ବୋଲଗଡ଼,୨୩/୧୦(ପିପିଟି): ସାହିତ୍ୟ ସାଧନା ଯେଉଁଠି, ସଂସ୍କୃତିର ପରିଚୟ ସେଇଠି। ଏହାକୁ ପ୍ରମାଣିତ କରିଛି ଆଜି ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ସାଗରଗାଁ ପାଠାଗାର ଛକ ନିକଟସ୍ଥ ପିତୃ କୃପା ଭବନ ଠାରେ ଆୟୋଜିତ ପୁସ୍ତକ ଉନ୍ମୋଚନ ସମାରୋହ।
ଭକ୍ତି ଓ ସାହିତ୍ୟର ଅପୂର୍ବ ସମନ୍ୱୟରେ ଆୟୋଜିତ ଏହି ସମାରୋହରେ ଶ୍ୟାମ ସୁନ୍ଦର ଛୋଟରାୟ ସଭାପତିତ୍ୱ କରିଥିବା ବେଳେ, ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ଐତିହାସିକ ସତ୍ୟବାଦୀ ବଳିୟାର ସିଂହ ଯୋଗ ଦେଇଥିଲେ। ଏହି ଅବସରରେ ବରିଷ୍ଠ ସାହିତ୍ୟିକ ତଥା ସ୍ଥାନୀୟ ସ୍ରଷ୍ଟା କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କ ଦ୍ୱାରା ରଚିତ ଭକ୍ତି ଗ୍ରନ୍ଥ ‘ଭକ୍ତି ଭଜନ ମାଳା’ ଆନୁଷ୍ଠାନିକ ଭାବେ ଉନ୍ମୋଚିତ ହୋଇଛି।
ଏହି ପୁଣ୍ୟ ଅବସରରେ ସମ୍ମାନିତ ଅତିଥି ଭାବେ ବୋଲଗଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ସ୍ୱାଇଁ, ରମାମଣୀ ଦେଇ, ତୋଫାନ ବେହେରା, ଯୋଗେଶ ସାମନ୍ତ ସିଂହାର ଏବଂ କବି-କବୟିତ୍ରୀ ପ୍ରମୁଖ ବୁଦ୍ଧିଜୀବୀ ମାନେ ଉପସ୍ଥିତ ରହି ଗ୍ରନ୍ଥଟିର ସାହିତ୍ୟିକ ମୂଲ୍ୟବୋଧ ଓ ଆଧ୍ୟାତ୍ମିକ ଚେତନା ଉପରେ ଆଲୋକପାତ କରିଥିଲେ।
କେବଳ ପୁସ୍ତକ ଉନ୍ମୋଚନ ନୁହେଁ, ଏହି ମଞ୍ଚ ମାଧ୍ୟମରେ ସ୍ଥାନୀୟ ଅଞ୍ଚଳର ବରିଷ୍ଠ ନାଗରିକ ଓ ବୁଦ୍ଧିଜୀବୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା, ଯାହା ସମାରୋହକୁ ଏକ ସ୍ୱତନ୍ତ୍ର ମର୍ଯ୍ୟାଦା ପ୍ରଦାନ କରିଥିଲା।
ଶେଷରେ ଆୟୋଜକଙ୍କ ତରଫରୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଆଖପାଖ ଅଞ୍ଚଳରୁ ଶତାଧିକ ସାହିତ୍ୟପ୍ରେମୀ ଓ ଭକ୍ତ ଯୋଗ ଦେଇ ଭକ୍ତି ରସରେ ମଜ୍ଜି ଯାଇଥିଲେ।
ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।