ବ୍ରହ୍ମପୁର,୨୦/୦୮(ପିପିଟି): ବ୍ରହ୍ମପୁର ଉପଖଣ୍ଡ ସ୍ତରୀୟ ସ୍ଵାଧୀନତା ଦିବସ ପାଳନ ଉପଲକ୍ଷେ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ମାନପତ୍ର ଏବଂ କପ୍ ପ୍ରଦାନ ସହ ପୁରସ୍କୃତ କରାଯାଇଛି । ଏଥି ନିମନ୍ତେ ଦକ୍ଷିଣାଞ୍ଚଳ ରାଜସ୍ଵ ଆୟୁକ୍ତଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଦକ୍ଷିଣାଞ୍ଚଳ ରାଜସ୍ଵ ଆୟୁକ୍ତ ସଂଗ୍ରାମ କେଶରୀ ମହାପାତ୍ର, ସମ୍ମାନିତ ଅତିଥି ଭାବେ ଉପ ଜିଲ୍ଲାପାଳ ଅବିନାଶ କୁମାର, ଅତିରିକ୍ତ ଶାସନ ସଚିବ ରାମେଶ୍ଵର ପ୍ରଧାନ ଏବଂ ଅନୁଶାସନ ସଚିବ ସୁଶ୍ରୀ ତନୁଶ୍ରୀ ପାତ୍ର ଯୋଗ ଦେଇଥିଲେ । ବିଭିନ୍ନ ବୌଦ୍ଧିକ ପ୍ରତିଯୋଗିତାରେ କୃତିତ୍ଵ ଅର୍ଜନ କରିଥିବା ପ୍ରତିଯୋଗୀଙ୍କୁ ମୁଖ୍ୟ ଅତିଥି ପୁରସ୍କୃତ କରିବା ସହ ଆଗାମୀ ଦିନରେ ଏପରି ସଫଳତା ବଜାୟ ରଖିବାକୁ ଅନୁପ୍ରେରିତ କରିଥିଲେ । ସରକାରୀ ସେବା କ୍ଷେତ୍ରରେ ଉତ୍ସର୍ଗୀକୃତ ମନୋଭାବ ସହ କର୍ତ୍ତବ୍ୟ ସମ୍ପାଦନ କରିଥିବା ଅଧିକାରୀ ଏବଂ କର୍ମଚାରୀମାନଙ୍କୁ ମଧ୍ୟ ଏହି ଅବସରରେ ମାନପତ୍ର, ଉତ୍ତରୀୟ ଏବଂ କପ୍ ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା । ଏଥି ସହିତ ପ୍ୟାରେଡ଼ରେ ଅଂଶଗ୍ରହଣ କରି ଶ୍ରେଷ୍ଠତ୍ୱ ପ୍ରଦର୍ଶନ କରିଥିବା ପ୍ୟାରେଡ୍ ଦଳଙ୍କୁ ଦଳଗତ ଭାବେ ପୁରସ୍କୃତ କରାଯାଇଥିଲା । ନିଜର ସଂକ୍ଷିପ୍ତ ଅଭିଭାଷଣରେ ମୁଖ୍ୟ ଅତିଥି କୃତିତ୍ଵ ଅର୍ଜନ କରିଥିବା ପ୍ରତିଯୋଗୀ ଏବଂ ଅଧିକାରୀମାନଙ୍କୁ ସାଧୁବାଦ ଜଣାଇବା ସହ ଭବିଷ୍ୟତରେ ନିଜର ନିଷ୍ଠା,ପରିଶ୍ରମ ଓ ଅଧ୍ୟବସାୟ ବଳରେ ଅଧିକରୁ ଅଧିକ ସଫଳତା ହାସଲ ପୂର୍ବକ ଦେଶ ଜାତିର ଗୌରବ ବୃଦ୍ଧିରେ ସହାୟକ ହେବାକୁ ପରାମର୍ଶ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମ ପରିଚାଳନାରେ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିକ୍ରମ ମହାରଣା, ଅପରେଟର ଲୋକନାଥ ଶତପଥି, କର୍ମଚାରୀ ସୁଶାନ୍ତ କୁମାର ପଣ୍ଡା, ରବୀନ୍ଦ୍ର ସାହୁ, ତୁଷାରକାନ୍ତ ବେହେରାଙ୍କ ସମେତ ରାଜସ୍ଵ ଆୟୁକ୍ତଙ୍କ କାର୍ଯ୍ୟାଳୟର କର୍ମଚାରୀମାନେ ସହାୟତା କରିଥିଲେ ।