ବୋଲଗଡ଼,୦୭/୧୧(ପିପିଟି): କାର୍ତ୍ତିକ ପୂର୍ଣ୍ଣିମା ପରେ ଗୁରୁବାର ପଡିଥିବାରୁ ଆମିଷ ବଜାର ପୁରା ଫିକା ପଡିଥିଲା। ଆଜି ଶୁକ୍ରବାର ହୋଇଥିବାରୁ ଆମିଷ ବଜାରରେ ଲୋକମାନଙ୍କର ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ଏପରିକି
ଛାଡଖାଇ ପାଇଁ ଆମିଷ ବଜାରରେ ଭିଡ଼ ହେବା ସହିତ ଗ୍ରାମାଞ୍ଚଳ ମାନଙ୍କରେ ଆମିଷ ବିକ୍ରି କରୁଥିବା ବ୍ୟବସାୟୀମାନେ ଭିଡ଼ ଜମାଇବାର ଦେଖି ବାକୁ ମିଳିଥିଲା। ସକାଳୁ ସକାଳୁ ଭୁବନେଶ୍ବର, ଖୋର୍ଦ୍ଧା ବଜାରରେ ବିଭିନ୍ନ ଆମିଷ ପାଇଁ ବଜାରରେ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା । ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟି ରଖି ମାର୍କେଟରେ ମଟନ, ଚିକେନ୍ , ମାଛ , ଚିଙ୍ଗୁଡି ଆଦି ବିଭିନ୍ନ ପ୍ରକାରର ଆମିଷ ବିକ୍ରି ହେଉଛି । କାର୍ତ୍ତିକ ମାସରେ ହବିଷ ବ୍ରତ କରିଥିବା ଲୋକ ଆଜି ଆମିଷ ଖାଇବାକୁ ଅଧିକ ପସନ୍ଦ କରୁଛନ୍ତି । ଚାହିଦା ଅନୁସାରେ ଆଜି ଦାମ୍ ମଧ୍ୟ ପୂର୍ବ ଅପେକ୍ଷା ଅଧିକ ରହିଛି ।
କାର୍ତ୍ତିକ ମାସ ପାଇଁ ଦୀର୍ଘ ମାସେ ହେବ ଲୋକେ ଆମିଷ ଛାଡିଥିଲେ । କାର୍ତ୍ତିକ ମାସକୁ ଏକ ଧାର୍ମିକ ମାସ ଭାବେ ଲୋକେ ମାନୁଥିବାରୁ ଏହି ମାସରେ ଲୋକେ ଆମିଷଠାରୁ ଦୂରରେ ରହିଥାନ୍ତି । ଧର୍ମ ମାସରେ ଠାକୁରଙ୍କ ଶରଣରେ ରହି ପୂଣ୍ୟ ଅର୍ଜନ କରିଥାନ୍ତି । ଆଉ କାର୍ତ୍ତିକ ମାସ ପରେ ପାଳନ ହୋଇଥାଏ ଛାଡ଼ଖାଇ । କାର୍ତ୍ତିକ ପୂର୍ଣ୍ଣିମାର ପରଦିନକୁ ଛାଡ଼ଖାଇ ଭାବେ ପାଳନ କରାଯାଏ । କିନ୍ତୁ ଚଳିତ ବର୍ଷ କାର୍ତ୍ତିକ ପୂର୍ଣ୍ଣିମା ପରଦିନ ଗୁରୁବାର ପଡ଼ୁଥିବାରୁ ଲୋକେ ଛାଡ଼ଖାଇ ପାଳନ କରିପାରିନଥିଲେ । ଆଜି ଯେହେତୁ ଶୁକ୍ରବାର ତେଣୁ ଆଜି ଆମିଷ ବଜାରରେ ଭିଡ଼ ଜମିବା ସହିତ ଆମିଷ ପ୍ରେମୀ ମାନଙ୍କ ମନ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା।
ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।