ମାଲକାନଗିରିରେ ସରକାରୀ ଯୋଜନାର ସମୀକ୍ଷା କଲେ ଜିଲ୍ଲା ପର୍ଯ୍ୟବେକ୍ଷକ ଏନ୍. ତିରୁମାଲା ନାୟକ ।

0 0

ମାଲକାନଗିରି,୦୧/୦୮(ପିପିଟି):ଜିଲ୍ଲାରେ ସରକାରୀ ଯୋଜନାଗୁଡ଼ିକର ସଫଳ କାର୍ଯ୍ୟକାରିତା ଏବଂ ସାଧାରଣ ଲୋକଙ୍କ ପାଖରେ ମୌଳିକ ସେବା ପହଞ୍ଚାଇବା ଲକ୍ଷ୍ୟରେ ମାଲକାନଗିରି ଜିଲ୍ଲା ଗସ୍ତ କରିଛନ୍ତି ରାଜ୍ୟ ସରକାରଙ୍କ ବରିଷ୍ଠ ଆଇଏଏସ ଅଧିକାରୀ ତଥା ଜିଲ୍ଲା ପର୍ଯ୍ୟବେକ୍ଷକ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ଏନ୍. ତିରୁମାଲା ନାୟକ। ନିଜର ଏହି ଦୁଇ ଦିନିଆ ଗସ୍ତ ଅବସରରେ ସେ ମାଲକାନଗିରି ଜିଲ୍ଲାର ବିଭିନ୍ନ ଅଞ୍ଚଳ ବୁଲି ଦେଖିବା ସହିତ ବିଭିନ୍ନ ପ୍ରଶାସନିକ ବିଭାଗ ଦ୍ୱାରା ପରିଚାଳିତ ହେଉଥିବା ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ଏବଂ ବିକାଶମୂଳକ ଯୋଜନାଗୁଡ଼ିକର କାର୍ଯ୍ୟକାରିତା ଉପରେ ଏକ ବିସ୍ତୃତ ଏବଂ ଉଚ୍ଚ ସ୍ତରୀୟ ସମୀକ୍ଷା କରିଛନ୍ତି। ଜିଲ୍ଲାର ଦୁର୍ଗମ ଅଞ୍ଚଳରେ ରହୁଥିବା ଜନସାଧାରଣଙ୍କ ପାଖରେ ସରକାରଙ୍କ ସମସ୍ତ ସୁବିଧା ସୁରୁଖୁରୁରେ ପହଞ୍ଚୁଛି କି ନାହିଁ, ତାହା ପରଖିବା ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ ଥିଲା।
ଜିଲ୍ଲାରେ ଚାଲିଥିବା ବିଭିନ୍ନ ପ୍ରକଳ୍ପର କ୍ଷେତ୍ର ସ୍ଥିତି ଏବଂ ସେବା ପ୍ରଦାନ ପ୍ରକ୍ରିୟାର ସଠିକ୍ ଅନୁଧ୍ୟାନ କରିବା ପାଇଁ ଶ୍ରୀ ନାୟକ ନିଜେ ଏହି ପରିଦର୍ଶନରେ ବାହାରିଥିଲେ। ପ୍ରଥମେ ସେ କିଛି ସରକାରୀ ବିଦ୍ୟାଳୟ ଏବଂ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ହଠାତ୍ ଗସ୍ତ କରି ସେଠାରେ ଛାତ୍ରଛାତ୍ରୀମାନଙ୍କ ପାଠପଢ଼ା ଶୈଳୀ, ଉପଲବ୍ଧ ଥିବା ଶିକ୍ଷାଗତ ଭିତ୍ତିଭୂମି ଏବଂ କୋମଳମତି ଶିଶୁ ତଥା ଗର୍ଭବତୀ ମହିଳାମାନଙ୍କୁ ଦିଆଯାଉଥିବା ପୁଷ୍ଟିକର ଖାଦ୍ୟ ଓ ସ୍ୱାସ୍ଥ୍ୟ ସେବାର ଗୁଣବତ୍ତା ତଦାରଖ କରିଥିଲେ। ଏହାପରେ ସେ ଗ୍ରାମାଞ୍ଚଳରେ ସାଧାରଣ ବଣ୍ଟନ ପ୍ରଣାଳୀ କେନ୍ଦ୍ରଗୁଡ଼ିକୁ ଯାଇ ହିତାଧିକାରୀମାନେ ନିୟମିତ ଭାବେ ଚାଉଳ ଓ ଅନ୍ୟାନ୍ୟ ସାମଗ୍ରୀ ପାଉଛନ୍ତି କି ନାହିଁ ସେ ନେଇ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଥିଲେ। ଏଥିସହିତ ଗ୍ରାମାଞ୍ଚଳରେ ଲୋକଙ୍କୁ ଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ପାଇଁ କାର୍ଯ୍ୟକାରୀ ହେଉଥିବା ପାନୀୟ ଜଳ ପ୍ରକଳ୍ପଗୁଡ଼ିକର ସ୍ଥିତି ମଧ୍ୟ ସେ ନିଜେ ଯାଞ୍ଚ କରିଥିଲେ। ଗସ୍ତର ଶେଷ ଭାଗରେ ସେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରି ସେଠାରେ ଚିକିତ୍ସିତ ହେଉଥିବା ରୋଗୀମାନଙ୍କୁ ମିଳୁଥିବା ସ୍ୱାସ୍ଥ୍ୟ ସେବା, ମାଗଣା ଔଷଧ ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ଚିକିତ୍ସା ସୁବିଧାର ସମୀକ୍ଷା କରିବା ସହ ରୋଗୀମାନଙ୍କ ସହ ସେମାନଙ୍କ ସୁବିଧା ଅସୁବିଧା ବିଷୟରେ ପଚାରି ବୁଝିଥିଲେ।
ଏହି କ୍ଷେତ୍ର ଅନୁଧ୍ୟାନ ଓ ପରିଦର୍ଶନ ସମୟରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ବିଭାଗୀୟ ସଚିବ ଶ୍ରୀ ନାୟକ କହିଛନ୍ତି, ସାଧାରଣ ଗରିବ ଲୋକଙ୍କ ପାଖରେ ସରକାରୀ ସୁବିଧା ଏବଂ ମୌଳିକ ସେବା ସଠିକ୍ ଭାବେ ପହଞ୍ଚିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ଅଟେ। ଜିଲ୍ଲାରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ ଓ ବିକାଶମୂଳକ କାର୍ଯ୍ୟରେ କୌଣସି ପ୍ରକାରର ତ୍ରୁଟି, ଅବହେଳା ରହିଯାଉଛି କି ନାହିଁ, ସେ ନେଇ ଆମେ ସତର୍କତାର ସହ ଅନୁଧ୍ୟାନ କରୁଛୁ। ଏହି କ୍ଷେତ୍ର ପରିଦର୍ଶନରୁ ମିଳିଥିବା ତଥ୍ୟ ଆଧାରରେ ଖୁବଶୀଘ୍ର ରାଜ୍ୟ ସରକାରଙ୍କୁ ଏକ ଜରୁରୀ ପ୍ରସ୍ତାବ ଏବଂ ବିସ୍ତୃତ ରିପୋର୍ଟ ପ୍ରଦାନ କରାଯିବ। ଗ୍ରାମାଞ୍ଚଳର ଶେଷ ଧାଡ଼ିରେ ଥିବା ଅତି ସାଧାରଣ ବ୍ୟକ୍ତିଙ୍କ ପାଖରେ ଯେପରି ସରକାରୀ ଯୋଜନାର ସୁଫଳ ଶତପ୍ରତିଶତ ପହଞ୍ଚିପାରିବ, ତାହା ହିଁ ଆମ ପ୍ରଶାସନର ମୁଖ୍ୟ ଲକ୍ଷ୍ୟ। ସରକାରୀ ସେବା ପ୍ରଦାନ ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ ଓ ସୁଦୃଢ଼ କରିବା ପାଇଁ ପ୍ରଶାସନିକ ସ୍ତରରେ ତଦାରଖ ବ୍ୟବସ୍ଥାକୁ ଆଗାମୀ ଦିନରେ ଆହୁରି କଡ଼ାକଡ଼ି କରାଯିବ ବୋଲି ସେ ସୂଚନା ଦେଇଛନ୍ତି।
ଏହି ପରିପ୍ରେକ୍ଷୀରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ବିଭିନ୍ନ ସରକାରୀ ବିଭାଗର ମୁଖ୍ୟମାନଙ୍କୁ ନେଇ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ସଚିବ ଶ୍ରୀ ନାୟକଙ୍କ ସମେତ ମାଲକାନଗିରି ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ସୋମନାଥ ପ୍ରଧାନ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଦାଶରଥୀ ସରାବୁ ଏବଂ ଉପ-ଜିଲ୍ଲାପାଳ ଦୂର୍ଯ୍ୟୋଧନ ଭୋଇ ପ୍ରମୁଖ ମଞ୍ଚାସୀନ ଥିଲେ। ବୈଠକରେ ଜିଲ୍ଲାରେ ଚାଲୁ ରହିଥିବା ସମସ୍ତ ଅଧୁରା ପ୍ରକଳ୍ପକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମ୍ପୂର୍ଣ୍ଣ କରିବାକୁ ସମସ୍ତ ବିଭାଗୀୟ ଅଧିକାରୀ ଓ ଯନ୍ତ୍ରୀମାନଙ୍କୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ସରକାରୀ ଅର୍ଥର ସଦୁପଯୋଗ କରି ପ୍ରତ୍ୟେକ ଯୋଜନାକୁ ସଫଳତାର ସହ କାର୍ଯ୍ୟକାରୀ କରିବାକୁ ଏବଂ ସାଧାରଣ ଲୋକଙ୍କ ସମସ୍ୟାର ତୁରନ୍ତ ସମାଧାନ କରିବା ପାଇଁ ବୈଠକରେ ସଚିବ ଜିଲ୍ଲା ପ୍ରଶାସନକୁ ପରାମର୍ଶ ଦେଇଛନ୍ତି।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ)

Leave A Reply

Your email address will not be published.