ଅଙ୍ଗନୱାଡି କେନ୍ଦ୍ର ନିର୍ମାଣ ହୋଇ ପଡିଛି;ପିଲାମାନେ ବସୁଛନ୍ତି ଗଛ ମୂଳରେ ।

0 307

ସିମୁଳିଆ,୦୩/୧୧:ସମନ୍ବିତ ଶିଶୁ ବିକାଶ ଯୋଜନାରେ ପ୍ରତି ଅଙ୍ଗନୱାଡି କେନ୍ଦ୍ର ପାଇଁ ସ୍ଥାୟୀ ପକ୍କା ଗୃହ ଯୋଗାଇ ଦିଆ ଯାଇଛି । ହେଲେ ପ୍ରଶାସନିକ ଆନ୍ତରିକତା ଅଭାବ ଯୋଗୁଁ ଗୃହ ନିର୍ମାଣ କାର୍ଯ୍ୟ ସମ୍ପାଦନ ହୋଇ ଯାଇଥିଲେ ବି ନିର୍ମିତ ଗୃହ କାମରେ ଆସୁନି । ଏପରି ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ସିମୁଳିଆ ବ୍ଳକ ଶ୍ୟାମସୁନ୍ଦରପୁର ପଞ୍ଚାୟତର ପଂଖିଆ ଗ୍ରାମର ଥିବା ଅଙ୍ଗନୱାଡି କେନ୍ଦ୍ର । ଅଙ୍ଗନୱାଡି କେନ୍ଦ୍ର ପାଇଁ ୫ଲକ୍ଷ ଟଙ୍କା ବ୍ୟୟର ଏକ ସ୍ଥାୟୀ ପକ୍କାଗୃହ ନିର୍ମାଣ କରାଯାଇଛି । ନିର୍ମାଣ କାର୍ଯ୍ୟ ଶେଷ ହୋଇ ଯାଇଥିଲେ ମଧ୍ୟ ଏହା କାମରେ ଲାଗୁନି । ଏହି ଅଙ୍ଗନୱାଡି କେନ୍ଦ୍ରରେ ଜ୍ୟୋସ୍ନାରାଣୀ ବେହେରା କର୍ମୀଭାବେ କାର୍ଯ୍ୟ କରନ୍ତି । ବର୍ଷା ଦିନେ ଛୋଟ ପିଲାମାନେ କେତେବେଳେ ପରିତ୍ୟକ୍ତ ଗୃହରେ ତ କେତେବେଳେ ଅସୁରକ୍ଷିତ ଗଛ ମୂଳରେ ବିପଦଜନକ ଅବସ୍ଥାରେ ପାଠ ପଡୁଛନ୍ତି । ଏ ନେଇ ଗ୍ରାମବାସୀ ଓ ଅଭିଭାବକ ବାରମ୍ବାର ଅଭିଯୋଗ କରିବା ସତ୍ତ୍ବେ କୌଣସି ପଦକ୍ଷେପ ନିଆ ଯାଇନାହିଁ। କନିଷ୍ଠ ଯନ୍ତ୍ରୀଙ୍କ ନାମରେ କାର୍ଯ୍ୟାଦେଶ ଥିବା ବେଳେ ନିର୍ମାଣ କାର୍ଯ୍ୟ ସରି ଯାଇଥିଲେ ବି ତାହା କେଉଁଥି ପାଇଁ ଗୃହ ଉପଯୋଗୀ ହୋଇ ପାରି ନ ଥିବାର ସିମୁଳିଆ ସମନ୍ବିତ ଶିଶୁ ବିକାଶ ଅଧିକାରିଣୀ ସ୍ମିତା ପଣ୍ଡାଙ୍କୁ ପଚାରିବାରୁ ନୂଆ କରି କାର୍ଯ୍ୟରେ ଯୋଗଦାନ କରିଥିବାରୁ ତାଙ୍କ ନଜରକୁ ଆସି ନାହିଁ। ତେବେ ତୁରନ୍ତ ପଦକ୍ଷେପ ନେବାକୁ ପ୍ରକାଶ କରିଥିଲେ । ପିଲାଙ୍କ ସୁବିଧା ପାଇଁ ନିର୍ମିତ ଘର ସେମାନଙ୍କ କାମରେ ଲାଗୁନଥିବା ବେଳେ ଏହି ଘର କାହା ସ୍ୱାର୍ଥରେ ବୋଲି ସାଧାରଣରେ ପ୍ରଶ୍ନ ହେଉଛି ।

Leave A Reply

Your email address will not be published.