ବେଗୁନିଆପଡା,୦୬/୧୧(ପିପିଟି):ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ମର୍ଦ୍ଦକୋଟ ପଞ୍ଚାୟତର କଣ୍ଟାପଡା ଗ୍ରାମରେ ଫେସବୁକରେ କମେଣ୍ଟ ମରାକୁ ନେଇ ଜଣେ ଯୁବକଙ୍କୁ ଆକ୍ରମଣ ହୋଇଥିବା ଜଣାପଡିଛି । ସୂଚନା ପ୍ରକାରେ ଫେସବୁକରେ କମେଣ୍ଟ ମରା ବିଷୟକୁ ନେଇ ସୋମବାର ଦିନ ଏହି ଗ୍ରାମର ରତ୍ନାକର ଖଟୁଆ ଓ କିଛି ଯୁବକ ଙ୍କ ସହ ବଚସା ହେବା ସହ ହାତାହାତି ହୋଇଥିଲା । ଫଳରେ ରତ୍ନାକର ସେଠାରୁ ଖସି ୧୧୨ କୁ କଲ କରି ପୋଲିସ କୁ ଜଣାଇଥିଲେ । ଖବର ପାଇ କୋଦଳା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ରତ୍ନାକରକୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ । ତେବେ ଏହି ଗ୍ରାମର କେତେଜଣ ବ୍ୟକ୍ତି ତାଙ୍କୁ ଛାଡି ନ ଥିଲେ। ଏପରି କି ପୋଲିସ ଉପସ୍ଥିତରେ ରତ୍ନାକରକୁ ଆକ୍ରମଣ କରିଥିବା ଏବଂ ପୋଲିସ ନାକେଦମ ହୋଇଥିବା ଏତଲାରୁ ଜଣାପଡିଛି । ପରେ ଗ୍ରାମର କିଛି ଭଦ୍ର ଲୋକ ଓ ପୋଲିସ ସହାୟତାରେ ରତ୍ନାକରକୁ ଉଦ୍ଧାର କରାଯାଇଥିଲା । ରତ୍ନାକର କୋଦଳା ଥାନାରେ ବାର ଜଣରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କ ନାମରେ ଏତଲା ଦେବାପରେ ପୋଲିସ ୫୩୫/୨୦୨୪ ରେ ଏକ ମାମଲା ରୁଜୁ କରିଥିଲେ । ଅନ୍ୟ ପକ୍ଷରେ ପୋଲିସକୁ ନିଜ କାର୍ଯ୍ୟରେ ବ୍ୟାଘାତ ସୃଷ୍ଟି କରିଥିବା ଓ ଆଇନକୁ ଅବମାନନା କରିଥିବା ଯୋଗୁଁ ପୋଲିସ ପକ୍ଷରୁ ୫୩୪/୨୦୨୪ ରେ ଏକ ମାମଲା ମଧ୍ୟ ରୁଜୁ କରିଥିବା ଥାନା ଅଧିକାରୀ ସୁବାଷ ଚନ୍ଦ୍ର ବେହେରା ସୂଚନା ଦେଇଛନ୍ତି । ରତ୍ନାକରକୁ କୋଦଳା ମେଡିକାଲକୁ ନେବା ପରେ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁରକୁ ସ୍ଥାନାନ୍ତରିତ କରାଯାଇଛି । ଖବର ଲେଖା ହେବା ପର୍ଯ୍ୟନ୍ତ କାହାରିକୁ ଗିରଫ କରା ନ ଯାଇଥିବା ପୋଲିସ ସୂଚନା ଦେଇଛି ।