ଭଞ୍ଜନଗର ପୋଲିସକୁ ଗଞ୍ଜାମ ଏସପିଙ୍କ ପ୍ରଶଂସା ; ୫୦ ଚୋରି ମୋବାଇଲ, ୨ଟି କାର ଓ କୃଷି ଉପକରଣ ହସ୍ତାନ୍ତର ।

0 207

ଭଞ୍ଜନଗର, ୨୩/୧୦(ପିପିଟି): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସର କାର୍ଯ୍ୟକଳାପ କୁ ଶୁକ୍ରବାର ବେଶ ପ୍ରଶଂସା କରିଛନ୍ତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ହରିଷ ବିଶି।ଆଜି ଭଞ୍ଜନଗର ଗସ୍ତରେ ଆସି ଏସପି ଶ୍ରୀ ବିଶି ୪ର୍ଥ ମୋବାଇଲ ମେଳା କାର୍ଯ୍ୟକ୍ରମରେ ଯୋଗ ଦେଇ ୫୦ଜଣ ପ୍ରକୃତ ମାଲିକଙ୍କୁ ସେମାନଙ୍କ ହଜିଲା ମୋବାଇଲ ଫୋନ ପ୍ରଦାନ କରିଥିବା ବେଳେ, ୨ଟି ଚୋରି କାର,ଗୋଟିଏ ପାଣି ଟ୍ୟାଙ୍କର,ଗୋଟିଏ ଧାନ କଟା ମେସିନ ଆଦି ଅଭିଯୋଗକାରୀ ଙ୍କୁ ହସ୍ତାନ୍ତର କରିଛନ୍ତି।ଏହି ଅବସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସପି ଭଞ୍ଜନଗର ଆଇଆଇସି ଙ୍କ ଟିମ, ଭଞ୍ଜନଗର ଏସଡ଼ିପିଓ ଓ ଅତିରିକ୍ତ ଆରକ୍ଷୀ ଅଧିକ୍ଷକଙ୍କ ସହଯୋଗରେ ପୋଲିସ ବହୁ ପ୍ରଶଂସନୀୟ କାର୍ଯ୍ୟ କରିଛି ବୋଲି ସୂଚନା ଦେଇଛନ୍ତି। ଗତବର୍ଷ ତୁଳନାରେ ଚଳିତ ବର୍ଷ ଅପରାଧ ହାର ଯଥେଷ୍ଟ ହ୍ରାସ ପାଇଛି। ଅପରାଧ ନିୟନ୍ତ୍ରଣ ସହ ହଜି ଯାଇଥିବା ମୋବାଇଲ ଫୋନ୍‌ ଏବଂ ଚୋରି ସାମଗ୍ରୀ ଉଦ୍ଧାର କ୍ଷେତ୍ରରେ ଭଞ୍ଜନଗର ପୋଲିସକୁ ଅନେକ ସଫଳତା ମିଳିଛି।
ଏସ୍‌ପିଙ୍କ କହିବା ଅନୁଯାୟୀ, ଗଞ୍ଜାମ ଜିଲ୍ଲାରେ ଜନସଂଖ୍ୟା ପ୍ରାୟ ୪୦ଲକ୍ଷ।ସେହି ତୁଳନାରେ ଗତବର୍ଷ ଗଞ୍ଜାମ ପୋଲିସ ଜିଲାରେ ୪୮ଟି ହତ୍ୟାକାଣ୍ଡ ଘଟିଥିବା ବେଳେ ୨୦୨୪ରେ ମଧ୍ୟ ସମାନ ସଂଖ୍ୟକ ହତ୍ୟାକାଣ୍ଡ ଘଟିଥିଲା। ମାତ୍ର ଚଳିତବର୍ଷ ଅକ୍ଟୋବର ୨୩ ତାରିଖ ସୁଦ୍ଧା ମାତ୍ର ୧୫ଟି ହତ୍ୟାକାଣ୍ଡ ଘଟିଛି। ହତ୍ୟା ସମେତ ଜିଲାର ଅନ୍ୟାନ୍ୟ ଅପରାଧିକ ମାମଲା ମଧ୍ୟ ହ୍ରାସ ପାଇଛି ବୋଲି ସେ କହିଥିଲେ।
ଦୁର୍ଦ୍ଦାନ୍ତ ଅପରାଧୀଙ୍କ ଉପରେ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ନଜର ରଖାଯାଇଛି। ଚୋରା ମଦ କାରବାର ସମେତ ଅନ୍ୟାନ୍ୟ ବେଆଇନ କାରବାରକୁ ରୋକିବା ପାଇଁ ମଧ୍ୟ ବିଭିନ୍ନ ପଦକ୍ଷେପ ନିଆଯାଉଛି।ଆଗକୁ ପେଟ୍ରୋଲିଂ ଜୋରଦାର କରିବା ଉପରେ ଗୁରୁତ୍ୱ ଦେଇଛନ୍ତି। ଲୋକଙ୍କୁ ତ୍ୱରିତ ଓ ଉପଯୁକ୍ତ ପୋଲିସ ସେବା ଯୋଗାଇ ଦେବାକୁ ଗଞ୍ଜାମ ପୋଲିସ ସର୍ବଦା ତତ୍ପର ରହିଛି। ଜନସାଧାରଣ ସଚେତନ ହେଲେ ବିଭିନ୍ନ ଅପରାଧ ଆହୁରି ହ୍ରାସ ପାଇପାରିବ ବୋଲି ଏସ୍‌ପି ମତବ୍ୟକ୍ତ କରିଥିଲେ। ଡିଜିଟାଲ ଯୁଗରେ ଲୋକେ ଅନେକ ସୁବିଧା ଅଳ୍ପ ସମୟ ମଧ୍ୟରେ ପାଇପାରୁଥିବା ସେ କହିଥିଲେ।
ସୂଚନାଯୋଗ୍ୟ ଯେ, ଚଳିତବର୍ଷ ଅକ୍ଟୋବର ୨୩ ତାରିଖ ସୁଦ୍ଧା ଭଞ୍ଜନଗର ପୋଲିସ ୧୫୩ଟି ହଜିଯାଇଥିବା ମୋବାଇଲ ଫୋନ ଉଦ୍ଧାର କରି ସେଗୁଡ଼ିକୁ ପ୍ରକୃତ ମାଲିକଙ୍କୁ ହସ୍ତାନ୍ତର କରିଛି।ଏହି ସାମ୍ବାଦିକ ସମ୍ମିଳନୀରେ ଭଞ୍ଜନଗର ଏଏସ୍‌ପି ରଞ୍ଜନ କୁମାର ଦେ, ଏଏସ୍‌ପିଓ ଡ. ଦୀପକ କୁମାର ମିଶ୍ର, ଥାନା ଅଧିକାରୀ ଜୀବନାନନ୍ଦ ଜେନା, ଏସ୍‌ଆଇ ଜ୍ୟୋସ୍ନା ସାହୁ,ଲଷ୍ମୀଧର ମହାନ୍ତି, ସୁବ୍ରତ କୁମାର ଲେଙ୍କା, ସମୀର କୁମାର ସେଠୀ, ଏଏସ୍‌ଆଇ ସତ୍ୟନାରାୟଣ ମଲ୍ଲିକ, ଶରତ ଚନ୍ଦ୍ର ପଣ୍ଡା, ବିଦେଶୀ ବେହେରା ଓ କୁମୁନ୍ଦ ବନ୍ଧୁ ଗୌଡ଼ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.