ଭଞ୍ଜନଗର, ୧୪/୦୩(ପିପିଟି):ଆଗକୁ ଆସୁଛି ସାଧାରଣ ନିର୍ବାଚନ।ଏଥି ନିମନ୍ତେ ପୂର୍ବ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।ନିର୍ବାଚନକୁ କିଭଳି ମୁକ୍ତ, ଅବାଧ, ନିରପେକ୍ଷ ଓ ସୁରୁଖୁରୁରେ ପରିଚାଳନା କରାଯିବ ସେଥିପାଇଁ ଉପଖଣ୍ଡ ପ୍ରଶାସନ ଓ ପୁଲିସ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି।ଆଜି ଠାରୁ ଭଞ୍ଜନଗର ଉପଖଣ୍ଡର ସମସ୍ତ ପୁଲିଂ ଅଧିକାରୀମାନଙ୍କୁ ତାଲିମ ପ୍ରଦାନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।ଭଞ୍ଜନଗର ଉପଖଣ୍ଡ ପାଇଁ ୩ଟି କେନ୍ଦ୍ରରେ ସାବିତ୍ରୀ ମହିଳା ମହାବିଦ୍ୟାଳୟ, ଦୀନବନ୍ଧୁ ବେହେରା ବାଳିକା ଉଚ୍ଚ ବିଦ୍ୟାଳୟ ଓ ଶ୍ରୀବତ୍ସ ଉଚ୍ଚ ବିଦ୍ୟାଳୟ ପରିସରରେ ତାଲିମ ପ୍ରଦାନ ଆରମ୍ଭ ହୋଇଛି।ଏହା ଆସନ୍ତା ୧୯ତାରିଖ ପର୍ଯ୍ୟନ୍ତ ଚାଲିବ।ପ୍ରତ୍ୟେକ ଦିନ ପ୍ରାୟ ଏକ ହଜାର ନୂତନ ପୁଲିଂ ଅଧିକାରୀମାନଙ୍କୁ ଏଠାରେ ତାଲିମ ଦିଆଯିବ।ପୁଲିଂ ଅଧିକାରୀ ମାନେ କିଭଳି ଭୋଟ କେନ୍ଦ୍ରକୁ ଯିବେ, ସେମାନଙ୍କ ଦାୟିତ୍ବ, ଶାନ୍ତିଶୃଙ୍ଖଳାର ସହ ମତଦାନ, ସେକ୍ଟର୍ ଅଧିକାରୀଙ୍କ ସହ
ଯୋଗାଯୋଗ କରି ଦୁଇଘଣ୍ଟାକୁ ଥରେ ସୂଚନା ପ୍ରଦାନ, ଇଭିଏମ୍ ଓ ଭିଭିପାଟ୍ ସଂଯୋଗୀକରଣ, ନିର୍ବାଚନ କମିସନ୍ଙ୍କ ସମସ୍ତ ଗାଇଡଲାଇନ୍କୁ କଡ଼ାକଡ଼ି ଭାବେ ପାଳନ କରିବା ଏବଂ କଣ୍ଟ୍ରୋଲ୍ ୟୁନିଟ୍ର କାର୍ଯ୍ୟଧାରା ସମ୍ପର୍କରେ ତାଲିମ ପ୍ରଦାନ କରାଯାଇଛି।
ଶହେରୁ ଉର୍ଦ୍ଧ୍ବ ପ୍ରଶିକ୍ଷକ, ବିଡ଼ିଓ ଓ ତହସିଲଦାର ଏହି ଶିବିରରେ ତାଲିମ ପ୍ରଦାନ କରୁଛନ୍ତି। ଗଞ୍ଜାମ ଏଡିଏମ୍ ପ୍ରମୋଦ ଅଧିକାରୀ ପୃଷ୍ଟି,ଭଞ୍ଜନଗର ନିର୍ବାଚନ ଅଧିକାରୀ ଉପଜିଲ୍ଲାପାଳ ଅନୀଲ କୁମାର ସେଠୀ ପ୍ରମୁଖ ବିଭିନ୍ନ ତାଲିମ କେନ୍ଦ୍ର ବୁଲି ତଦାରଖ କରିଥିଲେ।
ରିପୋର୍ଟ- (ଜେ. କେ ପଟ୍ଟନାୟକ)