ଭୁବନେଶ୍ୱର,୦୨/୦୬(ପିପିଟି):ବିଦ୍ୟାଳୟ ସ୍ତରରେ ପିଲାମାନଙ୍କର କ୍ରୀଡ଼ା ପ୍ରତି ଆଗ୍ରହ ସୃଷ୍ଟି ସହ ପ୍ରତିଭା ଅନ୍ବେଷଣ ଉଦ୍ଦେଶ୍ୟରେ ଜୋନାଲ ସ୍ତରୀୟ ମୁଖ୍ୟମନ୍ତ୍ରୀ ଟ୍ରଫି ୨.୦ ଦ୍ଵିତୀୟ ପର୍ଯ୍ୟାୟର ଶୁଭାରମ୍ଭ ହୋଇଛି । କ୍ରୀଡା ଓ ଯୁବସେବା ବିଭାଗ ଓ ଓଡିଶା ଫୁଟବଲ ସଂଘ ଆନୁକୂଲ୍ୟରେ ଏହି ପ୍ରତିଯୋଗିତା ଆୟୋଜିତ ହେଉଛି । ଉକ୍ତ ପ୍ରତିଯୋଗିତାରେ ଉଭୟ ବାଳକ ଓ ବାଳିକା ବିଭାଗରେ ଫୁଟବଲ ଓ ଭଲିବଲ ପ୍ରତିଯୋଗିତା ହେବ । ଭୁବନେଶ୍ୱର ଜୋନ ଅଧୀନରେ ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର,କଟକ, ଭୁବନେଶ୍ୱରକୁ ନେଇ ଏହି ଜୋନ ସ୍ତରୀୟ ପ୍ରତିଯୋଗିତା ଆୟୋଜିତ ହେଉଛି । ଭୁବନେଶ୍ୱର ଆଥଲେଟିକ୍ ଆସୋସିଏସନ୍ ପକ୍ଷରୁ ୟୁନିଟ୍-୧ ସ୍ଥିତ ଫୁଟବଲ୍ ଏକାଡେମୀ ପରିସରରେ ଫୁଟବଲ ପ୍ରତିଯୋଗିତାର ଶୁଭାରମ୍ଭ ହୋଇଛି । ସେହିଭଳି ଆସନ୍ତା ୫ ତାରିଖରୁ କିଟ ପରିସରରେ ଭଲିବଲ ମ୍ୟାଚ ଆୟୋଜନ କରାଯିବ ।
ବିଦ୍ୟାଳୟ ସ୍ତରରେ ପିଲାମାନଙ୍କ ମଧ୍ୟରେ ଥିବା ଅନ୍ତର୍ନିହିତ ପ୍ରତିଭାର ଅନ୍ବେଷଣପୂର୍ବକ ସେମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ସମସ୍ତ ପ୍ରକାରର ଆୟୋଜନ କରାଯାଇଛି । ଏଥିରେ ଜିଲ୍ଲାସ୍ତରୀୟ ଅଧିକାରୀ ଓ ମ୍ୟାଚ୍ ଅଫିସିଆଲ୍ମାନେ ଉପସ୍ଥିତ ରହି ପ୍ରତ୍ୟେକ ପ୍ରତିଯୋଗିତାକୁ ତଦାରଖ କରୁଛନ୍ତି ।