ସୁବର୍ଣ୍ଣପୁର ଜିଲ୍ଲାର ହାଇଟେକ୍ ସର୍ଭେ ଓ ବନ୍ଦୋବସ୍ତ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କଲେ ରାଜସ୍ୱ ସଚିବ ।

0 0

ଭୁବନେଶ୍ୱର , ୨୦/୦୬(ପିପିଟି):ଲୋକସେବା ଭବନଠାରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀଙ୍କ ଅଧକ୍ଷତାରେ ସୁବର୍ଣ୍ଣପୁର ଜିଲ୍ଲାରେ ଚାଲିଥିବା ହାଇଟେକ୍ ସର୍ଭେ ଏବଂ ବନ୍ଦୋବସ୍ତ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ପୂର୍ବ ସମୀକ୍ଷା ବୈଠକରେ ଗ୍ରହଣ କରାଯାଇଥିବା ନିଷ୍ପତ୍ତିଗୁଡ଼ିକର କାର୍ଯ୍ୟାନ୍ୱୟନ ସ୍ଥିତି ଏବଂ ଜିଲ୍ଲାରେ ହାଇଟେକ୍ ସର୍ଭେ କାର୍ଯ୍ୟର ବର୍ତ୍ତମାନ ସ୍ଥିତିର ସମୀକ୍ଷା କରି ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ପାଢ଼ୀ ହାଇଟେକ୍ ସର୍ଭେ ଓ ବନ୍ଦୋବସ୍ତ କାର୍ଯ୍ୟକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମାପ୍ତ କରିବା ନିମନ୍ତେ ସମସ୍ତ ସମ୍ପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ନିୟମିତ ତଦାରଖ, ପରସ୍ପର ସମନ୍ୱୟ ଏବଂ କ୍ଷେତ୍ରସ୍ତରରେ ଦ୍ରୁତ କାର୍ଯ୍ୟକାରିତା ଉପରେ ଗୁରୁତ୍ୱାରୋପ କରି ଆଗାମୀ ଦିନରେ ସୁବର୍ଣ୍ଣପୁର ଜିଲ୍ଲାକୁ ହାଇଟେକ୍ ସର୍ଭେ କ୍ଷେତ୍ରରେ ସମଗ୍ର ରାଜ୍ୟରେ ଏକ ଆଦର୍ଶ ଜିଲ୍ଲା ଭାବେ ଉପସ୍ଥାପିତ କରିବାକୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଆହ୍ଵାନ ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ବର୍ତ୍ତମାନ ସୁଦ୍ଧା ଅନ୍ତିମ ପ୍ରକାଶନ ସମ୍ପନ୍ନ ହୋଇଥିବା ୯୩ଟି ଗ୍ରାମର ଖତିଆନ୍ (RoR) ଭୂଲେଖ ପୋର୍ଟାଲରେ ଅପଲୋଡ୍ କରାଯାଇ ସମ୍ପୃକ୍ତ ଜମିମାଲିକମାନଙ୍କ ମଧ୍ୟରେ ଉକ୍ତ ଜମିପଟ୍ଟା ବଣ୍ଟନ କରାଯାଇଛି। ଏହାସହିତ, ଅନ୍ତିମ ପ୍ରକାଶନ ପରେ ULPIN ସୃଷ୍ଟି ପାଇଁ ବାକି ଥିବା ୬୯ଟି ଗ୍ରାମ ମଧ୍ୟରୁ ୧୦ଟି ଗ୍ରାମର ULPIN ସୃଷ୍ଟି କାର୍ଯ୍ୟ ସମ୍ପନ୍ନ ହୋଇଛି। ତହସିଲ ସ୍ତରରେ ଖତିଆନ୍ ପୁନଃ ଯାଞ୍ଚ ପ୍ରକ୍ରିୟା ଶେଷ ହେବା ପରେ ଅବଶିଷ୍ଟ ଗ୍ରାମଗୁଡ଼ିକର ULPIN ସୃଷ୍ଟି କରାଯାଇ ଭୂଲେଖ ପୋର୍ଟାଲରେ ଅପଲୋଡ୍ କରାଯିବ ଏବଂ ଜମିମାଲିକମାନଙ୍କୁ ପଟ୍ଟା ବଣ୍ଟନ କରାଯିବ।

ଜିଲ୍ଲାରେ ହାଇଟେକ୍ ସର୍ଭେ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ବୈଠକରେ ସୂଚନା ଦିଆଯାଇଛି ଯେ, ଆଇଆଇସି ଟେକ୍ନୋଲୋଜିଜ୍ ସହିତ ସ୍ୱାକ୍ଷରିତ ବୁଝାମଣାପତ୍ର ଅନୁଯାୟୀ ଜୁନ୍ ୮ ତାରିଖରୁ ଆବଶ୍ୟକୀୟ ମାନବସମ୍ବଳ ନିୟୋଜିତ କରାଯାଇଛି ଏବଂ ଜୁନ୍ ୧୫ ତାରିଖରୁ ତହସିଲ ସ୍ତରରେ କାର୍ଯ୍ୟ ଆରମ୍ଭ ହୋଇଛି। ବର୍ତ୍ତମାନ ସୋନପୁର, ବୀରମହାରାଜପୁର ଓ ଉଲୁଣ୍ଡା ତହସିଲରେ ସର୍ଭେ ଇଞ୍ଜିନିୟର ଏବଂ ଡାଟା ଏଣ୍ଟ୍ରି କର୍ମଚାରୀମାନେ କାର୍ଯ୍ୟରତ ଅଛନ୍ତି। କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଆସନ୍ତା ୨୨ ଜୁନ୍ ଠାରୁ ଅବଶିଷ୍ଟ ତିନୋଟି ତହସିଲରେ ଅତିରିକ୍ତ ମାନବସମ୍ବଳ ନିୟୋଜିତ କରାଯିବ।

ସୁବର୍ଣ୍ଣପୁର ଜିଲ୍ଲାରେ ମୋଟ ୯୫୪ଟି ଗ୍ରାମକୁ ହାଇଟେକ୍ ସର୍ଭେ ଓ ବନ୍ଦୋବସ୍ତ ପାଇଁ ସୂଚିତ କରାଯାଇଥିବା ବେଳେ ୬୦୮ଟି ଗ୍ରାମରେ ଅନ୍ତିମ ଜମିପଟ୍ଟା ଓ ମାନଚିତ୍ର ପ୍ରକାଶନ ସମ୍ପନ୍ନ ହୋଇଛି। ୮୩୪ଟି ଗ୍ରାମରେ ଜମିପଟ୍ଟା ଖସଡ଼ା ପ୍ରକାଶନ ଏବଂ ୮୯୯ଟି ଗ୍ରାମରେ ଲ୍ୟାଣ୍ଡ ପାର୍ସେଲ ମ୍ୟାପ୍ (LPM) ବଣ୍ଟନ କାର୍ଯ୍ୟ ସମ୍ପନ୍ନ ହୋଇଛି।

ବୈଠକରେ ଚଳିତ ବର୍ଷ ଜୁନ୍ ଠାରୁ ନଭେମ୍ବର ମଧ୍ୟରେ ଅବଶିଷ୍ଟ କାର୍ଯ୍ୟ ସମାପ୍ତ କରିବା ନିମନ୍ତେ ମାସଭିତ୍ତିକ କାର୍ଯ୍ୟପନ୍ଥା ଉପସ୍ଥାପିତ କରାଯାଇଥିଲା। ଏହି ଯୋଜନା ଅନୁଯାୟୀ ବକେୟା ଥିବା ୩୪୬ଟି ଗ୍ରାମର ଅନ୍ତିମ ମାନଚିତ୍ର ଓ ଜମିପଟ୍ଟା ପ୍ରକାଶନ କାର୍ଯ୍ୟ ନିର୍ଦ୍ଧାରିତ ସମୟ ସୁଦ୍ଧା ସମ୍ପନ୍ନ କରିବା ନିମନ୍ତେ ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ପାଢ଼ୀ ଦୃଢ଼ ନିର୍ଦ୍ଦେଶ ଦେଇଛନ୍ତି ।

ଏହି ବୈଠକରେ ଡିଏଲଆରଏସ୍ ନିର୍ଦ୍ଦେଶକ ଏବଂ ଅତିରିକ୍ତ ନିର୍ଦେଶକ ତଥା ରାଜସ୍ୱ ବିଭାଗର ବରିଷ୍ଠ ଅଧିକାରୀବୃନ୍ଦ ପ୍ରମୁଖ ଉପସ୍ଥିତ ଥିବା ବେଳେ ଆଭାସୀ ମାଧ୍ୟମରେ ଉତ୍ତରାଞ୍ଚଳ ଆରଡିସି ସଂଗ୍ରାମ କେଶରୀ ମହାପାତ୍ର, ସୁବର୍ଣ୍ଣପୁର ଜିଲ୍ଲାପାଳ ଡ. ନୃପରାଜ ସାହୁ ଏବଂ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀଗଣ ଯୋଗ ଦେଇଥିଲେ ।

 

Leave A Reply

Your email address will not be published.