ଭୁବନେଶ୍ୱର,୦୬/୧୦(ପିପିଟି): ବେଆଇନ ଭାବେ ନିଶାଦ୍ରବ୍ୟ ଓ ଔଷଧ ବିକ୍ରି ଅଭିଯୋଗକୁ ନେଇ ଭୁବନେଶ୍ୱରର ବିଭିନ୍ନ ମେଡିସିନ ଦୋକାନରେ ଚଢ଼ାଉ ଓ ଯାଞ୍ଚ ଆରମ୍ଭ କରିଛି ଡ୍ରଗ୍ସ କଣ୍ଟ୍ରୋଲ ବ୍ୟୁରୋ ଏବଂ ଓଡ଼ିଶା STF। ନିଶାଦ୍ରବ୍ୟ ଭାବେ ବ୍ୟବହାର ହେଉଥିବା ଔଷଧ ଓ କଫ୍ ସିରପ୍ର ବିକ୍ରି ଏବଂ ମହଜୁଦ ସମ୍ପର୍କରେ ଟିମ୍ଗୁଡ଼ିକ ଯାଞ୍ଚ କରୁଛନ୍ତି।
ବିଶେଷକରି ଡାକ୍ତରଙ୍କ ପ୍ରେସକ୍ରିପସନ୍ ବିନା କୌଣସି ନିୟନ୍ତ୍ରିତ ଔଷଧ ବିକ୍ରି ହେଉଛି କି ନାହିଁ, ଔଷଧର ମଜୁତ ଓ ବିକ୍ରି ସମ୍ପର୍କିତ ନିୟମ ପାଳନ କରାଯାଉଛି କି ନାହିଁ ଏବଂ ରେକର୍ଡ ଠିକ୍ ଭାବେ ରଖାଯାଉଛି କି ନାହିଁ, ସେନେଇ ଯାଞ୍ଚ କରାଯାଉଛି। ନିୟମ ଉଲ୍ଲଂଘନ ହେଲେ ସମ୍ପୃକ୍ତ ବ୍ୟକ୍ତି କିମ୍ବା ପ୍ରତିଷ୍ଠାନ ବିରୋଧରେ ଆଇନ ଅନୁଯାୟୀ ପଦକ୍ଷେପ ନିଆଯିବ।
ନିଶାମୁକ୍ତ ଭାରତ ଅଭିଯାନକୁ ଆହୁରି ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଏହି ଯାଞ୍ଚ କରାଯାଉଥିବା ଜଣାପଡ଼ିଛି। ଆପୋଲୋ ଫାର୍ମାସି ସମେତ ମେଡ୍ପ୍ଲସ୍, ବିଭିନ୍ନ ଡ୍ରଗିଷ୍ଟ ଓ ଷ୍ଟକିଷ୍ଟ ପଏଣ୍ଟରେ ଟିମ୍ ପକ୍ଷରୁ ଯାଞ୍ଚ ଜାରି ରହିଛି।
ଡ୍ରଗ୍ସ କଣ୍ଟ୍ରୋଲ ବ୍ୟୁରୋର ଭୁବନେଶ୍ୱର ଟିମ୍ ଓ ଓଡ଼ିଶା STFର ଅଧିକାରୀମାନେ ମିଳିତ ଭାବେ ଏହି ଚଢ଼ାଉରେ ସାମିଲ ହୋଇଛନ୍ତି। ଯାଞ୍ଚ ସମୟରେ ମିଳୁଥିବା ତଥ୍ୟ ଓ ଅନିୟମିତତା ଆଧାରରେ ପରବର୍ତ୍ତୀ ଆଇନଗତ ପଦକ୍ଷେପ ନିଆଯିବ।