ମାଲକାନଗିରି, ୨୦/୦୪(ପିପିଟି):ପବିତ୍ର ଅକ୍ଷୟ ତୃତୀୟା ତଥା କୃଷକ ଦିବସ ଅବସରରେ ମାଲକାନଗିରି ଜିଲ୍ଲା କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ଏକ ଜିଲ୍ଲା ସ୍ତରୀୟ ଭବ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କୃଷି ଭିତ୍ତିକ ପରମ୍ପରାକୁ ବଜାୟ ରଖିବା ସହ ଚାଷୀମାନଙ୍କୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଆୟୋଜିତ ଏହି ଉତ୍ସବରେ ଜିଲ୍ଲାର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ କୃଷି ବିଭାଗର ବରିଷ୍ଠ ଅଧିକାରୀମାନେ ସାମିଲ ହୋଇଥିଲେ।
କାର୍ଯ୍ୟକ୍ରମର ପ୍ରାରମ୍ଭରେ ମାଲକାନଗିରି ବିଧାୟକ ନରସିଂହ ମାଡକାମୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶାସ୍ତ୍ରୀୟ ରୀତିନୀତି ଅନୁଯାୟୀ ଭୂମି ପୂଜନ କରିବା ସହ ଅକ୍ଷିମୁଠି ଅନୁକୂଳ କରିଥିଲେ। ଏହି ଅବସରରେ ନିଜ ଅଭିଭାଷଣରେ ବିଧାୟକ ଶ୍ରୀ ମାଡକାମୀ କହିଥିଲେ ଯେ, ଚାଷୀ ହେଉଛି ଆମ ଦେଶର ମେରୁଦଣ୍ଡ। ଅକ୍ଷୟ ତୃତୀୟାର ଏହି ପବିତ୍ର ଅବସରରେ ଆମେ ଚାଷୀ ଭାଇଙ୍କ ସମୃଦ୍ଧି କାମନା କରୁଛୁ। ସରକାର ସବୁବେଳେ ଚାଷୀଙ୍କ ସୁବିଧା ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରୁଛନ୍ତି ଏବଂ ପ୍ରତିଟି ଚାଷୀ ପାଖରେ ଏହି ସହାୟତା ପହଞ୍ଚାଇବା ଆମର ପ୍ରାଥମିକତା।
ଏହି ସମାରୋହରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରୀ ତାଙ୍ଗୁଲୁ, ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେ, ଅତିରିକ୍ତ ଜିଲ୍ଲାପାଳ ବେଦବର ପ୍ରଧାନ ଏବଂ ଉପଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ। ଜିଲ୍ଲାପାଳ ଶ୍ରୀ ରାଜଶିର୍କେ କୃଷି ରଥର ଶୁଭାରମ୍ଭ କରିବା ସହ ଚାଷୀମାନଙ୍କୁ ଉଦବୋଧନ ଦେଇ କହିଥିଲେ ଯେ, ଜିଲ୍ଲାର କୃଷି କ୍ଷେତ୍ରକୁ ଅଧିକ ସଶକ୍ତ କରିବା ପାଇଁ ଆମେ ପ୍ରତିବଦ୍ଧ। ଆଧୁନିକ ଜ୍ଞାନକୌଶଳ ଓ ବୈଜ୍ଞାନିକ ପଦ୍ଧତିରେ ଚାଷ କରିବା ପାଇଁ ଆମେ କୃଷି ଓ ବିଜ୍ଞାନ ରଥ ମାଧ୍ୟମରେ ପ୍ରତିଟି ଗାଁରେ ସଚେତନତା ସୃଷ୍ଟି କରୁଛୁ। ସିଏମ୍ କିଷାନ୍ ଯୋଜନାର ସହାୟତା ରାଶି ଚାଷୀଙ୍କୁ ଖରିଫ୍ ଚାଷ ପାଇଁ ବହୁତ ସହାୟକ ହେବ।
ଏଥିସହ ସାଂସଦ ପ୍ରତିନିଧି ସଞ୍ଜୟ ସରକାର, ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଅନିଲ କୁମାର ପ୍ରହରାଜ, କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ତଥା ମୁଖ୍ୟ ଡ. ଦେବୀ ପ୍ରସାଦ ଦାସ ଏବଂ ଉପ ଉଦ୍ୟାନ କୃଷି ନିର୍ଦ୍ଦେଶକ ଦୟାନିଧି ରାଉତ ପ୍ରମୁଖ ଯୋଗ ଦେଇ ଚାଷୀମାନଙ୍କ ସହ ଆଲୋଚନା କରିଥିଲେ। ରଥଗୁଡ଼ିକ ଜିଲ୍ଲାର ବିଭିନ୍ନ ପଞ୍ଚାୟତ ପରିକ୍ରମା କରି ଉନ୍ନତ ବିହନ, ସାର ପ୍ରୟୋଗ ଏବଂ ସରକାରୀ ଯୋଜନା ବିଷୟରେ ପ୍ରଚାର କରିବାର ଲକ୍ଷ୍ୟ ରଖାଯାଇଛି।
ଏହି ଅବସରରେ ଉପସ୍ଥିତ ଚାଷୀମାନେ ରାଜ୍ୟ ସ୍ତରୀୟ କୃଷକ ଦିବସ ଓ ସିଏମ୍ କିଷାନ ଯୋଜନାର ସିଧା ପ୍ରସାରଣ ଦେଖିଥିଲେ। ରାଜ୍ୟ ସରକାରଙ୍କ ପକ୍ଷରୁ ୪୨ ଲକ୍ଷ ଚାଷୀଙ୍କ ପାଇଁ ୮୩୮ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ସହାୟତା ରାଶି ଖରିଫ୍ ଚାଷ ପାଇଁ ଘୋଷଣା କରାଯାଇଛି। ଏହି କ୍ରମରେ ମାଲକାନଗିରି ଜିଲ୍ଲାର ୮୨,୩୧୦ ଜଣ ଚାଷୀଙ୍କୁ ସିଧାସଳଖ ବ୍ୟାଙ୍କ ଖାତାକୁ ସହାୟତା ରାଶି ପ୍ରଦାନ କରାଯାଇଛି। ପରିଶେଷରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି କାର୍ଯ୍ୟକ୍ରମ ସାଙ୍ଗ କରିଥିଲେ।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)