ମଧ୍ୟାହ୍ନ ଭୋଜନ ଦୁର୍ନୀତିର ତଦନ୍ତ ପାଇଁ ନିର୍ଦ୍ଦେଶ।

0 200

ପୋଲସରା,୨୯/୦୬ (ପିପିଟି):ଗଞ୍ଜାମ ଜିଲ୍ଲାର କେତେକ ବ୍ଳକ ର ବିଦ୍ୟାଳୟ ଗୁଡିକରେ ମଧ୍ୟାହ୍ନ ଭୋଜନରେ ହେଉଥିବା ଦୁର୍ନୀତି ବାବଦରେ ତଦନ୍ତ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବ ଗଞ୍ଜାମ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ପୋଲସରା ବ୍ଳକ ଅନ୍ତର୍ଗତ ଚିରିକିପଡା ଶାସନ ଗ୍ରାମର ସାମାଜିକ କର୍ମୀ ରୋହିତ ପ୍ରଧାନ ଗଞ୍ଜାମ ଜିଲ୍ଲାର ପୋଲସରା , ବୁଗୁଡ଼ା , କବିସୂର୍ଯ୍ୟ ନଗର , ବେଗୁନିଆ ପଡ଼ା , ଖଲ୍ଲିକୋଟ, ଜଗନ୍ନାଥ ପ୍ରସାଦ,ଆସିକା ସମେତ ୨୨ ବ୍ଳକ ର ବିଦ୍ୟାଳୟ ଗୁଡିକରେ ମଧ୍ୟାହ୍ନ ଭୋଜନ ବାବଦରେ ବ୍ୟାପକ ଦୁର୍ନୀତି ହେଉଛି । ଛାତ୍ରଛାତ୍ରୀ ମାନଙ୍କୁ ଅତ୍ୟନ୍ତ ନିମ୍ନମାନର ଖାଦ୍ୟ ଦିଆ ଯାଉଛି । ଏବଂ ବିଦ୍ୟାଳୟ ରେ ପାଠ ପଢୁଥିବା ଛାତ୍ରଛାତ୍ରୀ ମାନଙ୍କ ପ୍ରକୃତ ସଂଖ୍ୟା ଠାରୁ ବହୁ ଅଧିକ ଦର୍ଶାଇ ଢାଲି , ତେଲ , ପରିବା ଓ ଚାଉଳ ବାବଦରେ ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ କରାଯାଉଥିବା ରୋହିତ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ରୋହିତ ପ୍ରଧାନ ଗଞ୍ଜାମ ଜିଲ୍ଲା ଶିକ୍ଷାଧିକାରୀ , ଜିଲ୍ଲାପାଳ , ଦୁର୍ନୀତି ନିବାରଣ ବିଭାଗର ଗଞ୍ଜାମ ଜିଲ୍ଲା ଅଧିକ୍ଷକ , ଗଣଶିକ୍ଷା ବିଭାଗ ସଚିବ , ବିଭାଗୀୟ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଙ୍କ ନିକଟକୁ ଗତମାସ ୪ ,୧୬,୧୦ ତାରିଖ ଦିନ ତିନୋଟି ପତ୍ର ଲେଖିଥିଲେ । ଏଥି ସହିତ କୋଟି କୋଟି ଟଙ୍କାର ଏହି ଦୁର୍ନୀତି ର ତଦନ୍ତ କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିବେଦନ କରିଥିଲେ ।ଫଳରେ ଗଣଶିକ୍ଷା ବିଭାଗ ର ଅତିରିକ୍ତ ସଚିବ ଗଞ୍ଜାମ ଜିଲ୍ଲା ଶିକ୍ଷାଧିକାରୀଙ୍କ ନିକଟକୁ ପତ୍ର ଲେଖି ରୋହିତ ପ୍ରଧାନ ଙ୍କ ଅଭିଯୋଗ ର ସତ୍ୟାସତ୍ୟ ତଦନ୍ତ କରି ରିପୋର୍ଟ ଦେବାକୁ କହିଛନ୍ତି। ଏଣୁ ଗଞ୍ଜାମ ଜିଲ୍ଲା ଶିକ୍ଷାଧିକାରୀ ରୋହିତ ପ୍ରଧାନଙ୍କୁ ଆସନ୍ତା ମାସ ୩ ତାରିଖ ଦିନ ତାଙ୍କ କାର୍ଯ୍ୟାଳୟରେ ଉପସ୍ଥିତ ହୋଇ ଆବଶ୍ୟକ ତଥ୍ୟ ପ୍ରଦାନ କରିବାକୁ ତାଙ୍କର କାର୍ଯ୍ୟାଳୟ ପତ୍ର ୧୧୬୭୪ ରେ ଅନୁରୋଧ କରିଛନ୍ତି। ଗଞ୍ଜାମ ଜିଲ୍ଲା ଶିକ୍ଷାଧିକାରୀ ପ୍ରକୃତ ଓ ସଠିକ ଭାବେ ତଦନ୍ତ କଲେ ଗଞ୍ଜାମ ଜିଲ୍ଲାରେ ମଧ୍ୟାହ୍ନ ଭୋଜନ ବାବଦରେ ହେଉଥିବା କୋଟି କୋଟି ଟଙ୍କା ଦୁର୍ନୀତିର ପର୍ଦ୍ଦାଫାଶ ହୋଇ ପାରିବ ବୋଲି ରୋହିତ ପ୍ରଧାନ କହିଛନ୍ତି।

ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.