ଗ୍ରୀଷ୍ମେ ଲାଲ ଟହ ଟହ ରଙ୍ଗେ
ହସେ କୃଷ୍ଣଚୂଡ଼ା ଫୁଲ….
ପଥେ ପଥିକକୁ କରେ ଆକର୍ଷଣ
ରୂପ ରଙ୍ଗ ଝଲମଲ….!!
ଅରଣ୍ୟର ବୃକ୍ଷଲତା ଝାଉଁଳିଲେ
ଝାଉଁଳେ ନି କୃଷ୍ଣଚୂଡ଼ା…..
ତପନ କିରଣେ ତପ୍ତ ଧରଣୀ
କୃଷ୍ଣ ଚୂଡା ଦମ୍ଭେ ଛିଡ଼ା….!!
ଜଳାଶୟ ଯେତେ ଶୁଷ୍କ କର୍କଶ
ରୁକ୍ଷ ସବୁଜ ଦୃଶ୍ୟ…..
କୃଷ୍ଣଚୂଡ଼ା ଏଠି ଅକ୍ଷୟ ଅଟଳ
ନବ ଯଉବଳ ବେଶ…..!!
ପେନ୍ଥା ପେନ୍ଥା ପୁଷ୍ପ ଝଞ୍ଜା ପବନେ
ଝୁଲେ ମତୁଆଲା ହୋଇ….
ପୋଡି ଜାଳି ଦିଏ ତପନ କରିଣ
ନପାରେ ତାହାକୁ ଛୁଇଁ…..!!
ପଥିକର ଶ୍ରମ ଲାଘବ ପାଇଁ ଟି
ବିଶ୍ରାମ କରଇ ତହିଁ…..
କୃଷ୍ଣଚୂଡା ଶୋଭା ଦେଖି ମନଲୋଭା
ଆନନ୍ଦ କଳନା ନାହିଁ….!!
ମଧୁ ପାନ ଆଶେ ମଧୁଚୋଷା ପକ୍ଷୀ
କ୍ଷୁଦ୍ର କ୍ଷୁଦ୍ର ଡେଣା ମେଲି….
ଫୁଲେ ଫୁଲେ ଉଡି ଟିକି ଡେଣା ଝାଡି
ଚଞ୍ଚୁ ଯେ ସ୍ପର୍ଶନ୍ତି ଖାଲି…..!!
ଶୀତଳ ଛାୟା ର ଉପଲବ୍ଧ ପାଇଁ
ବଣୀ ଚଢ଼େଇଙ୍କ ମେଳା….
କିଚିରି ମିଚିରି ବିହଙ୍ଗ ସଙ୍ଗୀତ
ଉପସମ କରେ ଜ୍ବଳା…..!!
ପ୍ରତିକୂଳ ଯେବେ ପରିସ୍ଥିତି ଆସେ
ଜୀଇଁବା ଜୀବନ କଳା….
କୃଷ୍ଣଚୂଡ଼ା ଦେଖ ଶିଖାଏ ସଭିଙ୍କୁ
ଧୈର୍ଯ୍ୟ ସାହସ ଲୀଳା…..!!
(କବି କେଶବ ଚନ୍ଦ୍ର ନାୟକ)
(ସଭାପତି, ଉତ୍କଳ ସାହିତ୍ୟ ସଂସଦ, ମାଲକାନଗିରି)