ବାତ୍ୟା ବିପନ୍ନଙ୍କୁ ସହାୟତାର ହାତ ବଢ଼ାଇଲେ ତିନି ସଂସ୍ଥା ।

0 0

ଚିକିଟି ୦୯/୧୧(ପିପିଟି ):ଅର୍ଣ୍ଣବ ବାତ୍ୟାରେ ଗଞ୍ଜାମ ଜିଲ୍ଲାର ଚିକିଟି ବ୍ଲକ ଅନ୍ତର୍ଗତ ରାମେୟାପାଟଣା ଓ ବାଦପୁର ଗ୍ରାମର ବହୁ ପରିବାର କ୍ଷତିଗ୍ରସ୍ତ ହୋଇଛନ୍ତି। ଏହି ବିପତ୍ତି ସମୟରେ ବିପନ୍ନଙ୍କ ପାଖରେ ସହାୟତା ପହଞ୍ଚାଇ ମାନବିକତାର ପରିଚୟ ଦେଇଛନ୍ତି ତିନିଟି ସାମାଜିକ ସଂସ୍ଥା।

ଭୁବନେଶ୍ୱରସ୍ଥିତ ଇନ୍ଫୋସିସ୍ (Infosys), ଓଡ଼ିଶା ରାଇଜିଂ ଫାଉଣ୍ଡେସନ (Odisha Rising Foundation) ଏବଂ ବ୍ରହ୍ମପୁରସ୍ଥିତ ଇଣ୍ଡିଆନ୍ ସୋସାଇଟି ଫର୍ ରୁରାଲ୍ ଡେଭଲପମେଣ୍ଟ (ISRD)ର ମିଳିତ ସହଯୋଗରେ ଉକ୍ତ ଦୁଇ ଗ୍ରାମର ମୋଟ ୮୬୦ଟି ପରିବାରକୁ ରିଲିଫ୍ ସାମଗ୍ରୀ ବଣ୍ଟନ କରାଯାଇଛି। ଏଥିସହ ବାତ୍ୟାରେ ଘର ଭାଙ୍ଗିଯାଇଥିବା ୫୦ଟି ପରିବାରକୁ ଅସ୍ଥାୟୀ ଆଶ୍ରୟ ଓ ଘରର ସୁରକ୍ଷା ନିମନ୍ତେ ତାରପୋଲିନ୍ ଯୋଗାଇ ଦିଆଯାଇଛି।

ବିପର୍ଯ୍ୟୟ ସମୟରେ ଅସହାୟ ଓ କ୍ଷତିଗ୍ରସ୍ତ ପରିବାରଙ୍କ ନିକଟରେ ତୁରନ୍ତ ସହାୟତା ପହଞ୍ଚାଇବା ଏହି ମିଳିତ ପ୍ରୟାସର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଏହି ସହଯୋଗ ଫଳରେ ବାତ୍ୟା ବିପନ୍ନ ପରିବାରଗୁଡ଼ିକ କିଛି ମାତ୍ରାରେ ଆଶ୍ୱସ୍ତି ପାଇଛନ୍ତି।

ଏହି କାର୍ଯ୍ୟକ୍ରମରେ ଗ୍ରାମର ନାଇଡୁ, ବିଭିନ୍ନ କମିଟିର ସଦସ୍ୟ, ମହିଳା ଓ ଯୁବ ସଂଗଠନର କର୍ମକର୍ତ୍ତାଙ୍କ ସମେତ ଗ୍ରାମର ପରାମର୍ଶଦାତା ଏଲ୍. ଭୋଗୀରାଜ, ଗୋପାମା, ଓଡ଼ିଶା ରାଇଜିଂ ଫାଉଣ୍ଡେସନ ପକ୍ଷରୁ ଆଶୀୟନ ପ୍ରକାଶ ଓ ଆଲୋକ ପରିଚ୍ଛା ଏବଂ ISRD ପକ୍ଷରୁ ସୁଧୀର ସାବତ, ଶ୍ରୀଲକ୍ଷ୍ମୀ, ପ୍ରଭାତ ପାଢ଼ୀ, ବୈରାଗୀ ପାତ୍ର, ବଳରାମ ମଲ୍ଲିକ, ରାମକୃଷ୍ଣ ମହାପାତ୍ର, ସସ୍ମିତା, ଟି. ସୁରେଶ ଓ ଘନ ସାହୁ ପ୍ରମୁଖ ସହଯୋଗ କରିଥିଲେ।

ବିପଦ ସମୟରେ ସାମାଜିକ ଦାୟିତ୍ୱବୋଧ ଓ ସାମୂହିକ ସହଯୋଗ ହିଁ ବିପନ୍ନଙ୍କ ମନରେ ନୂଆ ଆଶା ଓ ଭରସା ସୃଷ୍ଟି କରିପାରେ ବୋଲି ଏହି ପଦକ୍ଷେପ ପ୍ରମାଣିତ କରିଛି।

ରିପୋର୍ଟ -ନିଗମାନନ୍ଦ ପଣ୍ଡା

Leave A Reply

Your email address will not be published.