ରାବଣ ପୋଡ଼ି ଓ ଦୁର୍ଗାପୂଜା ବିସର୍ଜନ ପାଇଁ ସୁରକ୍ଷା କଡ଼ାକଡ଼ି, ୪୩ ପ୍ଲାଟୁନ୍ ପୁଲିସ ମୁତୟନ ।

0 0

କଟକ, ୨୦/୧୦(ପିପିଟି): ବିଜୟା ଦଶମୀରେ ରାବଣ ପୋଡ଼ି ଓ କେନ୍ଦ୍ରାଞ୍ଚଳ ରେଞ୍ଜ ଅଧୀନ ବିଭିନ୍ନ ଜିଲ୍ଲାରେ ମା’ ଦୁର୍ଗାଙ୍କ ପ୍ରତିମା ବିସର୍ଜନକୁ ଶାନ୍ତିପୂର୍ଣ୍ଣ, ସୁରକ୍ଷିତ ଓ ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବା ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଏ ନେଇ କେନ୍ଦ୍ରାଞ୍ଚଳ ରେଞ୍ଜ, କଟକର ଆଇଜିପି ଡକ୍ଟର ସତ୍ୟଜିତ୍ ନାଏକ, ଆଇପିଏସ୍, ମଙ୍ଗଳବାର ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ରେଞ୍ଜ ଅଧୀନରେ ବିଭିନ୍ନ ସ୍ଥାନରେ ବିସର୍ଜନ ଶୋଭାଯାତ୍ରା ଅକ୍ଟୋବର ୨୬ ପର୍ଯ୍ୟନ୍ତ ଚାଲିବ। ଏହାକୁ ଦୃଷ୍ଟିରେ ରଖି ହୋମଗାର୍ଡଙ୍କ ସମେତ ୪୩ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯିବା ସହ ଟ୍ରାଫିକ୍ ନିୟନ୍ତ୍ରଣ, ଭିଡ଼ ପରିଚାଳନା ଓ ଆଇନଶୃଙ୍ଖଳା ରକ୍ଷା ଉପରେ ଗୁରୁତ୍ୱ ଦିଆଯାଇଛି।

କେନ୍ଦ୍ରାଞ୍ଚଳ ରେଞ୍ଜ ଅଧୀନରେ ମା’ ସାରଳା, ମା’ ଚର୍ଚ୍ଚିକା, ମା’ ଭଟ୍ଟାରିକା ଓ ମା’ ସିର୍ଲୋଙ୍କ ପରି ପ୍ରମୁଖ ଶକ୍ତିପୀଠ ସମେତ ମୋଟ ୧,୨୪୩ଟି ପୂଜା ମଣ୍ଡପରେ ଦୁର୍ଗାପୂଜା ଅନୁଷ୍ଠିତ ହୋଇଛି। ପାର୍ବଣ ଉତ୍ସବର ସୁପରିଚାଳନା ପାଇଁ ଜିଲ୍ଲା ପୁଲିସ, ଜିଲ୍ଲା ପ୍ରଶାସନ, ସ୍ଥାନୀୟ ସଂସ୍ଥା ଓ ପୂଜା କମିଟିଗୁଡ଼ିକ ସହ ସମନ୍ୱୟ ରକ୍ଷା କରାଯାଇଛି। ରାବଣ ପୋଡ଼ି ସ୍ଥଳ, ବିସର୍ଜନ ଶୋଭାଯାତ୍ରା ମାର୍ଗ, ସମ୍ବେଦନଶୀଳ ଅଞ୍ଚଳ, ପ୍ରମୁଖ ଛକ ଓ ନିର୍ଦ୍ଧାରିତ ବିସର୍ଜନ ଘାଟରେ ପର୍ଯ୍ୟାପ୍ତ ପୁଲିସ କର୍ମଚାରୀ ମୁତୟନ କରାଯାଇଛି।

ଭିଡ଼ ନିୟନ୍ତ୍ରଣ, ବ୍ୟାରିକେଡିଂ, ଅଗ୍ନିନିରାପତ୍ତା ଓ ଟ୍ରାଫିକ୍ ପରିଚାଳନାକୁ ସ୍ୱତନ୍ତ୍ର ପ୍ରାଥମିକତା ଦିଆଯାଇଛି। ଏଥିସହ ମୀନାବଜାର, ମେଳା ପଡ଼ିଆ ଓ ପାର୍କିଂ ସ୍ଥଳରେ ସୁରକ୍ଷା ବ୍ୟବସ୍ଥାକୁ ମଜବୁତ କରାଯାଇଛି। ମହିଳା, ଶିଶୁ ଓ ବରିଷ୍ଠ ନାଗରିକଙ୍କ ସୁରକ୍ଷା, ସାମ୍ପ୍ରଦାୟିକ ସଦ୍ଭାବନା ରକ୍ଷା, ପ୍ରମୁଖ ପୂଜା ମଣ୍ଡପ ଓ ବିସର୍ଜନ ସ୍ଥାନରେ ଆଲୋକୀକରଣ, ସିସିଟିଭି ନିରୀକ୍ଷଣ ଏବଂ ଅଗ୍ନିନିରାପତ୍ତା ବ୍ୟବସ୍ଥା ଉପରେ ମଧ୍ୟ ଧ୍ୟାନ ଦିଆଯାଇଛି।

ଆଇଜିପି ଡକ୍ଟର ନାଏକ କେନ୍ଦ୍ରାଞ୍ଚଳ ରେଞ୍ଜ ଅଧୀନ ସମସ୍ତ ଜିଲ୍ଲାର ଏସ୍‌ପିଙ୍କୁ ସତର୍କ ରହିବା ସହ ସମ୍ପୃକ୍ତ ବିଭାଗଗୁଡ଼ିକ ସହ ନିବିଡ଼ ସମନ୍ୱୟ ରକ୍ଷା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବିସର୍ଜନ କାର୍ଯ୍ୟ ଶେଷ ନ ହେବା ପର୍ଯ୍ୟନ୍ତ ନିୟମିତ ସ୍ଥିତି ରିପୋର୍ଟ (SITREP) ଦାଖଲ କରିବାକୁ ମଧ୍ୟ ସେ କହିଛନ୍ତି। ନିର୍ଦ୍ଧାରିତ ସମୟ ଓ ମାର୍ଗ ଅନୁସାରେ ଶୋଭାଯାତ୍ରା ସମ୍ପନ୍ନ କରିବା ସହ ବିସର୍ଜନ ଘାଟ, ଜଳାଶୟ ଓ ଜନଗହଳିପୂର୍ଣ୍ଣ ରାସ୍ତାରେ ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦେବାକୁ ସେ ପରାମର୍ଶ ଦେଇଛନ୍ତି।

ଅନ୍ୟପକ୍ଷରେ, ପୁଲିସ ପକ୍ଷରୁ ଜନସାଧାରଣ ଓ ପୂଜା କମିଟିଗୁଡ଼ିକୁ ପ୍ରଶାସନ ସହ ସହଯୋଗ କରିବା, ନିର୍ଦ୍ଧାରିତ ରାସ୍ତା ଓ ସମୟ ଅନୁସରଣ କରିବା ଏବଂ ଶୃଙ୍ଖଳା ବଜାୟ ରଖିବାକୁ ଅନୁରୋଧ କରାଯାଇଛି। ଗୁଜବ ପ୍ରଚାରରୁ ଦୂରେଇ ରହିବା ସହ କୌଣସି ସନ୍ଦେହଜନକ କାର୍ଯ୍ୟକଳାପ କିମ୍ବା ଜରୁରୀ ପରିସ୍ଥିତି ସମ୍ପର୍କରେ ନିକଟସ୍ଥ ଥାନା କିମ୍ବା ୧୧୨ ନମ୍ବରରେ ଯୋଗାଯୋଗ କରିବାକୁ କୁହାଯାଇଛି। ରାବଣ ପୋଡ଼ି ଓ ଦୁର୍ଗାପୂଜା ବିସର୍ଜନକୁ ଶାନ୍ତି, ସଦ୍ଭାବନା ଓ ଦାୟିତ୍ୱବୋଧର ସହ ସମ୍ପନ୍ନ କରିବା ପାଇଁ ଓଡ଼ିଶା ପୁଲିସ ଜନସାଧାରଣଙ୍କ ସହଯୋଗ କାମନା କରିଛି।

Leave A Reply

Your email address will not be published.