ମେରୀ ମାଟି ମେରା ଦେଶ ଅମୃତ କଳସ ଶୋଭାଯାତ୍ରା ।

0 68

ମାଲକାନଗିରି, ୨୬/୧୦(ପିପିଟି):/ଆଜି ଜିଲ୍ଲା ସଦର ମହକୁମାଠାରେ ସ୍ଥାନୀୟ ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟ ଠାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ମେରୀ ମାଟି ମେରା ଦେଶ କାର୍ଯ୍ୟକ୍ରମର ଅମୃତ କଳସ ଶୋଭାଯାତ୍ରା କରାଯାଇଛି। ଏହାକୁ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସମାରୀ ତାଙ୍ଗୁଲୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଏଭଳି କାର୍ଯ୍ୟକ୍ରମ ଜନ ସାଧାରଣଙ୍କ ମଧ୍ୟରେ ଜାତୀୟତା ଭାବନା ସୃଷ୍ଟି କରିବା ସହ ଉତ୍ତର ପିଢିଙ୍କୁ ଦେଶ ମାତୃକାର ସୁରକ୍ଷା ପାଇଁ ପ୍ରେରଣା ଯୋଗାଇବ ବୋଲି ଶ୍ରୀମତୀ ତାଙ୍ଗୁଲୁ ପ୍ରକାଶ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ସାତଟି ବ୍ଲକ ଏବଂ ୧୧୧ ଟି ଗ୍ରାମ ପଞ୍ଚାୟତରୁ ମାଟି ସଂଗ୍ରହ କରାଯାଇଛି। ପ୍ରତ୍ୟେକ ଜିଲ୍ଲାରୁ ଜଣେ ଅଧିକାରୀ ଏବଂ ଜଣେ ନେହେରୁ ଯୁବ କେନ୍ଦ୍ର ସ୍ବେଚ୍ଛାସେବୀ ଏହି ମାଟି ନେଇ ଦିଲ୍ଲୀ ଗସ୍ତ କରିବେ । ଆସନ୍ତା ୩୦ ଓ ୩୧ ଅକ୍ଟୋବରରେ ଦିଲ୍ଲୀର କର୍ତ୍ତବ୍ୟ ପଥ ଠାରେ ଉଦଯାପନୀ ଉତ୍ସବ ଆୟୋଜନ ହେବ । ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ରାଜୀବ ପୂଜାରୀ ଏବଂ ଏନ ୱାଇ କେ ସ୍ବେଚ୍ଛାସେବୀ ଜଗନ୍ନାଥ ହନ୍ତାଳ ଅମୃତ କଳସ ନେଇ ଆଜି ଭୁବନେଶ୍ୱର ଗସ୍ତ କରିବେ ଏବଂ ଆସନ୍ତାକାଲି ରାଜଧାନୀରେ ହେବାକୁ ଥିବା ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେବେ । ୪୫ ରୁ ଉର୍ଦ୍ଧ୍ବ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ବୁଦ୍ଧିଜୀବୀ, ଏନୱାଇକେ ସ୍ବେଚ୍ଛାସେବୀ ସମସ୍ତେ ସ୍ଲୋଗାନ ଦେଇ ଅମୃତ କଳସ ନେଇ ଜିଲ୍ଲାପାଳ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଶୋଭାଯାତ୍ରା କରିଥିଲେ। ସେଠାରେ କଳସଟିକୁ ଜିଲ୍ଲାରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିବା ଦୁଇ ପ୍ରତିନିଧିଙ୍କୁ ହସ୍ତାନ୍ତର କରଯାଇଥିଲା।
ସୂଚନା ଥାଉ କି, ଦେଶର ସ୍ଵାଧୀନତା ଏବଂ ପ୍ରଗତିର ଯାତ୍ରାକୁ ସ୍ମରଣ କରି ମେରୀ ମାଟି ମେରା ଦେଶ କାର୍ଯ୍ୟକ୍ରମର ପରିକଳ୍ପନା କରାଯାଇଛି। ଏହା ମାଧ୍ୟମରେ ଦେଶ ପାଇଁ ସର୍ବୋଚ୍ଚ ବଳିଦାନ ଦେଇଥିବା ବୀର ପୁରୁଷ ଓ ବୀରଙ୍ଗନା ମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଉଛି। ଆଜାଦି କା ଅମୃତ ମହୋତ୍ସବର ଉଦଯାପନୀ କାର୍ଯ୍ୟକ୍ରମ ସ୍ଵରୂପ ୯ ଅଗଷ୍ଟ ୨୦୨୩ ରେ ମେରୀ ମାଟି ମେରା ଦେଶ ଅଭିଯାନର ପରିକଳ୍ପନା କରାଯାଇଥିଲା।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.