ପାଠ୍ୟପୁସ୍ତକରେ ତ୍ରୁଟିର ଉତ୍ତର ଦାୟିତ୍ବ ପାଇଁ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି ।

0 0

ଭୁବନେଶ୍ୱର,୧୬/୦୮(ପିପିଟି): ନୂଆ ପାଠ୍ୟ ପୁସ୍ତକରେ ତ୍ରୁଟି ଏବଂ କୋଟି କୋଟି ଟଙ୍କାର ଦୁର୍ନୀତିକୁ ନେଇ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବୀରେ ନବନିର୍ମାଣ ଯୁବଛାତ୍ର ସଂଗଠନ ରାଜ୍ୟ ସଂଯୋଜକ ଏମ୍.ଡ଼ି ମନଓ୍ବର ଅଲ୍ଲୀ, ଅଗଷ୍ଟ ୨୦ ତାରିଖରୁ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ଅନଶନ ସମ୍ବନ୍ଧରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ନବନିର୍ମାଣ କୃଷକ ସଂଗଠନର ପ୍ରତିଷ୍ଠାତା ତଥା ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର, ନୂଆ ପାଠ୍ୟପୁସ୍ତକରେ ଦେଖାଦେଇଥିବା ବିଭିନ୍ନ ତ୍ରୁଟିକୁ ନେଇ ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି। ଶିକ୍ଷାର୍ଥୀମାନଙ୍କ ଭବିଷ୍ୟତ ସହ ଜଡ଼ିତ ପାଠ୍ୟପୁସ୍ତକ ପ୍ରସ୍ତୁତି ଓ ପ୍ରକାଶନରେ ଏଭଳି ତ୍ରୁଟି ଗୁରୁତର ଅବହେଳାର ପରିଚୟ ବୋଲି ଶ୍ରୀ କୁମାର ଅଭିଯୋଗ କରିଛନ୍ତି। ପାଠ୍ୟପୁସ୍ତକ କେବଳ ଛାତ୍ରଛାତ୍ରୀଙ୍କ ପାଠପଢ଼ାର ମାଧ୍ୟମ ନୁହେଁ, ଏହା ସେମାନଙ୍କ ଜ୍ଞାନ, ଚିନ୍ତନଶକ୍ତି ଓ ଭବିଷ୍ୟତ ଗଠନର ଏକ ମୁଖ୍ୟ ଆଧାର। ତେଣୁ ପାଠ୍ୟପୁସ୍ତକରେ ତଥ୍ୟଗତ, ଭାଷାଗତ କିମ୍ବା ଐତିହାସିକ ତ୍ରୁଟି ରହିବା ଛାତ୍ରଛାତ୍ରୀଙ୍କ ଶିକ୍ଷା ପ୍ରତି ଗୁରୁତର ଅନ୍ୟାୟ। ଏଭଳି ତ୍ରୁଟି ସାମ୍ନାକୁ ଆସିବା ପରେ ମଧ୍ୟ ଗଣଶିକ୍ଷା ବିଭାଗ ପକ୍ଷରୁ ସ୍ପଷ୍ଟ ପଦକ୍ଷେପ ନିଆଯାଉନାହିଁ। ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଯଦି ନିଜ ବିଭାଗକୁ ଠିକ୍ ଭାବେ ପରିଚାଳନା କରିପାରୁନାହାଁନ୍ତି ତେବେ, ମନ୍ତ୍ରୀ ନିଜେ ନୈତିକତା ଦୃଷ୍ଠିରୁ ଇସ୍ତଫା ଦେଇଦିଅନ୍ତୁ ନଚେତ୍ ମୁଖ୍ୟମନ୍ତ୍ରୀ ନୈତିକତା ଦୃଷ୍ଟିରୁ ଗଣଶିକ୍ଷା ମନ୍ତ୍ରୀଙ୍କୁ ବରଖାସ୍ତ କରନ୍ତୁ। ମନ୍ତ୍ରୀ ଯଦି ଇସ୍ତଫା ନଦିଅନ୍ତି, ତେବେ ଆଗାମୀ ଦିନରେ ଲୋୟର ପିଏମଜି ଦିତୀୟ ଜନ୍ତରମନ୍ତର ହେବ ବୋଲି ଶ୍ରୀ କୁମାର ଆହ୍ବାନ ଦେଇଥିଲେ। ନବନିର୍ମାଣ ଯୁବଛାତ୍ର ସଂଗଠନ ରାଜ୍ୟ ସଂଯୋଜକ ଏମ.ଡ଼ି ମନଓ୍ବର ଅଲ୍ଲୀ କହିଥିଲେ ଯେ, ନୂଆ ପାଠ୍ୟପୁସ୍ତକରେ ବନାନ, ବ୍ୟାକରଣ ଓ ମୁଦ୍ରଣଗତ ତ୍ରୁଟି ସହିତ ବିଜ୍ଞାନ, ଇତିହାସ, ଭୂଗୋଳ ଓ ଚିତ୍ର ସମ୍ପର୍କିତ ଭୁଲ ତଥ୍ୟ ମଧ୍ୟ ରହିଛି। ପ୍ରଥମେ ୫୫ଟି ପୁସ୍ତକରେ ୧,୬୭୮ଟି ତ୍ରୁଟି ଚିହ୍ନଟ ହୋଇଥିବା ବେଳେ ବର୍ତ୍ତମାନ ୧ମ, ୨ୟ ଶ୍ରେଣୀ ପୁସ୍ତକରେ ଅସଂଖ୍ୟ ତ୍ରୁଟି ସାମ୍ନାକୁ ଆସିଛି। ଅଷ୍ଟମ ଶ୍ରେଣୀ ବିଜ୍ଞାନ ପୁସ୍ତକରେ ସାର୍ ଆଇଜାକ୍ ନ୍ୟୁଟନଙ୍କୁ ଭୁଲ ଭାବରେ “greatest pilot” ବୋଲି ଦର୍ଶାଯିବା, ନିୟମଗିରି ପାହାଡ଼କୁ ଭୁଲ ରାଜ୍ୟ ସହ ଯୋଡ଼ିବା, କର୍ଣ୍ଣାଟକ ବିଧାନସଭାର ଫଟୋକୁ ଓଡ଼ିଶା ବିଧାନସଭା ଇତ୍ୟାଦି ଭୁଲ୍ ତଥ୍ୟ ପାଠ୍ୟ ପୁସ୍ତକରେ ଦର୍ଶାଯାଇଅଛି। ଓଡ଼ିଶାର ଛାତ୍ରଛାତ୍ରୀଙ୍କ ଭବିଷ୍ୟତ, ଶିକ୍ଷା ବ୍ୟବସ୍ଥାର ସ୍ୱଚ୍ଛତା ସହିତ ନୈତିକତା ଆଧାରିତ ନିଯୁକ୍ତିଭିତ୍ତିକ ଶିକ୍ଷା ତଥା ଶିକ୍ଷା ବ୍ୟବସ୍ଥାର ଆମୁଳଚୂଳ ପରିବର୍ତ୍ତନ ପାଇଁ ଆସନ୍ତା ଅଗଷ୍ଟ ୨୦ ତାରିଖରୁ ଅନିର୍ଦ୍ଦିଷ୍ଟକାଳ ଅନଶନରେ ବସିବି। ଉକ୍ତ ଅନଶନକୁ ସମର୍ଥନ ଜଣାଇ ସତ୍ୟାଗ୍ରହକୁ ସଫଳ କରାଇବା ଉଦ୍ଦେଶ୍ୟରେ ସମସ୍ତ ଛାତ୍ରଛାତ୍ରୀ, ଯୁବ ସମାଜ, ଅବିଭାବକ, ମହିଳା, କୃଷକ, ମଜଦୂର, ବୁଦ୍ଧିଜିବୀ, ସମସ୍ତ ଗଣସଂଗଠନ ଏବଂ ବିରୋଧି ରାଜନୈତିକ ଦଳମାନଙ୍କୁ ଏଥିରେ ଯୋଗଦେବା ପାଇଁ ନିବେଦନ କରୁଛି।
ଉକ୍ତ ସାମ୍ବାଦିକ ସମ୍ମିଳନୀରେ ସଂଗଠନର ଉପଦେଷ୍ଠା ମଧୁମିତା ସାମଲ, ଭୁବନେଶ୍ବର ସଂଯୋଜକ ଅମିତ ଜେନା, ପୁରୀ ଜିଲ୍ଲା ସଂଯୋଜକ ସ୍ମୃତିରଂଜନ ସାମଲ, ଏସ.କେ ହେଦାଇ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.