ସୁକିନ୍ଦା ଏବେ ଅସୁରକ୍ଷିତ;ବାଜିରେ ଲାଗିଛି ଶ୍ରମିକଙ୍କ ଜୀବନ-ପୁର୍ବତନ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡାଇ ।

0 287

ଯାଜପୁର,୦୨/୧୦(ପିପିଟି):ଜୁନ ୪ ତାରିଖ ପରଠାରୁ ଅଶାନ୍ତ ହୋଇ ଉଠିଥିବା ସୁନାର ସୁକିନ୍ଦା ଆଜି ଅସୁରକ୍ଷିତ ହୋଇ ପଡିଛି । ଯାହା ଫଳରେ ସାମାଜିକ ସୁରକ୍ଷା ଆଜି ଚିନ୍ତାର ବିଷୟ ହୋଇଛି । ବିଶେଷ କରି ଶ୍ରମିକ ମାନଙ୍କ ଜୀବନ ପ୍ରତି ବଡ଼ ବିପଦ ସୃଷ୍ଟି ହୋଇଛି । ନୀଳାଚଳ ଇସ୍ପାତ ନିଗମରେ ଜଣେ ଯୁବ ଶ୍ରମିକଙ୍କୁ ହତ୍ୟା କରି ମାଟି ଖୋଳି ପୋତିଦେବା ଏହାକୁ ପ୍ରମାଣିତ କରୁଛି । ବିଜେପି ସରକାର ଆସିବା ପରେ ସୁକିନ୍ଦା ଖଣି ଅଞ୍ଚଳର ଜଣେ ଶ୍ରମିକ ନେତାଙ୍କୁ ବିଜେପି ଦଳର କର୍ମୀ ମାନେ ମରଣାନ୍ତକ ଆକ୍ରମଣ କରି ଲହୁ ଲୁହାଣ କରିଥିଲେ । ଆଦିବାସୀ ଶ୍ରମିକ ନେତା ଜଣକ ଗୁରୁତର ଆହତ ହୋଇ ଦୀର୍ଘଦିନ ଧରି ଚିକିତ୍ସିତ ହୋଇ ଘରକୁ ଫେରିଲେ । ଏ ନେଇ ଥାନାରେ ଏତଲା ହେଲା । ଏହା ପରେ ଖଣି ଅଞ୍ଚଳର ଜଣେ ଶ୍ରମିକଙ୍କୁ ଖୋଲା ମେଲାରେ ଧମକ ଦିଆ ଗଲା । ଏ ନେଇ ଥାନାରେ ମଧ୍ୟ ଅଭିଯୋଗ ହେଲା । ଅନ୍ୟଏକ ଘଟଣାରେ ଜଣେ ବୟସ୍କା ମହିଳାଙ୍କୁ ତାଙ୍କ ଘର ସମ୍ମୁଖରେ ଆଶାଳୀନ ବ୍ୟବହାର କରାଗଲା । ଏ ନେଇ ମଧ୍ୟ ଥାନାରେ ଅଭିଯୋଗ ହେଲା । ସବୁ ମାମଲାରେ ପୋଲିସ ଅଭିଯୋଗ ରଖିଲା, ଶାସକ ଦଳ ଚାପରେ ଚାପି ହୋଇ ଚୁପ ବସିଲା । ଫଳ ସ୍ୱରୂପ ଆତଙ୍କ ସୃଷ୍ଟି କରୁଥିବା ବିଜେପି କର୍ମୀ ଓ ନେତା ଦ୍ଵିଗୁଣ ଉତ୍ସାହିତ ହୋଇ ପଡିଲେ । ସୁକିନ୍ଦା ମାଟିରେ ରକ୍ତର ଛିଟା ପଡିବା ସୁକିନ୍ଦା ମାଟିର ମାନ ସମ୍ମାନକୁ ତଳିତଳାନ୍ତ କରିଦେଲା । ହେଲେ ଗତକାଲିର ଘଟଣା ପୁରା ସୁକିନ୍ଦାକୁ ସ୍ତବ୍ଧ ଚକିତ କରିଦେଇଛି । ପଡୋଶୀ ଜିଲ୍ଲା ଢେଙ୍କାନାଳ ଗଁଦିଆ ଥାନା ବ୍ରହ୍ମଣବାଟି ଗ୍ରାମର ଅକ୍ଷୟ ପ୍ରଧାନଙ୍କ ପୁଅ ସିଲୁ ପ୍ରଧାନ ନିଖୋଜ ହୋଇଥିଲେ । ଏହାକୁ ନେଇ ପରିବାର ଲୋକେ ଅଭିଯୋଗ କରିଥିଲେ । ହେଲେ ଗତକାଲି ପରିବାର ଲୋକେ କାରଖାନା ସମ୍ମୁଖରେ ଧାରଣା ଦେଇଥିବା ବେଳେ କମ୍ପାନୀ କାର୍ତ୍ତୁପକ୍ଷ ସେମାନଙ୍କୁ ସେଠାରୁ ଘଉଡ଼ାଇ ବାକୁ ଉଦ୍ୟମ କରିଥିଲେ । ହେଲେ ଏ ଖବର ପାଇ ଶହ ଶହ ଗ୍ରାମବାସୀ ଏକତ୍ରିତ ହେବା କମ୍ପାନୀ କାର୍ତ୍ତୁପକ୍ଷଙ୍କୁ ଅକଳରେ ପକାଇ ଦେଇଥିଲା । ହେଲେ ଏହି ସମୟରେ ବିଜେପିର ଜଣେ ଯୁବନେତା ଘଟଣାର ସମାଧାନ କରିବାକୁ ପହଞ୍ଚିବା ଓ ଆକ୍ରୋଶର ଶିକାର ହେବା ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି କରିଥିଲା। ପ୍ରଶାସନ ସେଠାରେ ପହଞ୍ଚି ଘଟଣା ବିଷୟରେ ତଦନ୍ତ ହେବାର ପ୍ରତିଶୃତି ପରେ ତଦନ୍ତ ଆରମ୍ଭ ହୋଇଥିଲା । ତଦନ୍ତ ସମୟରେ ନିଖୋଜ ସିଲୁର ମୃତଦେହ ବେକରେ ରସି ଲଗା ହୋଇଥିବା ଅବସ୍ଥାରେ ଉଦ୍ଧାର ହୋଇଥିଲା ତାହା ପୁଣି କମ୍ପାନୀ ପରିସରରୁ । ଫଳରେ ଏହାକୁ ନେଇ କମ୍ପାନୀ କାର୍ତ୍ତୁପକ୍ଷ ଓ ସତ୍ୟମ ଏଣ୍ଟରପ୍ରାଇଜର୍ସ ସନ୍ଦେହ ଘେରକୁ ଆସିଛି । ଘଟଣାକୁ ରଫା ଦଫା କରିବାକୁ ସ୍ଥାନୀୟ କିଛି ନେତାଙ୍କୁ ହାତବାରିସୀ କମ୍ପାନୀ କରୁଥିବା ଚର୍ଚ୍ଚା ହେଉଛି । ଏହାକୁ ନେଇ ଶ୍ରମିକଙ୍କ ମଧ୍ୟରେ ଆତଙ୍କ ଖେଳିଥିଲା ବେଳେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି । ଏପରି ସ୍ଥଳେ ଏହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ । ସେ କହିଛନ୍ତି ଜୁନ ୪ ତାରିଖ ପରଠାରୁ ସୁକିନ୍ଦା ଅଶାନ୍ତ ହୋଇ ପଡ଼ିଥିଲା ବେଳେ ଏବେ ଅସୁରକ୍ଷିତ ହୋଇ ପଡିଛି । ଜଣେ ଶ୍ରମିକଙ୍କ ଜୀବନ ଯିବା ମୋତେ ମର୍ମାହତ କରିଛି । ସୁକିନ୍ଦାର ସମସ୍ତ ଶ୍ରମିକ ମୋ ପରିବାରର ସଦସ୍ୟ । ଶ୍ରମିକ ମାନଙ୍କ ସୁରକ୍ଷା ମୋର କର୍ତ୍ତବ୍ୟ । ମୃତ ଶ୍ରମିକଙ୍କୁ ପ୍ରଶାସନ ନ୍ୟାୟ ପ୍ରଦାନ କରିବା ସହିତ ତାଙ୍କ ପରିବାରକୁ କ୍ଷତି ପୂରଣ ଦେବାକୁ ସେ ଦାବି କରିଛନ୍ତି । ଏହା ସହିତ ନ୍ୟାୟ ପ୍ରଦାନରେ ଟାଳ ଟୁଳ ନୀତି ଅବଲମ୍ବନ ନକରି ତୁରନ୍ତ ଘଟଣାରେ ସଂପୃକ୍ତ ବ୍ୟକ୍ତି ମାନଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି । ଏହା ସହିତ ଯଦି ଏଥିରେ ବିଳମ୍ବ ହୁଏ ତେବେ ସେ ରାସ୍ତାକୁ ଓହ୍ଲାଇବାର ଚେତାବନୀ ମଧ୍ୟ ଦେଇଛନ୍ତି ।

Leave A Reply

Your email address will not be published.