ଜବାବ୍ ଦିଅ ଈଶ୍ୱର

0 0

ପଥର ଦେଉଳେ ବସିଛ ମଉନେ
କାଠ ପାଷାଣର ଦିଅଁ…..
ଭକ୍ତି ନୈବେଦ୍ୟ ଭକତ କରଇ
କରୁଣା କୃପା ନ ଦିଅ….!!
ପ୍ରଭୁ ପ୍ରଭୁ ବୋଲି ଡାକନ୍ତି ଭକତେ
ଆଖିରୁ ଗଡ଼ାଇ ଲୁହ…..
କା‌ହା ନେତ୍ରୁ ବାରି ପୋଛିଣ ଠାକୁରେ
ଦେଇଛ କ’ଣ କୁହ….?
ପୁରାଣରେ କିଏ ଲେଖିଛି ମହିମା
ମିଥ୍ୟା ସ୍ତୁତି ଗାନ କରି….
କିଏ ବା ଦେଖିଛି ତବ କଲା କୃତ
ସନ୍ଦେହ ମୋ ହୁଏ ଘାରି…..!!
ଏ କଳି ଯୁଗରେ କାହିଁ ଚମତ୍କାର
କାହାକୁ କରିଛ କିସ…..
ପାପି ଜନଙ୍କର ଦୌରାତ୍ମ୍ୟ ଅଧିକ
ସାଧୁ ସନ୍ଥ ଯାଏ ନାଶ…..!!
ପାଞ୍ଚାଳୀଙ୍କୁ କେବେ ଦେଇଥିଲ ବସ୍ତ୍ର
ଲଜ୍ଜା ନିବାରଣ ପାଇଁ…..
ଶହ ଶହ ଏବେ ପାଞ୍ଚାଳୀ ଧର୍ଷିତା
ମଉନ ରହିଛ କାହିଁ…..?
ଦେଇଥିଲ କେବେ ବନ୍ଧୁ ସୁଦମାଙ୍କୁ
ଧନ ସମ୍ପଦ ଭଣ୍ଡାର…..
ଲକ୍ଷ ଲକ୍ଷ ଏବେ ଦରିଦ୍ର ସୁଦମା
ଭିକ ମାଗନ୍ତି ଦୁଆର…..?
କାହାକୁ ଦେଇଛ କାଣିଚାଏ ଧନ
କିଏ ବା ଦେଖିଛି କୁହ…..
ଧିକ ଦାତା ପଣେ ଉଡାଅ ପତାକା
ଲଗାଇଛ ଭକ୍ତେ ମୋହ…..!!
ବିପଦ ଭଞ୍ଜନ ନାମ ମାତ୍ର ତୁମ
ତୋଷାମଦିଆଙ୍କ କଥା…..
ଅକାଳରେ ଯମ ନେଲେ କା’ର ପ୍ରାଣ
ତୁମର ନୁହେଁ ଟି ଚିନ୍ତା…..!!
ଦୁରାରୋଗ୍ୟେ କିଏ କତରାରେ ପଡି
ସ୍ମରେ ତୁମ କୃପା ରେଣୁ…..
କର୍ଣ୍ଣ ଡେରି କାହା ଶୁଣିଛ ଗୁହାରୀ
ଦୁଃଖୀ ଶ୍ୟାମ ନାମ ଯେଣୁ…. !!
ପ୍ରତି ଦିନ ହତ୍ୟା ନାରୀ ନିର୍ଯାତନା
ରାକ୍ଷସ ପ୍ରବୃତ୍ତି ଭାରି…..
ଦୁଷ୍ଟକୁ ବିନାଶ କରିଛ କି କୁହ
ହାତେ ସୁଦର୍ଶନ ଧରି……?
ଜବାବ୍ ଦିଅ ହେ ଈଶ୍ୱର ଆଜି
ଗୋପନେ ରହିଛ କାହିଁ…..
ମିଛଟାରେ ତୁମ ଯେ କରେ ଭରସା
ନିରାଶେ ମୃତ୍ୟୁ ଲଭଇ…..!!

(କବି କେଶବ ଚନ୍ଦ୍ର ନାୟକ)
(ସଭାପତି, ଉତ୍କଳ ସାହିତ୍ୟ ସଂସଦ, ମାଲକାନଗିରି)

Leave A Reply

Your email address will not be published.