ଜୟଦେବ ଜୟନ୍ତୀ ପାଳିତ ।

0 206

ଭୁବନେଶ୍ୱର,୨୦/୦୪(ପିପିଟି):ପବିତ୍ର ଅକ୍ଷି ତୃତୀୟା ଦିବସ ଅବସରରେ ଉତ୍କଳୀୟ କବି ଜୟଦେବଙ୍କର ଜୟନ୍ତୀ ଉତ୍ସବ ବାଲିଅନ୍ତାସ୍ଥିତ ଜୟଦେବ ପୀଠରେ ପାଳିତ ହୋଇଯାଇଛି । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ସୂଚନା ଓ ଲୋକସମ୍ପର୍କ ବିଭାଗ, ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଓ ଜୟଦେବ ଫାଉଣ୍ଡେସନ୍‌ ଟ୍ରଷ୍ଟର ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି ଅବସରରେ ବିଶିଷ୍ଟ ଗବେଷକ ଲିଙ୍ଗରାଜ ଆଚାର୍ଯ୍ୟ ମୁଖ୍ୟବକ୍ତା ଭାବେ ଯୋଗଦେଇ ଜୟଦେବଙ୍କ ଜନ୍ମପୀଠ ଏବଂ ଗୀତଗୋବିନ୍ଦ ଉପରେ ଆଲୋକପାତ କରିଥିଲେ । ଜୟଦେବ ଏବଂ ତାଙ୍କ କୃତିକୁ ନେଇ ଓଡ଼ିଆ ଜାତି ଆଜି ଗର୍ବିତ । ନୂତନ ପିଢ଼ି ମଧ୍ୟରେ ଜୟଦେବଙ୍କ କୃତି ସମ୍ପର୍କରେ ପ୍ରଚାର ପ୍ରସାରର ଆବଶ୍ୟକତା ରହିଛି ବୋଲି ସେ ମତପ୍ରକାଶ କରିଥିଲେ ।

ଏହି ଅବସରରେ ବାଲିଅନ୍ତା ବିଡ଼ିଓ ରଶ୍ମିତା ନାଥ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଜିତେନ୍ଦ୍ରୀୟ ଜେନା, ଗ୍ରାମପଞ୍ଚାୟତ ଉନ୍ନୟନ ଅଧିକାରୀ ଶୁଭଶ୍ରୀ ସୌମ୍ୟଦର୍ଶିନୀ ପ୍ରମୁଖ ଉପସ୍ଥିତ ଥିଲେ । ଉପସ୍ଥିତ ଜନସାଧାରଣଙ୍କୁ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ପ୍ରକାଶିତ ଜୟଦେବଙ୍କ ଜୀବନୀ ଓ କୃତି ଆଧାରିତ ପୁସ୍ତିକା ବିତରଣ କରାଯାଇଥିଲା । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଭଜନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏଥି ସହ ଜୟଦେବ ଫାଉଣ୍ଡେସନ୍‌ ଟ୍ରଷ୍ଟ ଆନୁକୂଲ୍ୟରେ ଏକ ସଂକୀର୍ତ୍ତନ ଦଳ ଜୟଦେବ ପୀଠରୁ ବାହାରି ପୁରୀ ଅଭିମୁଖେ ଯାତ୍ରା କରିଥିଲେ । ଆଜି ପ୍ରାତଃ ସମୟରେ ଜୟଦେବପୀଠରେ ଜନ ସମାବେଶ ହୋଇଥିଲା । ଏଠାରେ ସ୍ଥାନୀୟ ଅନୁଷ୍ଠାନ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ମାନ ଆୟୋଜନ ହୋଇଥିଲା । ଏଥିରେ ସବୁବର୍ଗର ବ୍ୟକ୍ତିବିଶେଷ ସାମିଲ ହୋଇଛନ୍ତି ।

Leave A Reply

Your email address will not be published.