ଏକ ଶିଶୁର ନିରୀହ ହସ ଭିତରେ ଲୁଚି ରହିଥାଏ ଏକ ସୁନ୍ଦର ଆଗାମୀ ଦିନର ସ୍ୱପ୍ନ। ତା’ର ଛୋଟ ଛୋଟ ପ୍ରଶ୍ନରେ ଥାଏ ଜାଣିବାର ଅସୀମ ଆଗ୍ରହ, ଆଖିରେ ଥାଏ ଆକାଶ ଛୁଇଁବାର ଆକାଂକ୍ଷା ଏବଂ ହୃଦୟରେ ଥାଏ ନିଷ୍କପଟ ଭଲପାଇବା। ଶିଶୁମାନେ କେବଳ ଆମ ଭବିଷ୍ୟତ ନୁହନ୍ତି, ସେମାନେ ଆମ ବର୍ତ୍ତମାନର ସବୁଠାରୁ ମୂଲ୍ୟବାନ ସମ୍ପଦ। ସେମାନଙ୍କ ସ୍ୱପ୍ନକୁ ସାକାର କରିବା, ସେମାନଙ୍କୁ ସୁରକ୍ଷିତ ପରିବେଶ ଯୋଗାଇଦେବା ଏବଂ ଜଣେ ଭଲ ମଣିଷ ଭାବେ ଗଢ଼ି ତୋଳିବା ଆମ ସମସ୍ତଙ୍କର ନୈତିକ ଦାୟିତ୍ୱ। ଏହି ମହତ୍ ଉଦ୍ଦେଶ୍ୟ ଓ ଶିଶୁମାନଙ୍କ ପ୍ରତି ସ୍ନେହ, ସମ୍ମାନ ଓ ଭଲପାଇବାର ବାର୍ତ୍ତା ନେଇ ପ୍ରତିବର୍ଷ ନଭେମ୍ବର ୧୪ ତାରିଖରେ ପାଳିତ ହୁଏ ଶିଶୁ ଦିବସ। ଏହି ଦିନଟି ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହରୁଙ୍କ ଜନ୍ମଜୟନ୍ତୀ ଭାବେ ମଧ୍ୟ ପାଳିତ ହୁଏ। ଶିଶୁମାନଙ୍କ ପ୍ରତି ତାଙ୍କର ଅଗାଢ଼ ସ୍ନେହ ଓ ଭଲପାଇବା ତାଙ୍କୁ ଶିଶୁମାନଙ୍କ ମଧ୍ୟରେ ‘ଚାଚା ନେହରୁ’ ଭାବେ ପରିଚିତ କରାଇଥିଲା।
ଶୈଶବ ହେଉଛି ଜୀବନର ସବୁଠାରୁ ସୁନ୍ଦର ଓ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ। ଏହି ସମୟରେ ଶିଶୁମାନଙ୍କ ମନରେ ଯେଉଁ ସଂସ୍କାର, ମୂଲ୍ୟବୋଧ ଓ ଜୀବନ ଦର୍ଶନର ବୀଜ ବୁଣାଯାଏ, ତାହା ଭବିଷ୍ୟତରେ ସେମାନଙ୍କ ବ୍ୟକ୍ତିତ୍ୱକୁ ଗଢ଼ିଥାଏ। ତେଣୁ ଶିକ୍ଷା କେବଳ ପାଠ୍ୟପୁସ୍ତକ ଓ ପରୀକ୍ଷାରେ ସୀମିତ ନ ରହି ସତ୍ୟନିଷ୍ଠା, ଶୃଙ୍ଖଳା, ମାନବିକତା, ସହନଶୀଳତା ଓ ସମାଜ ପ୍ରତି ଦାୟିତ୍ୱବୋଧ ସୃଷ୍ଟି କରିବା ଆବଶ୍ୟକ। ପିତାମାତା, ଶିକ୍ଷକ ଓ ସମାଜର ପ୍ରତ୍ୟେକ ବ୍ୟକ୍ତି ଶିଶୁମାନଙ୍କୁ ସ୍ନେହ, ପ୍ରୋତ୍ସାହନ ଓ ଉତ୍ତମ ମାର୍ଗଦର୍ଶନ ଦେବା ଉଚିତ। ସେମାନଙ୍କ ପ୍ରଶ୍ନକୁ ଶୁଣିବା, ଭାବନାକୁ ବୁଝିବା ଓ ପ୍ରତିଭାକୁ ଚିହ୍ନିବା ଆମର କର୍ତ୍ତବ୍ୟ। ବିଫଳତାକୁ ଭୟ ନ କରି ତାହାରୁ ଶିଖିବା ଏବଂ ପୁଣି ନୂଆ ଉତ୍ସାହରେ ଆଗକୁ ବଢ଼ିବାର ଶିକ୍ଷା ମଧ୍ୟ ସେମାନଙ୍କୁ ଦେବା ଆବଶ୍ୟକ।
କିନ୍ତୁ ଶିଶୁ ଦିବସ ପାଳନ କେବଳ ଉତ୍ସବ, ଭାଷଣ ଓ କାର୍ଯ୍ୟକ୍ରମ ମଧ୍ୟରେ ସୀମିତ ରହିବା ଉଚିତ ନୁହେଁ। ଶିଶୁ ଶ୍ରମ, ବାଲ୍ୟବିବାହ, ଶିଶୁ ନିର୍ଯାତନା, ମାନବ ଚାଲାଣ, ଶୋଷଣ ଓ ନିଶାଦ୍ରବ୍ୟର କୁପ୍ରଭାବ ଆଜି ମଧ୍ୟ ଶିଶୁଙ୍କ ଭବିଷ୍ୟତ ପାଇଁ ବଡ଼ ଆହ୍ୱାନ। ଆଧୁନିକ ଡିଜିଟାଲ ଯୁଗରେ ସାଇବର ବୁଲିଂ, ଅନଲାଇନ୍ ଠକେଇ, ଅଶ୍ଳୀଳ ବିଷୟବସ୍ତୁ ଓ ଇଣ୍ଟରନେଟ୍ର ଅପବ୍ୟବହାର ମଧ୍ୟ ଶିଶୁମାନଙ୍କ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଛି। ଏଥିପାଇଁ ଶିଶୁମାନଙ୍କୁ ଡିଜିଟାଲ ସଚେତନତା ଓ ସାଇବର ସୁରକ୍ଷା ସମ୍ପର୍କରେ ଶିକ୍ଷା ଦେବା ସହ ପିତାମାତାଙ୍କୁ ମଧ୍ୟ ସଚେତନ ରହିବାକୁ ପଡ଼ିବ। କୌଣସି ଅସୁବିଧା କିମ୍ବା ନିର୍ଯାତନାର ଶିକାର ହେଲେ ଭୟ ନ କରି ନିଜ କଥା ଖୋଲାଖୋଲି କହିବା ପାଇଁ ଶିଶୁମାନଙ୍କ ମନରେ ଆତ୍ମବିଶ୍ୱାସ ସୃଷ୍ଟି କରିବା ଦରକାର।
ପୁଲିସ ବ୍ୟବସ୍ଥାର ଦୃଷ୍ଟିକୋଣରୁ ଶିଶୁ ସୁରକ୍ଷା କେବଳ ଆଇନ ଶୃଙ୍ଖଳାର ବିଷୟ ନୁହେଁ, ଏହା ଏକ ମାନବିକ ଦାୟିତ୍ୱ। ଜଣେ ଅସହାୟ ଶିଶୁକୁ ଭୟ ନୁହେଁ, ଭରସା ଦେବା ଆମର ପ୍ରାଥମିକତା ହେବା ଉଚିତ। ଶିଶୁମାନଙ୍କ ସହ ପୁଲିସର ବ୍ୟବହାର ସ୍ନେହପୂର୍ଣ୍ଣ, ସମ୍ବେଦନଶୀଳ ଓ ସହଯୋଗମୂଳକ ହେବା ଆବଶ୍ୟକ। ବିଦ୍ୟାଳୟ ଓ ଗ୍ରାମାଞ୍ଚଳରେ ସଚେତନତା କାର୍ଯ୍ୟକ୍ରମ, ବାଲ୍ୟବିବାହ ରୋକିବା, ଶିଶୁ ଚାଲାଣ ଓ ନିର୍ଯାତନା ବିରୋଧରେ କଠୋର ପଦକ୍ଷେପ ଏବଂ ସାଇବର ସୁରକ୍ଷା ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ଅତ୍ୟନ୍ତ ଜରୁରୀ। ଶିଶୁ ସୁରକ୍ଷା କେବଳ ପୁଲିସ କିମ୍ବା ସରକାରଙ୍କ ଦାୟିତ୍ୱ ନୁହେଁ; ପରିବାର, ଶିକ୍ଷାନୁଷ୍ଠାନ, ସାମାଜିକ ସଂଗଠନ ଓ ସମାଜର ପ୍ରତ୍ୟେକ ନାଗରିକ ଏଥିରେ ସାମିଲ ହେବା ଆବଶ୍ୟକ।
ଏହି ଶିଶୁ ଦିବସରେ ଆସନ୍ତୁ, ଆମେ ସମସ୍ତେ ଏକ ସଂକଳ୍ପ ନେବା—କୌଣସି ଶିଶୁ ଯେପରି ଶିକ୍ଷାରୁ ବଞ୍ଚିତ ନ ହୁଏ, କେହି ଶିଶୁ ଶ୍ରମ କରିବାକୁ ବାଧ୍ୟ ନ ହୁଏ, କୌଣସି ଶିଶୁ ନିର୍ଯାତନାର ଶିକାର ନ ହୁଏ ଏବଂ ପ୍ରତ୍ୟେକ ଶିଶୁ ନିଜ ସ୍ୱପ୍ନକୁ ସାକାର କରିବାର ସୁଯୋଗ ପାଉ। ଶିଶୁଙ୍କୁ କେବଳ ସୁବିଧା ନୁହେଁ, ସୁଯୋଗ ଦେବା; କେବଳ ଉପଦେଶ ନୁହେଁ, ପ୍ରେରଣା ଦେବା ଏବଂ କେବଳ ସୁରକ୍ଷା ନୁହେଁ, ନିଜ ମତ ପ୍ରକାଶ କରିବାର ସ୍ୱାଧୀନତା ଦେବା ଆମର ଲକ୍ଷ୍ୟ ହେବା ଉଚିତ। କାରଣ ପ୍ରତ୍ୟେକ ଶିଶୁ ଭିତରେ ରହିଛି ଏକ ଅସୀମ ସମ୍ଭାବନା। ସେହି ସମ୍ଭାବନାକୁ ଚିହ୍ନି ତାହାର ବିକାଶ ପାଇଁ ସୁଯୋଗ ସୃଷ୍ଟି କରିବା ଆମ ସମସ୍ତଙ୍କ ଦାୟିତ୍ୱ।
ଶିଶୁଙ୍କୁ ସୁରକ୍ଷା ଦେବା ଅର୍ଥ ମାନବିକତାକୁ ସୁରକ୍ଷା ଦେବା। ଶିଶୁଙ୍କୁ ଶିକ୍ଷିତ କରିବା ଅର୍ଥ ରାଷ୍ଟ୍ରକୁ ସଶକ୍ତ କରିବା। ଆଉ ଶିଶୁଙ୍କ ସ୍ୱପ୍ନକୁ ସମ୍ମାନ ଦେବା ଅର୍ଥ ଏକ ସୁନ୍ଦର ଓ ସମୃଦ୍ଧ ଭବିଷ୍ୟତ ଗଢ଼ିବା।