ସୁଦାମ ପଟ୍ଟନାୟକ ହିଞ୍ଜିଳିକାଟୁ ବ୍ଲକ ସଭାପତି ମନୋନୀତ: ବରିଷ୍ଠ କଳାକାର ସଙ୍ଘ ।

0 345

ବ୍ରହ୍ମପୁର,୩୧/୧୨(ପିପିଟି):କଳା ଓ କଳାକାର ହିତୈଷୀ ମହାମଞ୍ଚ “ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ”ର ବର୍ଷାନ୍ତ ସମାବେଶ ବ୍ରହ୍ମପୁର ଉପକଣ୍ଠ ସ୍ଥିତ ଶିଖରପୁର ଶୈବକାଳୀ ପୀଠ ପରିସରରେ ସଂଘ କାର୍ଯ୍ୟକାରୀ ସଭାପତି ଦୁର୍ଗା ପ୍ରସାଦ ଆଚାର୍ଯ୍ୟାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସର୍ବଶ୍ରୀ ସୁଦାମ ପଟ୍ଟନାୟକ, ଶଙ୍କର୍ଷଣ ସାବତ, ଯୁଦ୍ଧିଷ୍ଠିର ଗୌଡ଼, ବାବୁ ମହାନ୍ତି, ସୁବାସ ଭୂୟାଁ, ପ୍ରମୁଖ ମଞ୍ଚାସୀନ ଅତିଥି ଭାବେ ଯୋଗଦେଇ ସଂଘର କାର୍ଯ୍ୟାଧାରା ଅତୀବ ମହାର୍ହ ବୋଲି ଉପସ୍ଥାପନ କରିଥିଲେ । ଏହି ଅବସରରେ ହିଞ୍ଜିଳିକାଟୁ ବ୍ଲକ ବରିଷ୍ଠ କଳାକାର ସଂଘର ସଭାପତି ରୂପେ ସୁନାମଧନ୍ୟ ନାଟ୍ୟ ନିର୍ଦ୍ଦେଶକ ସୁଦାମ ଚରଣ ପଟ୍ଟନାୟକଙ୍କୁ ସର୍ବସମ୍ମତ କ୍ରମେ ସଭାପତି ରୂପେ ଚୟିତ କରାଯିବା ସହ ଅନ୍ୟାନ୍ୟ ଅସଂଗଠିତ ବ୍ଲକରେ ସଂଘଶାଖା ପ୍ରତିଷ୍ଠା ନିମନ୍ତେ ତତ୍ପରତା ପ୍ରକାଶ ପାଇଥିଲା। ତତ୍ ସହିତ ଜିଲ୍ଲାର ବିଭିନ୍ନ ବ୍ଲକ ଅଂଚଳରେ କଳାକାର ଭତ୍ତା ଓ ସଂଗଠନରେ ସାମିଲ କରିବା ଆଳରେ କିଛି ସଂସ୍ଥା ଓ ବ୍ୟକ୍ତିବିଶେଷ ଗ୍ରାମୀଣ କଳାକାରଙ୍କୁ ଶୋଷଣ କରୁଥିବା ନେଇ ଉଦବେଗ ପ୍ରକାଶ ପାଇବା ସହ ପ୍ରତିକାର ନିମନ୍ତେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯିବ ନେଇ ସ୍ଥିର କରାଗଲା। ସଙ୍ଘ ସହ ସମ୍ପାଦକ ବଳଦେବ ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ ମହାସଚିବ ସୁବାସ ଚନ୍ଦ୍ର ସାହୁ ରୋଶନ୍ ବର୍ଷାନ୍ତ କାର୍ଯ୍ୟକ୍ରମ ହେତୁ ଇଂରାଜୀ ନୂତନ ବର୍ଷ ୨୦୨୫ ନିମନ୍ତେ ଜଗତ କଲ୍ୟାଣ ସହ ଜଗତ ବାସୀଙ୍କ ମଙ୍ଗଳ କାମନା କରିଥିଲେ। କାର୍ଯ୍ୟକ୍ରମ ପରିଚାଳନା କ୍ଷେତ୍ରରେ ସର୍ବଶ୍ରୀ କିଶୋର ଚନ୍ଦ୍ର ମହାରଣା, ମହେନ୍ଦ୍ର କୁମାର ସାହୁ, ପ୍ରଶାନ୍ତ କୁମାର ପଟ୍ଟନାୟକ,ବଳରାମ ପ୍ରଧାନ, ପ୍ରଦୀପ କୁମାର ସାହୁ ପ୍ରମୁଖ ସହଯୋଗ କରିଥିବା ବେଳେ ହିଞ୍ଜିଳି ବ୍ଲକର ବହୁ କଳାକାର ଉପସ୍ଥିତ ଥିଲେ। ପରିଶେଷରେ ଜିତେନ୍ଦ୍ର କୁମାର ପାଣିଗ୍ରାହୀ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.