ଅନ୍ଧାରରୁ ଆଲୋକକୁ, ଭୟରୁ ଅଭୟକୁ, ବୋଲଗଡ଼ରେ ମା’ ଶ୍ୟାମାକାଳୀ ପୂଜାର ଭକ୍ତି ଉତ୍ସାହ।

0 17

ବୋଲଗଡ଼, ୦୯/୧୧ (ପିପିଟି):ବୋଲଗଡ଼ ବିଭିନ୍ନ ପୂଜା ମଣ୍ଡପରେ ପବିତ୍ର ଶ୍ୟାମା କାଳୀ ପୂଜା ମହା ଆଡ଼ମ୍ବରରେ ପାଳନ ହେଉଛି । ଅମାବାସ୍ୟାର ଗାଢ ଅନ୍ଧାର ଚିରି ଚାରିଆଡେ ଜଳି ଉଠିଛି ଆଲୋକର ମାଳା ଦୀପାବଳୀ। ଆଲୋକର ଏହି ପର୍ବରେ ବୋଲଗଡ଼ ବ୍ଲକର କୋଣ ଅନୁକୋଣ ଭକ୍ତି ରସରେ ବିଭୋର। ମା’ କାଳୀ ହେଉଛନ୍ତି କେବଳ ଶକ୍ତିର ପ୍ରତୀକ ନୁହଁନ୍ତି, ସେ ହେଉଛନ୍ତି ଚେତନାର ଦେବୀ। ତାଙ୍କ ପୂଜାର ମୂଳ ମନ୍ତ୍ର “ତମସୋ ମା ଜ୍ୟୋତିର୍ଗମୟ” ଅର୍ଥାତ୍ ଅନ୍ଧାରରୁ ଆମକୁ ଆଲୋକକୁ ନେଇଯାଅ, ଭୟରୁ ଅଭୟକୁ ନେଇଯାଅ। ମଣିଷ ମନ ଭିତରେ ଥିବା ଲୋଭ, ହିଂସା, ଅହଂକାର ଓ ଅଜ୍ଞାନତା ରୂପକ ଅନ୍ଧକାରକୁ ସଂହାର କରି ଜ୍ଞାନ, ସାହସ ଓ ପ୍ରେମର ଆଲୋକ ଭରିଦେବା ହିଁ ଏହି ଆରାଧନାର ଗୂଢ ତାତ୍ପର୍ଯ୍ୟ।

ଏହି ଅବସରରେ ବୋଲଗଡ଼ ଗଣେଶ ବଜାରର ଗଡ଼ଭିତର ସାହି , ରାଜସୁନାଖଳା କୁମାରୀଛକ, ହଳଦୀପଦା ଗ୍ରାମର ବାରଦାଣ୍ଡି ସାହି ଆଦି ପୂଜା ମଣ୍ଡପ ଗୁଡିକ ଆଲୋକ ମାଳାରେ ଝଲସି ଉଠିଛି। ମା’ଙ୍କ ନୟନାଭିରାମ ମୂର୍ତ୍ତି ସମ୍ମୁଖରେ ସନ୍ଧ୍ୟାରେ ମହାଆଳତୀର ଶଙ୍ଖ-ଘଣ୍ଟା ଓ ଢୋଲ ନିନାଦରେ ପ୍ରକମ୍ପିତ ହେଉଛି ପରିବେଶ। ଶ୍ରଦ୍ଧାଳୁ ଭକ୍ତଙ୍କ ଗୋଟିଏ ହିଁ ପ୍ରାର୍ଥନା ମା’ ଆମ ଜୀବନରୁ ଅନ୍ଧାର ହରି ଆଲୋକ ଭରି ଦିଅ। ପୂଜା କମିଟି ପକ୍ଷରୁ ଏହି ଅବସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି।

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।

Leave A Reply

Your email address will not be published.