ମାଲକାନଗିରି ,୨୫/୦୪(ପିପିଟି) :ମାଲକାନଗିରି ଜିଲ୍ଲା ନିର୍ବାଚନ ପ୍ରସ୍ତୁତି ନେଇ ଆଜି ଜେନେରାଲ ଓବଜରଭର ଏ ସୂର୍ୟା କୁମାରୀ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଏକ ସମୀକ୍ଷା ବୈଠକ କରିଛନ୍ତି। ଜିଲ୍ଲାରେ ନିର୍ବାଚନ ନିମନ୍ତେ ଉତ୍ତମ ରୂପେ ସମସ୍ତ ଯୋଜନା ଏବଂ ପ୍ରସ୍ତୁତି କରାଯାଇଥିବାରୁ ଜେନେରାଲ ଓବଜରଭର ନିଜର ଖୁସି ବ୍ୟକ୍ତ କରିଛନ୍ତି। ଭୋଟ ଗଣତି ନିମନ୍ତେ ସରକାରୀ ପଲିଟେକନିକ୍ ରେ ନିଆଯାଇଥିବା ପୂର୍ବ ପ୍ରସ୍ତୁତି ଦେଖି ମଧ୍ଯ ଜିଲ୍ଲା ପ୍ରଶାସନକୁ ପ୍ରଶଂସା କରିଛନ୍ତି। ହୋମ୍ ଭୋଟିଂ ସମୟରେ ଯେଉଁଭଳି ଭାବେ ସ୍ବଚ୍ଛତା ବଜାୟ ରହିବ ସେଥିପ୍ରତି ଗୁରୁତ୍ୱ ଦେବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତ ଅଧିକାରୀ ନିର୍ବାଚନ ସମ୍ବନ୍ଧୀୟ ସମସ୍ତ ନିୟମ ବିଷୟରେ ଭଲ ଭାବରେ ଅବଗତ ହେବା ପାଇଁ ମଧ୍ୟ ସେ ଗୁରୁତ୍ୱାରୋପ କରିଛନ୍ତି। ଜିଲ୍ଲାରେ ମହିଳା ଭୋଟରଙ୍କ ଅନୁପାତ ଅଧିକ ରହିଥିବା ଗଣତନ୍ତ୍ର ନିମନ୍ତେ ଏକ ଶୁଭ ସଙ୍କେତ ବୋଲି ମଧ୍ୟ ସେ କହିଛନ୍ତି। ଅଧିକରୁ ଅଧିକ କିଭଳି ଭାବେ ଜିଲ୍ଲାରେ ମତଦାନ ହାର ହୋଇପାରିବ ତାହା ସୁନିଶ୍ଚିତ କରିବା ପାଇଁ ସେଥିପ୍ରତି ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଆଗାମୀ ସାଧାରଣ ନିର୍ବାଚନ ୨୦୨୪କୁ ମୁକ୍ତ, ନିରପେକ୍ଷ, ଅବାଧ ଓ ଶାନ୍ତିପୂର୍ଣ୍ଣ ଭାବେ ସମାପନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ବୈଠକରେ ନିର୍ବାଚନ ପ୍ରସ୍ତୁତିର ବିଭିନ୍ନ ଦିଗ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଏଥିସହ ନିର୍ବାଚନ କମିଶନଙ୍କ ଆଦର୍ଶ ଆଚରଣ ବିଧିକୁ କଡ଼ାକଡ଼ି ପାଳନ କରିବାକୁ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହି ବୈଠକରେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ, ସଚିନ୍ ପାୱାର ନିର୍ବାଚନ ପ୍ରସ୍ତୁତି ନେଇ ଜେନେରାଲ ଓବଜରଭରଙ୍କୁ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ। ସୂଚନା ଥାଉ କି କୁମାରୀ ଆନ୍ଧ୍ର ପ୍ରଦେଶ ବିଜୟନଗର ଜିଲ୍ଲାପାଳ ଭାବେ ଅବସ୍ଥାପିତ ଏବଂ ଆନ୍ଧ୍ର ପ୍ରଦେଶ ରାଜ୍ୟ ସାଧାରଣ ନିର୍ବାଚନରେ ନୂତନ ଭୋଟର ପଞ୍ଜିକରଣ ଦିଗରେ ଅଭିନବ ପଦକ୍ଷେପ ଗ୍ରହଣ କରି ଭୋଟର ସଂଖ୍ୟା ବୃଦ୍ଧି କରିବାରେ ମହତ୍ତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବାରୁ ଶ୍ରେଷ୍ଠ ନିର୍ବାଚନ ଅଧିକାରୀ ଭାବେ ପୁରସ୍କୃତ ହୋଇଥିଲେ। ସେହିପରି ନିର୍ବାଚନ କାର୍ଯ୍ୟ ତଦାରଖ କରିବାରେ ସେ ଜଣେ ଦକ୍ଷ ପ୍ରଶାସକ ଭାବେ ସୁନାମ ଅର୍ଜନ କରିଛନ୍ତି। ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ, ବେଦବର ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ ସାଧାରଣ, ସୋମନାଥ ପ୍ରଧାନ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ନରେଶ ଚନ୍ଦ୍ର ଶବର, ଉପ ଜିଲ୍ଲାପାଳ, ଦୁର୍ଯ୍ୟଧନ ଭୋଇ ଓ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ, ଶ୍ରୀ ତପନ ନାରାୟଣ ରଥ ଉପସ୍ଥିତ ଥିଲେ।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)