ୍କେସିଜିରେ ମିଳିତ ଯାଞ୍ଚ କରି ଆବଶ୍ୟକ ପଦକ୍ଷେପ ନେବାକୁ କହିଥିଲେ । ଆବଶ୍ୟକ ସ୍ଥାନରେ ଅସ୍ଥାୟୀ ଶୌଚାଳୟ ବ୍ୟବସ୍ଥା କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ ।
ଜିଲ୍ଲାର ସମସ୍ତ ଜଳଭଣ୍ଡାରରେ ଜଳସ୍ତର ସର୍ବନିମ୍ନ ସୁରକ୍ଷିତ ସ୍ତରରେ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ବାଘୁଆ, ଦହା, ଭଞ୍ଜନଗର ଓ ସୋରଡ଼ା ଜଳଭଣ୍ଡାର ସମେତ ଅନ୍ୟ ଜଳଭଣ୍ଡାରଗୁଡ଼ିକର ସ୍ଥିତି ସମୀକ୍ଷା କରି ଆବଶ୍ୟକ ଜଳ ନିଷ୍କାସନ କରିବାକୁ କହିଥିଲେ ।
ଘୋଡ଼ାହାଡ଼, କୁମାରୀ ଓ ଅନ୍ୟାନ୍ୟ ସମସ୍ତ ବିପଦସଙ୍କୁଳ ସେତୁଗୁଡ଼ିକର ବର୍ତ୍ତମାନର ସ୍ଥିତି ସମ୍ପର୍କରେ ମଧ୍ୟ ଜିଲ୍ଲାପାଳ ପଚାରି ବୁଝିଥିଲେ । ସେତୁଗୁଡ଼ିକର ମରାମତି ଓ ପୁନରୁଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରଖିବା ସହ ସେଠାରେ ସ୍ଥାନୀୟ ଲୋକଙ୍କୁ ନିୟୋଜିତ କରି ସ୍ଥିତି ଉପରେ ନିୟମିତ ନଜର ରଖିବାକୁ ନିର୍ଦ୍ଦେଶ ଦେଇଥିଲେ । ଯେଉଁଠାରେ ନଦୀବନ୍ଧ ଉଚ୍ଚା କରିବାର ଆବଶ୍ୟକତା ରହିଛି, ସେଠାରେ ତୁରନ୍ତ କାର୍ଯ୍ୟ ଶେଷ କରିବେ ।
ବିପର୍ଯ୍ୟୟ ପରବର୍ତ୍ତୀ ରିଲିଫ୍ ବଣ୍ଟନ ଓ କ୍ଷୟକ୍ଷତି ଆକଳନ କାର୍ଯ୍ୟର ମଧ୍ୟ ସମୀକ୍ଷା କରିଥିଲେ ଜିଲ୍ଲାପାଳ। କେଉଁ ବ୍ଲକ୍ରେ କେତେ ଲୋକଙ୍କ ନିକଟରେ ଚାଉଳ, ରାସନ ଓ ଆର୍ଥିକ ସହାୟତା ପହଞ୍ଚିଛି, ସେ ସମ୍ପର୍କରେ ତଥ୍ୟ ନେଇ ବଣ୍ଟନ ପ୍ରକ୍ରିୟା ଓ କ୍ଷୟକ୍ଷତି ଆକଳନ ସହାୟତା ପ୍ରଦାନ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ କହିଥିଲେ ।
ଲୋକଙ୍କୁ ଶୀଘ୍ର ସହାୟତା ପହଞ୍ଚାଇବା ଉଦ୍ଦେଶ୍ୟରେ ଜିଲ୍ଲାର ଦୋକାନଗୁଡ଼ିକ ସକାଳ ୬ଟାରୁ ରାତି ୮ଟା ପର୍ଯ୍ୟନ୍ତ ଖୋଲା ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିପାଇଁ ସ୍ଥାନୀୟ ପ୍ରଶାସନ ସହ ବ୍ୟବସାୟୀମାନେ ସହଯୋଗ କରିବାକୁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି । ଜିଲ୍ଲାର ସମସ୍ତ ରାସନ କାର୍ଡର ଯାଞ୍ଚ କରାଯାଉଥିବାରୁ ଏଥିରେ ଆବଶ୍ୟକ ତଥ୍ୟ ଓ ସହଯୋଗ କରିବାକୁ ମଧ୍ୟ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଇଛି ।
ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଦେବଦତ୍ତ ପଣ୍ଡା,ସଚ୍ଚିଦାନନ୍ଦ ନାୟକ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ସମୀର କୁମାର ଜେନା,ଉପଜିଲ୍ଲାପାଳ ଅବିନାଶ କୁମାର,ଉମାଶଙ୍କର ବେହେରା,ଶିବାଶିଷ ବରାଳଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀ ଯୋଗଦେଇଥିଲେ ।