ନୀଳ ଆକାଶରେ ପକ୍ଷୀ ଉଡ଼ି ଉଡ଼ି ଗଲେ ମୁଁ ଚାହିଁ ରହେ। ପକ୍ଷୀର ପର ଅଛି ସେ ସହଜରେ ଆକାଶରେ ଉଡେ। ମନ ପସନ୍ଦ ସ୍ଥାନକୁ ଯାଇ ପାରେ । ମଣିଷ ଯେତେ ବୁଦ୍ଧିମାନ ହେଲେ ମଧ୍ୟ ନିଜେ ଉଡି ପାରେ ନାହିଁ। ହୁଏତ କାହାର ସାହାରାରେ ଆକାଶ ମାର୍ଗରେ ଯାଇ ପାରେ । ଯେପରି ଉଡାଜାହାଜ। କିନ୍ତୁ ସୃଷ୍ଟିରେ ପକ୍ଷୀ ବିନା ସାହାରାରେ ଯାଇ ପାରେ। ଶୀତ ଋତୁରେ ଆମ ଅଞ୍ଚଳକୁ ନୂଆ ନୂଆ ପକ୍ଷୀ ହଜାର ହଜାର ଆକାଶ ପଥରେ ଉଡି ଆସନ୍ତି। ପୁଣି ଯେଉଁ ଦେଶରୁ ଆସିଥାନ୍ତି, ପୁଣି ଫେରିଯାଆନ୍ତି। ବିଦେଶାଗତ ପକ୍ଷୀମାନେ ଭାରତର ବିଭିନ୍ନ ଜଳାଶୟଗୁଡିକରେ ବିଚରଣ କରନ୍ତି।ଆମ ଅଞ୍ଚଳର
କିଛି ନିର୍ଦ୍ଧିଷ୍ଟ ପକ୍ଷୀ ସହିତ ଆମେ ପରିଚିତ। ସେମାନେ ବିଭିନ୍ନ ସମୟରେ ଦେଖା ଦିଅନ୍ତି। ଆମର ଅତି ନିକଟରେ ପକ୍ଷୀ ହେଲା କାଉ। ସକାଳେ ଘର ଚାଳରେ ବସି କା କା ରାବେ । ବିଲମାଳ କି ନଈ ଗଡିଆରେ ବିଭିନ୍ନ ବଗ ଦେଖିବାକୁ ମିଳେ।ବଗ ଆଉ କାଉ ସର୍ବତ୍ର ଦେଖା ଦିଅନ୍ତି। ଅନ୍ୟ ପକ୍ଷୀମାନଙ୍କ ମଧ୍ୟରେ ଅତି ଜଣାଶୁଣା ପାରା । ଲୋକମାନେ ପାରାଙ୍କୁ ଆଣି ବସା ନିର୍ମାଣ କରି ପୋଷନ୍ତି ।
କେହି କେହି ସକାଳୁ ଉଠି ପାରା ପଲକୁ ଚାଉଳ ଖୁଦ ଗହମ,ଚଣା ଦିଅନ୍ତି। ପାରା ମାନେ ନିର୍ଦିଷ୍ଟ ଲୋକ ପାଖକୁ ଯାଇ ଖାଦ୍ୟ ଗ୍ରହଣ କରନ୍ତି। ପରେ ସେମାନଙ୍କ ପେଟ ଭର୍ତ୍ତି ହୋଇଗଲେ ଉଡ଼ି ଯାଆନ୍ତି। କପୋତ ପକ୍ଷୀ ଆଜି କାଲି ଅତି ନଗଣ୍ୟ ଦେଖିବାକୁ ମିଳୁଛି। କପୋତ ପକ୍ଷୀ ସର୍ବଦା ଯୋଡି ହୋଇ ବୁଲନ୍ତି। ସେମାନଙ୍କ ପାରା ଭଳି ଦଳ ବଦ୍ଧ ନାହିଁ। କିମ୍ବା ସେମାନେ ପୋଷା ମାନନ୍ତି ନାହିଁ। କୌଣସି ଲୋକର ପ୍ରଦତ୍ତ ଆହାର ପ୍ରତି ଆକର୍ଷଣ ନାହିଁ। ଘର ଚଟିଆ ପକ୍ଷୀ ଗାଁ ଗହଳିରେ ଦେଖା ଯାଏ। ସହରରେ ଦେଖିବାକୁ ମିଳେ ନାହିଁ। ସହରଗୁଡିକ ବଡ ବଡ କୋଠା ହେତୁ ଘର ଚଟିଆ ରହିବା ପାଇଁ
ଉତ୍ତମ ପରିବେଶ ଉପଲବ୍ଧି କରି ପାରେ ନାହିଁ। ଏଣୁ ଗାଁ ଗହଳିରେ ଶାନ୍ତ କାନ୍ତ ବୃକ୍ଷ ଲତାର ଆବଦ୍ଧ ପରିବେଶରେ ନିଜକୁ ଖାପଖୁଆଇ ଚାଲେ । ଗାଁ ଗହଳିରେ ଥିବା ଗଛଗୁଡ଼ିକ ରେ ବଣି ଚଢେଇ ଦେଖିବାକୁ ମିଳେ। କେହି କେହି ବଣି ଚଢେଇ ପୋଷନ୍ତି।ଶାରୀ କଥାକୁ ନକଲ କରେ । ଶୁଆ ବି କଥା କୁ ନକଲ କରେ । ଏଣୁ ଶୁଆ ଶାରୀ ପକ୍ଷୀକୁ ଲୋକମାନେ ପଞ୍ଜୁରୀ ରଖି ପାଳନ୍ତି। ବର୍ତ୍ତମାନ ଶୁଆ ପକ୍ଷୀ ଦୃଷ୍ଟି ଗୋଚର ହେଉଥିଲା ବେଳେ ଶାରୀ ପକ୍ଷୀ ଆଉ ଦୃଷ୍ଟି ଗୋଚର ହେଉ ନାହିଁ। ଶାରୀ ବଂଶ ବିଲୁପ୍ତ କହିଲେ ଅତ୍ୟୁକ୍ତି ହେବ ନାହିଁ।ଆମ ପିଲାଦିନେ ବଡ ବଡ ଶାଗୁଣା ପକ୍ଷୀ ଦେଖିବାକୁ ପାଉଥିଲୁ। ଯେଉଁ ଠାରେ ପଶୁ ମୃତ୍ଯୁ ବରଣ କରେ ଶାଗୁଣା ପଲ ପଲ ହୋଇ ମଲା ପଶୁ ମାଂସ କୁ ଗ୍ରାସ କରନ୍ତି। ଏବେ ଶାଗୁଣା ପକ୍ଷୀ ଦେଖା ଯାଉ ନାହିଁ। ଶାଗୁଣା ବଂଶ ପ୍ରାୟ ନାହିଁ କହିଲେ ଚଳେ । ବାକି ମୟୁର ପକ୍ଷୀ ଗାଁ ଗହଳରେ ଦେଖିବାକୁ ମିଳୁଥିଲା। ଆଜି କାଲି ମୟୁର ପକ୍ଷୀ ବଣରେ
କାଭା ଦେଖବାକୁ ମିଳେ । ମୟୁର ପକ୍ଷୀ ବଂଶ ମଧ୍ୟ ବିଲୁପ୍ତର ଅନ୍ତିମ ପର୍ଯ୍ୟାୟ ରେ ଉପନିତ। ମୟୁର ପୁଛ ବିଭିନ୍ନ ଦେବାଦେବୀ ମନ୍ଦିର ପାଇଁ ଆବଶ୍ୟକ ହେଉଥିବାରୁ ମୟୁର ପକ୍ଷୀ ଶିକାରୀ ମାନଙ୍କ ପାଇଁ ଲାଭକାରୀ ସାମଗ୍ରୀ ଭାବେ ଜଣାଶୁଣା। ଏଣୁ ଅବାଧ ମୟୁର ଶିକାର ଯୋଗୁଁ ଧୀରେ ଧୀରେ ମୟୁର ଲୋପ ପାଇବାକୁ ବସିଛି। ଗୋବରା ଚଢେଇ ମଧ୍ୟ ଆଉ ଗାଁ ଗହଳିରେ ଦୁଷ୍ପ୍ରାପ୍ୟ କହିଲେ ଚଳେ। ବାଈ ଚଢ଼େଇ ଏକ କ୍ଷୁଦ୍ର ଚଢେଇ। ଗାଁ ଗୁଡିକରେ ଥିବା ଡେଙ୍ଗା ଡେଙ୍ଗା ତାଳ ଓ ଖଜୁରୀ ବୃକ୍ଷ ପତ୍ର ବାହୁଙ୍ଗା ରେ ବସା ବାନ୍ଧି ରହିବାର ଦୃଶ୍ୟ ଅତି ଆକର୍ଷଣୀୟ। ଏହାକୁ ଇଞ୍ଜିନିୟରିଂ ବାର୍ଡ ବୋଲି କୁହାଯାଏ। ବାଈ ଚଢ଼େଇ ର ବସା ନିର୍ମାଣ ଶୈଳୀ ପକ୍ଷୀ ଜଗତ ପାଇଁ ବାସ୍ମୟ କହିଲେ ଅତ୍ୟୁକ୍ତି ହେବ ନାହିଁ। ଏହି ବାଈ ଚଢ଼େଇ ମଧ୍ୟ ଆଉ ଦୃଶ୍ୟମାନ ହେଉ ନାହିଁ। ଓଡ଼ିଶା ଭୂଖଣ୍ଡରୁ ନିଶ୍ଚିହ୍ନ ହେବାକୁ ବସିଛି।କୁମ୍ଭାଟୁଆ ପକ୍ଷୀ କେଉଁଠି କିପରି ଦୃଷ୍ଟି ଗୋଚର ହେଉଛି। ପୂର୍ବ ଭଳି ବଂଶ ବୃଦ୍ଧି ନାହିଁ। ଏହି ପକ୍ଷୀ ମଧ୍ୟ ବିଲୁପ୍ତର ଶେଷ ସୋପାନରେ
ଉପନିତ କହିଲେ ଚଳେ।କଜଳ ପାତି,ହରଡ ଚଢେଇ,କାଠ ହଣା ପକ୍ଷୀ,ମାଛ ରଙ୍କା ପକ୍ଷୀ , କୁଜି ହଂସ, ରାଜ ହଂସ, ଗେଣ୍ଡାଳିଆ, ଚିଲ, ଛଞ୍ଚାଣ,ଉଲ୍ଲୁକ,ହଳଦୀ ବସନ୍ତ ଏବଂ ଡାହୁକ ପକ୍ଷୀ ଧୀରେ ଧୀରେ ଆମ ଆଖି ଆଗରୁ ଉଭେଇ ଗଲେଣି।
ବର୍ତ୍ତମାନ ବାଦୁଡି,ଚମ ଚଟେଇ ମଧ୍ୟ ପୂର୍ବ ଭଳି ଦେଖାଯାଉ ନାହିଁ। ବାଦୁଡି ପକ୍ଷୀ ବଡ ବଡ ବରଗଛ, ନୀଳଗିରି ଗଛ ଗୁଡ଼ିକରେ ଦିନ ସାରା ଓହଳି ରହୁଥିଲେ । ସନ୍ଧ୍ୟା ହେଲେ ପକ୍ବ ଫଳ ଅନୁସନ୍ଧାନରେ ବାହାରୁ ଥିଲେ। ବାଦୁଡି ପକ୍ଷୀ ଅଧିକାଂଶ ଶିକାର ହେତୁ ଏହି ପକ୍ଷୀ ଧ୍ବଂସାଭିମୁଖୀ।
କୋଇଲି ପକ୍ଷୀ ବସନ୍ତ ଋତୁ ଆଗମନରେ କୋକୋ ରାବ ଛାଡେ ଆମ୍ବଗଛ ଶାଖା ରେ ବସି ।ଆମେ ସେହି ସମୟରେ ଜାଣୁ ଏହି ସୁରିଲା କଣ୍ଠରେ ଆର୍ତ୍ତନାଦ ଛାଡୁଥିବା କୋକିଳ ପକ୍ଷୀ ର କିଛି ଅସ୍ତିତ୍ବ ଅଛି। ଆଠ ମାସ ନିରବ।ବର୍ଷା ଆଉ ଶୀତ ଋତୁରେ ଦେଖା ମିଳେ ନାହିଁ।ସେ କେଉଁଠି ରହେ, କେଉଁଠି କି ଯାଏ, କିଏ ଖୋଜ ଖବର ରଖିଛି ? କେବଳ ବସନ୍ତ ଋତୁ ସମୟରେ କୋକିଳ କଣ୍ଠ ଶ୍ରବଣ କଲେ ଜାଣୁ ଯେ ଏହି ପକ୍ଷୀର ବଂଶ ବିନାଶ ହୋଇନି।ନିଜକୁ ଖାପଖୁଆଇ ତିଷ୍ଠିଛି।ଆଉ ଗୋଟିଏ ପକ୍ଷୀ ହେଲା ପାଣି କୁଆ। ଗଭୀର ଜଳରେ ବୁଡି ବୁଡି ମାଛ ଧରି ଖାଏ। ବଗ ଆଉ ପାଣିକୁଆ ମାଛ ଧରି ଖାଆନ୍ତି। ସନ୍ଧ୍ୟା ହେଲେ ବଡ ବଡ ଗଛ ଡାଳରେ ବସି ରାତ୍ର ଯାପନ କରନ୍ତି। ପୁଣି ସକାଳ ହେଲେ ବନ୍ଧ,ଗଡିଆ, ନଦୀ, ପୁଷ୍କରିଣୀ ଅଭିମୁଖେ ଗତି କରନ୍ତି। ଅବଶ୍ୟ ବଗ ପକ୍ଷୀ ବିଭିନ୍ନ ସ୍ଥାନରେ ଦୃଶ୍ୟମାନ ହେଉଥିଲେ ମଧ୍ୟ ପାଣିକୁଆ ଙ୍କ ସଂଖ୍ୟା ବର୍ତ୍ତମାନ ନଗଣ୍ୟ।
ପକ୍ଷୀ ଆମର ଅତି ଉପକାରୀ ଅଟନ୍ତି। ବିଶେଷ କରି ଫସଲ ଓ ଉଦ୍ଭିଦ ରେ ଲାଗିଥିବା କୀଟ ପତଙ୍ଗ କୁ ଖାଇ ବଞ୍ଚନ୍ତି। ଯେଉଁ କୀଟ ପତଙ୍ଗ ଆମର ଫସଲ ଓ ଉଦ୍ଭିଦ କୁ ନଷ୍ଟ କରିଥାଏ, ସେମାନଙ୍କ ଦାଉରୁ ରକ୍ଷା କରିଥାଏ। କିଛି ପକ୍ଷୀ ପଚାସଢା ମାଂସ କୁ ଖାଇ ପରିବେଶ କୁ ସୁରକ୍ଷା କରନ୍ତି। ଏଣୁ ପକ୍ଷୀ ବଂଶ ଲୋପ ହେଲେ ଏହାର କୁପ୍ରଭାବ ପରିବେଶ ଉପରେ ପଡିବ।ଏଥି ପ୍ରତି ପରିବେଶବିତ୍ ମାନେ ଚିନ୍ତା କରିବା ପରେ ସମୟ ଆସିଛି।ଆମ ଓଡ଼ିଶା ମାଟିରେ ଯେଉଁ ସବୁ ପକ୍ଷୀ ଗୁଡିକ ଷାଠିଏ, ସତୁରୀ ଦଶନ୍ଧି ରେ ଦୃଷ୍ଟିଗୋଚର ହେଉଥିଲା, ବହୁତ ପକ୍ଷୀ ବଂଶ ବିଲୁପ୍ତ ହୋଇଗଲେଣି। ଯହା କିଛି ରହିଛି ସେମାନେ ମଧ୍ୟ ରହସ୍ୟଜନକ ଭାବେ ଆମ ଆଗରୁ ଉଭେଇ ଯିବେ। ଯେଉଁ ସବୁ ପକ୍ଷୀ ଗୁଡିକ ବର୍ତ୍ତମାନ ଜୀବୀତ ଅଛନ୍ତି,କଣ କଲେ ସେମାନଙ୍କ ବଂଶ ଅକ୍ଷତ ରହିବ ଏବଂ ବଂଶ ବୃଦ୍ଧି ହେବ ଚିନ୍ତା କରିବା ର ସମୟ ଆସିଛି। ଏଥିପାଇଁ ପକ୍ଷୀ ବିଶେଷଜ୍ଞ ମାନେ ଆଗେଇ ଆସିବା ଉଚିତ। ଯେଉଁ ଲୋକମାନେ ପକ୍ଷୀ ଶିକାର କରୁଛନ୍ତି, ସେମାନଙ୍କ ଜନ ସଚେତନା କରିବା ଆବଶ୍ୟକ ହୋଇପଡିଛି। ପକ୍ଷୀ ପ୍ରେମୀ ମାନେ ମଧ୍ୟ ଏଥିପାଇଁ ଗୁରୁ ଦାୟିତ୍ବ ନିର୍ବାହ କରିବା ଉଚିତ।
(କେଶବ ଚନ୍ଦ୍ର ନାୟକ)(ସଭାପତି, ଉତ୍କଳ ସାହିତ୍ୟ ସଂସଦ, ମାଲକାନଗିରି)