ହାତୀ ସୁରକ୍ଷା ଦିଗହରା : ବେଲଘରରେ ପୁଣି ଏକ ଦନ୍ତା ହାତୀ ମୃତ : ୪ ମାସରେ ମଲେଣି ୩ ହାତୀ ।

0 223

କନ୍ଧମାଳ , ୧୮/୦୪(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡ ଅନ୍ତର୍ଗତ ବେଲଘର ରେଞ୍ଜର ଝିରିପାଣି ବିଟ୍ ଶିମିଳିପଦର ଜଙ୍ଗଲରେ ପୁଣି ଏକ ହାତୀର ମୃତ୍ୟୁ ଘଟିଛି। କିଛିଦିନ ହେବ କଳାହାଣ୍ଡି ଜିଲ୍ଲାରୁ ୨୬ ଟିକିଆ ହାତୀପଲ ବେଲଘର ରେଞ୍ଜ ଝିରିପାଣି ବିଟରେ ପ୍ରବେଶ କରିଥିବା ବେଳେ ପ୍ରାୟ ୧୦ ଦିନ ହେବ ଗୋଟିଏ ପରେ ଗୋଟିଏ ଜଙ୍ଗଲ ଘୁରି ବୁଲୁଥିଲେ। ହାତୀପଲରେ ଗୋଟିଏ ଦନ୍ତା ହାତୀ ଅସୁସ୍ଥ ଅବସ୍ଥାରେ ବୁଲୁଥିବା ବନବିଭାଗ କର୍ମଚାରୀ ଦେଖିବାକୁ ପାଇଥିଲେ। ହାତୀ ଅସୁସ୍ଥ ସମ୍ପର୍କରେ ବାଲିଗୁଡ଼ା ଡିଏଫଓ ଘନଶ୍ୟାମ ମହନ୍ତକୁ ଖବର ଦେବା ପରେ ଘଟଣାସ୍ଥଳରେ ଡିଏଫଓ, ଏସିଏଫ୍ ପହଞ୍ଚି ପ୍ରାଣୀ ଚିକିତ୍ସାଳୟର ଡାକ୍ତର ମାନଙ୍କ ଦ୍ୱାରା ଚିକିତ୍ସା ଆରମ୍ଭ କରିଥିଲେ | କିନ୍ତୁ ଚିକିତ୍ସା ସତ୍ତ୍ବେ ହାତୀଟି ଆଖି ବୁଜି ଦେଇଥିଲା। ସନ୍ଧ୍ୟା ହୋଇ ଯାଇଥିବାରୁ ହାତୀର ଶବ ବ୍ୟବଚ୍ଛେଦ କରାଇ ଯାଇନଥିବା ଜଣାପଡିଛି। ତେବେ ବେଲଘର ରେଞ୍ଜରେ ଗତ ୪ମାସ ଭିତରେ ୩ଟି ହାତୀ ମରିଥିବା ବେଳେ ଏହାକୁ ନେଇ ପରିବେଶବିତଙ୍କ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି । ବେଲଘର ରେଞ୍ଜରେ ଗତ ୨୦୨୫ ଡିସେମ୍ବର ୧୨ରେ ଏକ ହାତୀ ମୃତ୍ୟୁ ହୋଇଥିବା ବେଳେ ଜାନୁଆରି ୫ରେ ଆଉ ଏକ ହାତୀର ମୃତ୍ୟୁ ହୋଇଥିଲା। ହାତୀମୃତ୍ୟୁ ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। କାହିଁକି ନା ହାତୀ ମୃତ୍ୟୁ ଘଟଣାକୁ ଲୁଚାଇବାକୁ ସେତେବେଳେ ଖୋଦ୍ ବନ କର୍ମଚାରୀ ସାମିଲ ହୋଇଥିଲେ । ଏହି ଘଟଣାରେ ସେତେବେଳେ ଜଣେ ରେଞ୍ଜର ଓ ଏସିଏଫ୍ ନିଲମ୍ବିତ ହୋଇଥିଲେ । ପୁଣି ଆଜି ଏକ ହାତୀ ମୃତ୍ୟୁ ହୋଇଥିବା ବେଳେ କେଉଁ କାରଣରୁ ହାତୀଟି ମଲା ସେ ନେଇ ବନ ବିଭାଗ ପକ୍ଷରୁ ଏ ନେଇ କୌଣସି ସୂଚନା ଦିଆଯାଇ ନାହିଁ। କିନ୍ତୁ ହାତୀଟି ଗୋଠଛଡା ହୋଇ ଶିମିଳିପଦର, ମୁଣ୍ଡୁଟି ଓ ଦେଶୁଘାଟି ରାସ୍ତାକଡ଼ ଜଙ୍ଗଲରେ ବୁଲି ନପାରି ପଡ଼ି ରହୁଥିଲା ବୋଲି ସ୍ଥାନୀୟ ଗ୍ରାମବାସୀ କହିଛନ୍ତି। ଠିକ ଭାବେ ଚିକିତ୍ସା କରାଯାଇ ପାରି ନଥିବାରୁ ହାତୀଟି ହୁଏତ ପ୍ରାଣ ହରାଇଛି ବୋଲି ସ୍ଥାନୀୟ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ବନ ବିଭାଗ ପକ୍ଷରୁ ହାତୀ ସୁରକ୍ଷା ଦିଗରେ ଠିକ ପଦେକ୍ଷପ ନିଆଯାଉ ନଥିବାରୁ ୪ ମାସରେ ଏହି ରେଞ୍ଜରେ ତିନିଟି ହାତୀ ମରିବା ସବୁଠୁ ଉଦ୍‌ବେଗର ବିଷୟ ବୋଲି ସ୍ଥାନୀୟ ପରିବେଶବିତ କୌଶିକ ସାହୁ କହିଛନ୍ତି ।

ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ

Leave A Reply

Your email address will not be published.