ରାତିରେ ଏକାଠି ଥିଲେ, ସକାଳେ ହତ୍ୟା କରି ଅଭିଯୁକ୍ତଙ୍କ ଆତ୍ମସମର୍ପଣ ।

0 9

ବୁର୍ଲା, ୨୭/୦୯:  ଥାନା ଅନ୍ତର୍ଗତ ଢିପାପଡ଼ା ଅଞ୍ଚଳରେ ଆଜି ସକାଳେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଛୁରୀ ଭୁସି ଓ ଇଟାରେ ଛେଚି ଜଣେ ୧୫ ବର୍ଷୀୟ ନାବାଳକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ସକାଳେ ପୋଲିସ ଢିପାପଡ଼ାର ଦୁଇଟି କୋଠା ମଝିରେ ଥିବା ଏକ ଫାଙ୍କା ସ୍ଥାନରୁ ମୃତଦେହ ଉଦ୍ଧାର କରିଛି। ମୃତ ନାବାଳକ ଜଣକ ବୁର୍ଲା ଜଗନ୍ନାଥ ମନ୍ଦିର ନିକଟ ତିଅରପଡ଼ାର ଫିରୋଜ ବେହେରା (୧୫) ବୋଲି ଚିହ୍ନଟ ହୋଇଛନ୍ତି। ଅନ୍ୟପଟେ ହତ୍ୟାକାଣ୍ଡ ଘଟାଇବା ପରେ ମୃତକଙ୍କ ପରିବାର ଓ ଆକ୍ରୋଶରୁ ଜୀବନ ବଞ୍ଚାଇବା ପାଇଁ ଦୁଇଜଣ ଅଭିଯୁକ୍ତ ଥାନାରେ ଯାଇ ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି। ଏହି ନିର୍ଦ୍ଦୟ ହତ୍ୟାକାଣ୍ଡ ପରେ ବୁର୍ଲା ସହରରେ ଚାପା ଉତ୍ତେଜନା ପ୍ରକାଶ ପାଇଛି।
ମୃତ ନାବାଳକଙ୍କ ବାପା ପ୍ରକାଶ ବେହେରାଙ୍କ ଅଭିଯୋଗ ଅନୁଯାୟୀ, ଶନିବାର ବିଳମ୍ବିତ ରାତିରେ ମଦ ଓ ନିଶାଦ୍ରବ୍ୟ ସେବନକୁ କେନ୍ଦ୍ର କରି କିଛି ଯୁବକ ଓ ନାବାଳକଙ୍କ ମଧ୍ୟରେ ଉଗ୍ର ବଚସା ସହ ହାତାହାତି ହୋଇଥିଲା। ଏହି ବିବାଦରୁ ହିଁ ତାଙ୍କ ପୁଅକୁ ହତ୍ୟା କରାଯାଇଛି। ସେ କହିଛନ୍ତି ଯେ, ଗତକାଲି ଫିରୋଜ ତା’ର ଦୁଇଜଣ ସାଙ୍ଗଙ୍କ ସହ ଥିଲା ଏବଂ ସେମାନେ ବୁର୍ଲାରେ ହୋଇଥିବା ଗଣେଶ ଭସାଣି ଦେଖିବା ପରେ ଏକ ହୁକା ବାର୍‌କୁ ମଧ୍ୟ ଯାଇଥିଲେ। ରାତିରେ ଫୋନ୍‌ କରିବାରୁ ସେ ଘରକୁ ଫେରୁଥିବା କହିଥିଲେ ମଧ୍ୟ ରାତିସାରା ଘରକୁ ଆସି ନ ଥିଲେ। ଆଜି ସକାଳେ ପୋଲିସ ମୃତଦେହ ମିଳିଥିବା ନେଇ ଖବର ଦେଇଥିଲା।
ଏହି ହତ୍ୟାକାଣ୍ଡ ପଛରେ ବେଆଇନ ନିଶା କାରବାରର ହାତ ଥିବା ସନ୍ଦେହ କରାଯାଉଛି ଏବଂ ଅନ୍ୟ କୌଣସି କାରଣ ରହିଥିବା ଅନୁମାନ କରାଯାଉଛି। ସୂଚନାଯୋଗ୍ୟ ଯେ, ଅଞ୍ଚଳରେ ନିଶା କାରବାର ବୃଦ୍ଧି ପାଉଥିବାରୁ ଦିନକୁ ଦିନ ଅପରାଧିକ କାର୍ଯ୍ୟକଳାପ ବଢ଼ିବାରେ ଲାଗିଛି। ବିଶେଷ କରି ଯୁବପୀଢ଼ି ଏହି ନିଶା ଜାଲରେ ଫସି ନିଶା ନିବାରଣ ପାଇଁ ଚୋରି ଓ ଡକାୟତି ଭଳି ନିୟମିତ ଅପରାଧରେ ଲିପ୍ତ ରହୁଥିବା ଦେଖିବାକୁ ମିଳୁଛି। ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।

Leave A Reply

Your email address will not be published.