୬ ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ, ଓଡ଼ିଶା କ୍ୟାଡରର ୪ ଜଣ ।

0 0

ମାଲକାନଗିରି,୧୩/୧୦(ପିପିଟି ):ଓଡ଼ିଶା-ଛତିଶଗଡ଼ ସୀମାନ୍ତ ଅଞ୍ଚଳରେ ମାଓବାଦୀ ସଙ୍ଗଠନକୁ ଏକ ବଡ଼ ଝଟକା ଲାଗିଛି। ଛତିଶଗଡ଼ର ବିଜାପୁର ଜିଲ୍ଲାରେ ପୁଲିସ ନିକଟରେ ୬ ଜଣ ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ସେମାନଙ୍କ ମଧ୍ୟରୁ ୪ ଜଣ ଓଡ଼ିଶା କ୍ୟାଡରର ହୋଇଥିବା ବେଳେ ଅନ୍ୟ ୨ ଜଣ ପଶ୍ଚିମ ବସ୍ତର ଡିଭିଜନର ସଦସ୍ୟ ବୋଲି ଜଣାପଡ଼ିଛି।

ଆତ୍ମସମର୍ପଣ କରିଥିବା ଓଡ଼ିଶା କ୍ୟାଡରର ୪ ଜଣ ମାଓବାଦୀ ସଙ୍ଗଠନରେ PPCM ସଦସ୍ୟ ଭାବେ କାର୍ଯ୍ୟ କରୁଥିଲେ। ସେମାନଙ୍କ ମୁଣ୍ଡ ଉପରେ ମୋଟ ୩୫ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା। ଦୀର୍ଘ ବର୍ଷ ଧରି ମାଓବାଦୀ ସଙ୍ଗଠନରେ ସକ୍ରିୟ ଥିବା ଏହି କ୍ୟାଡରମାନେ ଓଡ଼ିଶାରେ ବିଭିନ୍ନ ହିଂସାକାଣ୍ଡରେ ସମ୍ପୃକ୍ତ ଥିବା ପୁଲିସ ସୂତ୍ରରୁ ଜଣାପଡ଼ିଛି। ଓଡ଼ିଶାରେ ସେମାନଙ୍କ ଶେଷ ଠିକଣା ଗଜପତି ଜିଲ୍ଲା ଥିଲା ବୋଲି ବିଜାପୁର ଏସ୍‌ପି ସୂଚନା ଦେଇଛନ୍ତି।

ଛତିଶଗଡ଼ ସରକାରଙ୍କ ଆତ୍ମସମର୍ପଣ ନୀତିରେ ଆକର୍ଷିତ ହୋଇ ୬ ଜଣ ମାଓବାଦୀ ବିଜାପୁର ଏସ୍‌ପିଙ୍କ ନିକଟରେ ଅସ୍ତ୍ର ଛାଡ଼ି ସମାଜର ମୁଖ୍ୟସ୍ରୋତକୁ ଫେରିବାକୁ ନିଷ୍ପତ୍ତି ନେଇଛନ୍ତି। ଆତ୍ମସମର୍ପଣ ପରେ ପ୍ରତ୍ୟେକଙ୍କୁ ୫୦ ହଜାର ଟଙ୍କାର ଚେକ୍‌ ପ୍ରଦାନ କରାଯାଇଛି। ଏଥିସହ ସରକାରୀ ନୀତି ଅନୁଯାୟୀ, ସେମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ଏବଂ ପୁନର୍ବାସ ପ୍ରକ୍ରିୟାରେ ସହାୟତା ଯୋଗାଇଦେବା ପାଇଁ ସମସ୍ତ ପ୍ରକାର ସହଯୋଗ କରାଯିବ ବୋଲି ବିଜାପୁର ଏସ୍‌ପି କହିଛନ୍ତି।

Leave A Reply

Your email address will not be published.