ଦୀନ ହୀନ ଜନେ ଦାନ କଲେ ପୁଣ୍ଯ
ପ୍ରାପତ ହୋଇବ ଜାଣ……
ସ୍ବଛଳ ଲୋକଙ୍କୁ ଦାନ ଯେ କରିବ
ସେ ଦାନଟି ଅକାରଣ……!!
କ୍ଷୁଧାରେ ଯନ୍ତ୍ରଣା ପାଉଥିବା ଲୋକେ
ଖାଦ୍ୟ ଦାନ କଲେ ପୁଣ୍ଯ…..
ବସ୍ତ୍ର ହୀନ ଜନେ ବସ୍ତ୍ର ଦାନ କଲେ
ମହତ୍ ଦାନୀରେ ଗଣ୍ୟ…..!!
ତୃଷ୍ଣାରେ ଆତୁର ହେବା ଲୋକେ ଯଦି
ଯେ କରିବ ଜଳ ଦାନ……
ମିଳିବ ଆତ୍ମାକୁ ଅଶେଷ ଆନନ୍ଦ
ଜୀବନ ହୋଇବ ଧନ୍ଯ…..!!
ଅଭାବ ଯାହାର ନାହିଁ ସମ୍ପଦରେ
ଅଯଥା ନକର ଦାନ……
ସେହି ଦାନ ପାପ କର୍ମେ ବିନିଯୋଗ
ହେବ ଆପଣା ଧନ…..!!
ଶାରୀରିକ ବଳ ଥିବା ଯୁବକଙ୍କୁ
ଦିଅ ନାହିଁ କେବେ ଦାନ…..
ମାଦକ ଜୁଆରେ ସେହି ଦାନ ଅର୍ଥ
ଖର୍ଚ୍ଚେ ହେବ ଅକାରଣ……!!
କର୍ମ କୁଡିଆ ଅଳସୁଆ ଲୋକେ
ଦାନ ଧର୍ମ କରି ନାହିଁ……
ପ୍ରଗତି ପଥରେ ବାଧା ସୃଷ୍ଟି ହେବ
ଏ କଥା ଚିନ୍ତିବା ରହି……!!
ଅକ୍ଷମ ବାର୍ଦ୍ଧକ୍ୟ ଜନେ ଦାନ କଲେ
ସେ ଦାନର ଅଛି ଗୁଣ…..
ଦରିଦ୍ର ରୋଗୀଙ୍କୁ ସେବା ଯୋଗାଲେ
ସୁରକ୍ଷା ହୋଇବ ପ୍ରାଣ…..!!
ରକ୍ତ ଦାନ ଠାରୁ ମହାନ କରମ
ଅଛି କି ପୁଣ୍ୟ ସଂସାରେ…..
ଅଙ୍ଗ ଦାନ ଠାରୁ ବଡ ଦାନ ନାହିଁ
ନୂତନ ଜୀବନ ଫେରେ……!!
ଦାନବୀର ହରିଶ୍ଚନ୍ଦ୍ର କଥା ପଢୁ
ପୁରାଣ ପୃଷ୍ଠାରେ ଯଦି…..
ଦାନୀ କର୍ଣ୍ଣ ବଳୀ ସୁଦାମ ଚରିତ
ମାନସେ ମନ୍ଥନ ସିଦ୍ଧି…..!!
ଏଣୁ ଦାନ ଦେବା ସମୟରେ କେବେ
ଅନ୍ଧ ବିଶ୍ବାସରେ ପଡି…..
କର ନାହିଁ ଦାନ ଅପାତ୍ରରେ ବନ୍ଧୁ
କହୁଅଛି କର ଯୋଡି……!!
(କବି କେଶବ ଚନ୍ଦ୍ର ନାୟକ)
(ସଭାପତି, ଉତ୍କଳ ସାହିତ୍ୟ ସଂସଦ, ମାଲକାନଗିରି)