ତିନି ମାସ ହେଲା ବାର୍ଦ୍ଧକ୍ୟ ଭତ୍ତା ବନ୍ଦ, କଂଗ୍ରେସର ବିକ୍ଷୋଭ ।

0 201

ମାଲକାନଗିରି,୦୯/୦୬(ପିପିଟି):ଆଜି ଦିନ ୧୦ଟା ବେଳେ ଜିଲ୍ଲା କଂଗ୍ରେସ ସଭାପତି ଜି ଶ୍ରୀନିବାସ ରାଓ ଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ କର୍ମୀ ଓ ହିତାଧିକାରୀ ମାଲକାନଗିରି ମ୍ୟୁନିସିପାଲିଟି କାର୍ଯ୍ୟାଳୟ ଘେରାଉ କରିଥିଲେ।ପ୍ରାୟ ୨ ଘଣ୍ଟା ଧରି ଚାଲିଥିବା ଏହି ବିକ୍ଷୋଭରେ ମାଲକାନଗିରି ପୌରପାଳିକା ଓ ରାଜ୍ୟ ସରକାରଙ୍କ ବିରୋଧରେ ନାରାବାଜି ହୋଇଥିଲା। ବିଧବା ଭତ୍ତା ୩ ମାସ ହେଲା ବନ୍ଦ, ବାର୍ଦ୍ଧକ୍ୟ ଭତ୍ତା ୩ ମାସ ହେଲା ମିଳୁନି, ରାସନ କାର୍ଡରେ ଚାଉଳ ବି ଆସୁନି । ଏହି ତିନୋଟି ମୁଖ୍ୟ ପ୍ରସଙ୍ଗକୁ ନେଇ ଆଜି ମାଲକାନଗିରି ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ମାଲକାନଗିରି ମ୍ୟୁନିସିପାଲିଟି କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ଓ ଧାରଣା ଦିଆଯାଇଥିଲା । ପରେ ଦଳ ପକ୍ଷରୁ ଜିଲ୍ଲାପାଳଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରାଯାଇଛି।
ବିକ୍ଷୋଭ ପରେ କଂଗ୍ରେସ ପ୍ରତିନିଧି ଦଳ ଜିଲ୍ଲାପାଳ ପ୍ରଥମେଶ ଅରିବିନ୍ଦ ରାଜଶିର୍କେ ଙ୍କୁ ଭେଟି ଏକ ସ୍ମାରକପତ୍ର ଦେଇଥିଲେ। କଂଗ୍ରେସ ଚେତାବନୀ ଦେଇଛି ଯେ,ଆଗାମୀ ୭ ଦିନ ଭିତରେ ଯଦି ସମସ୍ତ ହିତାଧିକାରୀଙ୍କ ଖାତାକୁ ବକେୟା ଭତ୍ତା ଟଙ୍କା ନ ଆସେ ଓ ଚାଉଳ ବଣ୍ଟନ ଆରମ୍ଭ ନ ହୁଏ, ତେବେ କଂଗ୍ରେସ ସମଗ୍ର ମାଲକାନଗିରି ଜିଲ୍ଲାକୁ ବନ୍ଦ କରିବ।ଏହି ବିଜେପି ସରକାର ହେଉଛି ଗରିବ ମାରଣ ସରକାର। ଏମାନଙ୍କ ଡବଲ ଇଞ୍ଜିନ ସରକାର ଡବଲ ଫେଲ ମାରିଚି। ଏ ସରକାର ହେଉଛି ଉଦ୍ୟୋଗ ପତିଙ୍କ ସରକାର। ଯେଉଁ ବିଧବା ମା’ ର ଏହି ୧୦୦୦ ଟଙ୍କା ହିଁ ଏକମାତ୍ର ସାହାରା, ଯେଉଁ ବୃଦ୍ଧ ବାପାଙ୍କର ଏହି ଭତ୍ତାରେ ଔଷଧ କିଣା ହୁଏ, ତାଙ୍କ ପେଟକୁ ଲାତ ମାରିବା କେଉଁ ପ୍ରକାର ନ୍ୟାୟ ବୋଲି କଂଗ୍ରେସ କହିଛି । ୩ ମାସ ହେଲା ଭତ୍ତା ନାହିଁ କି ଚାଉଳ ନାହିଁ। କ’ଣ ଗରିବ ଲୋକମାନେ ଉପାସରେ ମରିବେ କି ? ମାଲକାନଗିରି ଜିଲ୍ଲା କଂଗ୍ରେସ ଆଜି ଜିଲ୍ଲାପାଳଙ୍କୁ ଶେଷ ଚେତାବନୀ ଦେଇଥିବା ବେଳେ ୭ ଦିନ ଭିତରେ ସମସ୍ତଙ୍କ ଖାତାକୁ ଟଙ୍କା ନ ଗଲେ ଓ ଚାଉଳ ନ ମିଳିଲେ, ମାଲକାନଗିରି ଜିଲ୍ଲା ସମ୍ପୂର୍ଣ୍ଣ ବନ୍ଦ କରିବା ଯିବ ଏବଂ ରାଜରାସ୍ତା, ସରକାରୀ ଅଫିସ, ଦୋକାନ ବଜାର ସବୁ ବନ୍ଦ କରିବା ଯିବ। ଏହି ସମସ୍ୟାର ସମାଧାନ ସମ୍ପୂର୍ଣ୍ଣ ଦାୟିତ୍ୱ ଜିଲ୍ଲା ପ୍ରଶାସନର। ଏହା କେବଳ ମାଲକାନଗିରି ପୌରପରିଷଦ ନୁହେଁ, ପୁରା ମାଲକାନଗିରି ଜିଲ୍ଲାର ସମସ୍ୟା। ଯଦି ୭ ଦିନରେ କାର୍ଯ୍ୟାନୁଷ୍ଠାନ ନ ହୁଏ, ତେବେ ‘ଜିଲ୍ଲା ବନ୍ଦ’ ଡାକରା ଦିଆଯିବ ବୋଲି ଆଜି କଂଗ୍ରେସ ତରଫରୁ ଗଣ ମାଧ୍ୟମକୁ ସୂଚନା ଦିଆଯାଇଛି।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ)

Leave A Reply

Your email address will not be published.