ପାହାଡ ପର୍ବତ ଓ ପରିବେଶ ଆମ ପାଇଁ ଠାକୁର-ସତୀଶ୍ ବିଶ୍ବାଳ ।

0 349

ଯାଜପୁର,୦୨/୧୧(ପିପିଟି): ଭଗବାନ ଶ୍ରୀକୃଷ୍ଣ ପାହାଡ ପୂଜା ପରମ୍ପରା ଆରମ୍ଭ କରି ଗିରିଗୋବର୍ଦ୍ଧନ ପୂଜା କରିଥିଲେ । ଏହାଦ୍ୱାରା ପାହାଡ ପର୍ବତ ଓ ପରିବେଶ ଆମ ପାଇଁ ଠାକୁର ବୋଲି ନିଜେ ଭଗବାନ ଆମକୁ ଶିଖାଇଛନ୍ତି । ଆମ ଠାକୁର ତଥା ଭଗବାନ ରୂପକ ପାହାଡକୁ ଧ୍ୱଂସରେ ସାମିଲ ଥିବା ନେତା, ପ୍ରଶାସକ ଓ ମାଫିଆମାନେ ମଣିଷ ରୂପରେ ସୈତାନ ବୋଲି କହିଛନ୍ତି ଧର୍ମଶାଳା ପାହାଡ ପର୍ବତ ସୁରକ୍ଷା ମଞ୍ଚ ସଭାପତି ସତୀଶ ବିଶ୍ବାଳ ।

ଯାଜପୁର ଜିଲ୍ଲାର ଧର୍ମଶାଳାରେ ଗିରିଗୋବର୍ଦ୍ଧନ ପୂଜା ବାଘୁଆ ପାହାଡରେ ଶନିବାର ଦିନ ଅନୁଷ୍ଠିତ ହୋଇ ଯାଇଛି । ଏହି ଅବସରରେ ଶଙ୍ଖ,ଘଣ୍ଟ ଧ୍ଵନୀରେ ଧର୍ମଶାଳା ପାହାଡ ପର୍ବତ ସୁରକ୍ଷା ମଂଚ ତରଫରୁ ପାହାଡ ପୂଜା କରାଯାଇଥିଲା । ସଭାପତି ସତୀଶ ବିଶ୍ବାଳ ଧୂପ, ଦୀପ, ନୈବେଦ୍ୟ ପ୍ରଦାନ କରି ପୂଜା କରିଥିଲେ । ଏହାପରେ ସତୀଶ ପାହାଡ ଉପରେ ଅନୁଷ୍ଠିତ ଆଲୋଚନାରେ କହିଥଲେ ଯେ, ଅତୀତରେ ବି.ଜେ.ଡି ଶାସନରେ ପାହାଡ ଲୁଟକୁ ନିରନ୍ତର ଭାବେ ବିରୋଧ କରାଯାଇଛି । ମୋହନ ସରକାର କ୍ଷମତାକୁ ଆସିବା ପରେ ରାଜ୍ୟରେ ପ୍ରଥମ ଆନ୍ଦୋଳନ ଧର୍ମଶାଳାର ବାଘୁଆ ପାହାଡ ସୁରକ୍ଷା ପାଇଁ ଅନୁଷ୍ଠିତ ହୋଇଥିଲା । ଏହି ଆନ୍ଦୋଳନ ପାଇଁ ଶାନ୍ତିପୂର୍ଣ୍ଣ ଆନ୍ଦୋଳନକାରୀଙ୍କ ନାମରେ ମିଛ ବନ୍ଧୁକ ଧରି ଚାନ୍ଦା ମାଗିବା ଅଭିଯୋଗରେ କେସ୍ ରୁଜୁ କରାଯାଇ ଥିଲା । ହେଲେ ଶେଷରେ ଧର୍ମର ଜୟ ହେଲା । ଦୀର୍ଘ ବର୍ଷର ବାଘୁଆ ପାହାଡ ସୁରକ୍ଷା ପାଇଁ ମୋର ଲଢେଇ ସଫଳ ହେବା ସହ ବାଘୁଆର ସମସ୍ତ ଲିଜ୍ କୁ ବାତିଲ୍ କରାଗଲା । ବାଘୁଆ ମାଫିଆଙ୍କ କବଳରୁ ମୁକ୍ତି ହୋଇଥିବା ନେଇ ବାଘୁଆ ଉପରେ ସ୍ଵାଧୀନତା ଦିବସ ପାଳନ ହୋଇ ତ୍ରିରଙ୍ଗା ଉଡିଥିଲା । ଡଙ୍କାରୀରେ ୩ ଶ୍ରମିକ ମୃତ୍ୟୁ ପ୍ରସଙ୍ଗରେ ଆମର ଲଢେଇ ଅନୁସାରେ ଜରିମାନା ସହ କଠୋର ଦଫାରେ ପୋଲିସ କେସ୍ ହୋଇଛି। ବ୍ୟାପକ ଦୁର୍ନିତି ପାଇଁ ପରିବେଶଗତ କ୍ଷତି ନେଇ ଜରିମାନା କମାଇ ଦିଆଯାଇଛି । ଏଥିନେଇ ପୁନଶ୍ଚ ଆକଳନ ପାଇଁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ସରକାର ପଦକ୍ଷେପ ଗ୍ରହଣ ନକଲେ କୋର୍ଟରେ ଲଢେଇ ହେବ । ପୂର୍ବରୁ ବି.ଜେ.ଡି ସରକାରରେ ବାଘୁଆ ୧ ନଂବର ଏବଂ ୩ ନଂବର ଖାଦାନରୁ ପି.ଆର.ପି.ଏଲ କମ୍ପାନୀକୁ ବିଦା କରିଥିଲୁ । ଏଠାରେ କମ୍ପାନୀ କରିଥିବା ବହୁକୋଟି ଟଙ୍କାର ଲୁଟ୍ ନେଇ ଜରିମାନା କରାଯିବ। ରାଜ୍ୟରେ ବି.ଜେ.ପି ସରକାର କ୍ଷମତାକୁ ଆସିବା ପରେ ରାହାଡପୁରରୁ ବେଆଇନ କଳାପଥର ଲୁଟ୍ ପାଇଁ ଜଣେ ଶ୍ରମିକଙ୍କୁ ଅତ୍ୟନ୍ତ ଅନ୍ୟାୟ ଭାବେ ମାରି ଦିଆଯିବା ଘଟଣାକୁ ସରକାରୀ ଦଳ ନେତାଙ୍କ ଉଦ୍ୟମରେ ଚାପି ଦିଆ ଯାଇଛି । ଡଙ୍କାରୀ, ରାହାଡପୁର, ବାଜବାଟୀ, ବରଡା, ବିଛାଖଣ୍ଡୀ ଆଦି ପାହାଡରୁ ମୋହନ ସରକାର ନାମରେ ଲୁଟ ଚାଲିଛି । ଆରୁହା ଓ ଜାବାର ପାହାଡକୁ ଲୁଟିବା ପାଇଁ ଭାଗବାଣ୍ଟ ଛିଣ୍ଡୁନାହିଁ । ବି.ଜେ.ଡି ସରକାରର ମୁଖ୍ୟ ଲୁଟେରା ଏବେ ବି.ଜେ.ପି ସରକାରର ବାହୁଛାୟା ତଳେ ଥାଇ ଲୁଟ୍ କରିବା ସହ ନିଜ ଉପରେ ହୋଇଥବା ଜରିମାନାକୁ ଛାଡ କରିବା ଉଦ୍ୟମରେ ରହିଛନ୍ତି । ଏଥିପାଇଁ ମୋହନ ସରକାର ନାମ ବଦନାମ ହେଉଛି । ଏହାକୁ କଦାପି ବରଦାସ୍ତ କରାଯିବ ନାହିଁ ଏବଂ ମାଟିର ସ୍ୱାର୍ଥ ପାଇଁ ଲଢେଇ ଜୋରଦାର ହେବ ବୋଲି ସତୀଶ କହିଛନ୍ତି । ଏହି ଅବସରରେ ସ୍ଥାନୀୟ ଅଞ୍ଚଳର ବହୁ ପାହାଡ ଓ ପରିବେଶ ପ୍ରେମୀ ପାହାଡ ପୂଜାରେ ସାମିଲ ହୋଇଥିଲେ ।

Leave A Reply

Your email address will not be published.