ମାଲକାନଗିରି, ୧୫/୦୧(ପିପିଟି) :ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗଙ୍କ ନିର୍ଦ୍ଦେଶ ଅନୁସାରେ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଏବଂ ଜିଲ୍ଲା ପ୍ରଶାସନ ଦ୍ଵାରା ସ୍ଥାନୀୟ ପୌର ପରିଷଦ କାର୍ଯ୍ୟାଳୟ ଠାରେ ଜିଲ୍ଲାରେ ଥିବା ୮୦ ବର୍ଷ ଓ ତଦୁର୍ଦ୍ଧ ବୃଦ୍ଧବୃଦ୍ଧା ଏବଂ ୮୦ ପ୍ରତିଶତ ଓ ତଦୁର୍ଦ୍ଧ ଥିବା ଭିନ୍ନକ୍ଷମମାନଙ୍କ ସାମାଜିକ ସୁରକ୍ଷା ଯୋଜନା ଅନ୍ତର୍ଗତ ମଧୁବାବୁ ପେନସନ ଓ ଜାତୀୟ ସାମାଜିକ ସହାୟତା ଯୋଜନାରେ ଅନ୍ତର୍ଭୁକ୍ତ କରି ମାସିକ ଭତ୍ତା ୧୨୦୦ ରୁ ବର୍ଦ୍ଧିତ ହୋଇ ୩୫୦୦ ଟଙ୍କା ଏହି ଜାନୁଆରୀ ମାସ ୧୫ ତାରିଖ ଠାରୁ ପ୍ରଦାନ କରିବା ଅବସରରେ ଏକ କାର୍ଯ୍ୟକ୍ରମ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମାଲକାନଗିରି ପୌରପରିଷଦ ଓ ମାଲକାନଗିରି ବ୍ଲକର ସମସ୍ତ ହିତାଧିକାରୀ ଯୋଗ ଦେଇଥିବା ବେଳେ ଜିଲ୍ଲାର ମୋଟ ୮୨୬ ଜଣ ଭିନ୍ନକ୍ଷମ ଓ ୪୭୩୮ ଜଣ ବୃଦ୍ଧ ବୃଦ୍ଧା ଆଜି ଠାରୁ ମାସିକ ୩୫୦୦ ଲେଖାଏଁ ଉଭୟ ଜାତୀୟ ସାମାଜିକ ସହାୟତା ଯୋଜନା ଏବଂ ମଧୁବାବୁ ପେନସନ ଯୋଜନାରେ ପାଇବେ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମାଲକାନଗିରି ବିଧାୟକ ନରସିଂହ ମାଡକାମୀ, ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ,ଉପ- ଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇ, ମାଲକାନଗିରି ପୌର ପରିଷଦ ଅଧ୍ୟକ୍ଷ ମନୋଜ ବାରିକ, ନବରଙ୍ଗପୁର ସାଂସଦ ଜିଲ୍ଲା ପ୍ରତିନିଧି ସଞ୍ଜୟ ସରକାର ଓ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ନିର୍ମଳ ଧରୁଆ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମର ଅୟୋଜନକ ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ସସ୍ମିତା ସ୍ବାଇଁ, ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରୀ ରାଜୀବ ପୂଜାରୀଙ୍କ ସମେତ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗର ସମସ୍ତ କର୍ମଚାରୀମାନେ ଉପସ୍ଥିତ ଥିଲେ।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)