ମାଲକାନଗିରି,୨୯/୦୬(ପିପିଟି):ମାଲକାନଗିରିର ଏକ ସୁନା ଦୋକାନରୁ ଗତ ୫ ବର୍ଷ ପୂର୍ବେ ଚୋରି ହୋଇଥିଲା ବେଳେ ଦୀର୍ଘ ୫ ବର୍ଷ ପରେ କେରଳ ରାଜ୍ୟର କନ୍ୟାକୁମାରୀରୁ ୨ ଜଣ ଚୋରଙ୍କୁ ପୋଲିସ ଗିରଫ କରିବାରେ ସକ୍ଷମ ହୋଇଛି । ସେମାନଙ୍କ ନିକଟରୁ ଦୁଇଶହ ଗ୍ରାମ ସୁନା ବିସ୍କୁଟ ,ଦୁଇଟି ପିସ୍ତଲ, ମଟର ସାଇକେଲ ଜବତ କରାଯାଇଥିବା ମାଲକାନଗିରି ଏସପି ବିନୋଦ ପାଟିଲ ଏଚ ପ୍ରକାଶ କରିଛନ୍ତି।
ସୂଚନାଯୋଗ୍ୟ ଯେ ଗତ ୨୦୨୧ ମସିହାରେ ମାଲକାନଗିରି ସହରର ପ୍ରସାଦ ଜୁୟେଲର୍ସର ମାଲିକ ସୁବାସ ପାଟିଲଙ୍କୁ ପୂଜା ଭୋଗ କହି ନିଶା ଯୁକ୍ତ ମିଠା ଖୁଆଇ ତାଙ୍କ ସୁନା ଦୋକାନ ରୁ ୭୦୦ ଗ୍ରାମ ସୁନା ଗହଣା ଲୁଟି ନେଇଥିଲେ । ଏ ସମ୍ପର୍କରେ ମାଲକାନଗିରି ଥାନାରେ ଅଭିଯୋଗ ସୋଇଥିଲା। ଦୀର୍ଘ ପାଞ୍ଚ ବର୍ଷ ଧରି ପୋଲିସର ତଦନ୍ତ ଜାରି ରହିଥିବା ବେଳେ ଶେଷରେ ମାଲକାନଗିରି ଆଦର୍ଶ ଥାନା ପୋଲିସ ଏହି ଚୋରଙ୍କୁ ଧରିବାରେ ସକ୍ଷମ ହୋଇ ପାରିଛି। ସେହି ସେମାନେ ହେଲେ ଆନ୍ଧ୍ର ପ୍ରଦେଶ ଗୁଣ୍ଟୁର ଜିଲ୍ଲାର ମଦାସୁ ଜନ ପଲ୍ ଓରଫ ଜଗଦିଶ ଓ ଇନ୍ତୁରୀ ଓରୁଣା ଓରଫ ଅର୍ଚ୍ଚନା । କନ୍ୟାକୁମାରୀରୁ ଗିରଫ ହୋଇଥିବା ଏହି ପୁରୁଷ ଓ ମହିଳା ଅଭିଯୁକ୍ତଙ୍କ ଠାରୁ ପୋଲିସ ଦୁଇ ଶହ ଗ୍ରାମ ତରଳା ଯାଇଥିବା ସୁନା ବିସ୍କୁଟ , ଦୁଇଟି ପିସ୍ତଲ, ନଅଟି ଟି ଅଫୁଟା ଗୁଳି, ଦୁଇଟି ସୁନା ତରଳା ମେସିନ, ଗୋଟିଏ ଲାପଟପ୍ ଓ ଗୋଟିଏ ମୋଟର ସାଇକେଲ ଜବତ କରିଛି ।ସେମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି। ଆଜିର ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଏସଡିପିଓ ଦିବ୍ୟ ରଞ୍ଜନ ଦଳେଇ ଓ ମାଲକାନଗିରି ଆଦର୍ଶ ଥାନା ଆଇଆଇସି ରିଗାନ କିଣ୍ଡୋ ଉପସ୍ଥିତ ଥିଲେ।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ)