ଏଆଇକେଏମଏସ୍ ପକ୍ଷରୁ ପଟାଙ୍ଗୀ ତହସିଲ ଅଫିସ୍ ସମ୍ମୁଖରେ ବିକ୍ଷୋଭ ।

0 262

ପଟାଙ୍ଗୀ,୧୧/୦୩(ପିପିଟି):ଅଖିଳ ଭାରତ କିଶାନ୍ ମଜଦୂର ସଭା ପକ୍ଷରୁ ଆଜି ଆଠ ଦଫା ଦାବି ନେଇ ପଟାଙ୍ଗୀ ବ୍ଳକ୍ ଓ ତହସିଲ ଅଫିସ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ସଂଗଠନର ବ୍ଳକ୍ ସଭାପତି ମୁସରୀ ରାମୁଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଏଆଇକେଏମଏସ୍ ଜାତୀୟ ସମ୍ପାଦକ ଭାଲଚନ୍ଦ୍ର ଷଡ଼ଙ୍ଗୀ ମୁଖବକ୍ତା ଭାବେ ଯୋଗଦେଇଥିଲେ । ସେ ଗତ ୨୪ ବର୍ଷ ଧରି ରାଜ୍ୟରେ ସରକାରରେ ଥିବା ନବୀନ ପଟ୍ଟନାୟକଙ୍କ ବିଜେଡି ଓ କେନ୍ଦ୍ରରେ ଗତ ଦଶ ବର୍ଷ ଧରି କ୍ଷମତାରେ ଥିବା ମୋଦିଙ୍କ ବିଜେପି ସରକାର ଗରିବ ଚାଷୀ, ଆଦିବାସୀ ଓ ଦଳିତଙ୍କୁ ଜମି ଓ ଜଙ୍ଗଲ ଉପରେ ଥିବା ସେମାନଙ୍କ ନ୍ୟାୟସଙ୍ଗତ ଅଧିକାରକୁ ଦେବାରେ ବିଫଳ ହୋଇଛନ୍ତି ବୋଲି କହିଥିଲେ । ବ୍ଳକର ଜମିହୀନ ଲୋକଙ୍କୁ ଜମି ଓ ଘରବାଡ଼ି ପଟ୍ଟା, ଆଦିବାସୀମାନଙ୍କୁ ଜଙ୍ଗଲ ଜମି ପଟ୍ଟା ଦେବା, ଭାରତମାଳା ପ୍ରକଳ୍ପ ଫଳରେ ନିଜର ଜମି, ଫସଲ ଓ ଫଳନ୍ତି ଗଛ ହରାଇଥିବା କ୍ଷତିଗ୍ରସ୍ତ ଲୋକଙ୍କୁ ଉପଯୁକ୍ତ କ୍ଷତିପୂରଣ ଦେବା, ରାସ୍ତା ନିର୍ମାଣକାରୀ କମ୍ପାନୀ ପକ୍ଷରୁ ମନଇଛା ପଥର ଫୁଟାଇ ଲୋକଙ୍କ ଫସଲ,ଘର ଓ ଗୃହପାଳିତ ପଶୁଙ୍କର କ୍ଷତି କରିବା ବନ୍ଦ କରିବା, ରାଜପଥ ନିର୍ମାଣ ଫଳରେ ବନ୍ଦ ହୋଇଥିବା ଗ୍ରାମବାସୀଙ୍କ ସବୁଦିନିଆ ରାସ୍ତାର ବିକଳ୍ପ ରାସ୍ତା ଯୋଗାଇଦେବା, ଦୁର୍ଗମ ଅଞ୍ଚଳରେ ଥିବା ଆଦିବାସୀ ଗାଁଗୁଡିକୁ ପିଇବା ପାଣି ଓ ସବୁଦିନିଆ ରାସ୍ତାର ବ୍ୟବସ୍ଥା ଆଦି ଦାବିରେ ଆଜିର ବିକ୍ଷୋଭ ଓ ରାଲି ଅନୁଷ୍ଠିତ ହୋଇଥିଲା । ଏଆଇକେଏମଏସ୍ ପକ୍ଷରୁ ଆୟୋଜିତ ଏହି ବିକ୍ଷୋଭରେ ପଟାଙ୍ଗୀ ତହସିଲର ବିଭିନ୍ନ ଗାଁରୁ ଶହ ଶହ ଗରିବ ଲୋକ ବିଶେଷ କରି ଆଦିବାସୀ ଓ ଦଳିତ ଲୋକେ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟର ବ୍ଳକ୍ ସମ୍ପାଦକ ମାରି ସାନୁ,ଚାଷୀନେତା ବି. ସୀତାନ୍ନା,ଶ୍ରମିକ ନେତା କ୍ରୀଷ୍ଣା, ଆପାଲସ୍ଵାମୀ,ପୁଷ୍ପାଙ୍ଗ ପ୍ରମୁଖ ଯୋଗଦେଇ ପଟାଙ୍ଗୀ ତହସିଲର ଗରିବ ଲୋକଙ୍କ ପ୍ରତି ସରକାରଙ୍କ କ୍ରମାଗତ ଅବହେଳାକୁ ନିନ୍ଦା କରିଥିଲେ । ଏହି ଅବସରରେ ପଟାଙ୍ଗୀ ତହସିଲଦାର ଉଭୟଙ୍କୁ ଏଆଇକେଏମଏସ୍ ପକ୍ଷରୁ ସାତ ଦଫା ଦାବି ସମ୍ବଳିତ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା ।

Leave A Reply

Your email address will not be published.