୫୦ ଜଣ ସମ୍ବଳ ଶିକ୍ଷକଙ୍କ ଦିନିକିଆ କର୍ମଶାଳା ଅନୁଷ୍ଠିତ ।

0 0

ମାଲକାନଗିରି, ୨୦/୦୮(ପିପିଟି):ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ, ମାଲକାନଗିରି ଦ୍ୱାରା ଆୟୋଜିତ ଦିନିକିଆ ଜିଲ୍ଲାସ୍ତରୀୟ କର୍ମଶାଳା ଆଜି ପିଏମ୍‌ଶ୍ରୀ ନୋଡାଲ୍ ଉଚ୍ଚ ବିଦ୍ୟାଳୟ, ମାଲକାନଗିରି ଠାରେ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣିଗ୍ରାହୀ ଯୋଗଦେଇ କର୍ମଶାଳାକୁ ଉଦ୍‌ଘାଟନ କରିଥିଲେ। ସମ୍ବୋଧନ ପ୍ରସଙ୍ଗରେ ସେ କହିଥିଲେ ଯେ ଗୁଣାତ୍ମକ ଶିକ୍ଷାଦାନ ଏବଂ ସହ-ପାଠ୍ୟକ୍ରମ କାର୍ଯ୍ୟକ୍ରମର ସଫଳ ରୂପାୟନରେ ସମ୍ବଳ ଶିକ୍ଷକମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କ୍ଷେତ୍ର ସ୍ତରରେ ଶିକ୍ଷାର ମାନବୃଦ୍ଧି ପାଇଁ ଶିକ୍ଷକମାନେ ନିଷ୍ଠାର ସହ ଅଗ୍ରଣୀ ଭୂମିକା ଗ୍ରହଣ କରିବା ଆବଶ୍ୟକ।ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ମଞ୍ଜୁଲତା ଭୋଇ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଭାଗୀରଥି ବେହେରା, କାଲିମେଳା ବ୍ଲକ୍ ଶିକ୍ଷା ଅଧିକାରୀ ରମେଶ ବାରୋଇ ଏବଂ ମାଲକାନଗିରି ବ୍ଲକ୍ ଶିକ୍ଷା ଅଧିକାରୀ ମମତା ସୋୟ ଉପସ୍ଥିତ ଥିଲେ। ଏହି କର୍ମଶାଳାରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ଚୟନିତ ୫୦ ଜଣ ସମ୍ବଳ ଶିକ୍ଷକ, ନୋଡାଲ୍ ପ୍ରଧାନ ଶିକ୍ଷକ, କ୍ଲଷ୍ଟର ସାଧନ କେନ୍ଦ୍ର ସଂଯୋଜକ ଏବଂ ପ୍ରାଥମିକ ଶିକ୍ଷକମାନେ ଅଂଶଗ୍ରହଣ କରିଥିଲେ।ଚଳିତ ଶିକ୍ଷାବର୍ଷରେ ଅନୁଷ୍ଠିତ ହେବାକୁ ଥିବା ବିଭିନ୍ନ ଜିଲ୍ଲା, ବ୍ଲକ୍ ଓ କ୍ଲଷ୍ଟର ସ୍ତରୀୟ କାର୍ଯ୍ୟକ୍ରମ ଯଥା: ସୁରଭି, ଶିକ୍ଷଣ ଶିକ୍ଷା ସାମଗ୍ରୀ ମେଳା, ପିଏମ୍‌ଶ୍ରୀ ଉତ୍ସବ, ଦଶମ ଶ୍ରେଣୀ ପାଇଁ ଆସ୍ପାୟାର, କାନ୍ଥ ପତ୍ରିକା, ଜ୍ଞାନ କାନ୍ଥ, ସ୍କାଉଟ୍ ଓ ଗାଇଡ୍, କ୍ରୀଡ଼ା ଏବଂ ବିଜ୍ଞାନ ପ୍ରଦର୍ଶନୀ ସମ୍ପର୍କରେ ସମ୍ବଳ ଶିକ୍ଷକମାନଙ୍କୁ ପୁଙ୍ଖାନୁପୁଙ୍ଖ ସୂଚନା ଓ ତାଲିମ ପ୍ରଦାନ କରାଯାଇଥିଲା। ବ୍ଲକ୍ ଓ କ୍ଲଷ୍ଟର ସ୍ତରରେ ଏହି କାର୍ଯ୍ୟକ୍ରମଗୁଡ଼ିକୁ ସୁଚାରୁ ରୂପେ ଆୟୋଜନ ଓ ପରିଚାଳନା କରିବା ପାଇଁ ସମ୍ବଳ ଶିକ୍ଷକମାନଙ୍କୁ ସକ୍ଷମ କରିବା ଏହି କର୍ମଶାଳାର ମୁଖ୍ୟ ଲକ୍ଷ୍ୟ ଥିଲା।ଶେଷରେ ମୁଖ୍ୟ ଅତିଥି ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ପାଣିଗ୍ରାହୀ ସମସ୍ତ ଅଂଶଗ୍ରହଣକାରୀ ଓ ଆୟୋଜକ ଦଳଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ)

Leave A Reply

Your email address will not be published.