ଲକ୍ଷ୍ମୀ ମନ୍ଦିର ନିର୍ମାଣ ପାଇଁ ପୁରୀରୁ ଦିଲ୍ଲୀ ପଦଯାତ୍ରା ।

0 12

ପାଗା,୨୭/୦୯(ପିପିଟି): ଘନ ଅନ୍ଧାର ରାତି। ଚାରିଆଡ଼େ ନିଶ୍ଶବ୍ଦ। ନିର୍ଜନ ରାଜରାସ୍ତାରେ ଦୂରରୁ ହଠାତ୍ ନଜର ପଡ଼ିଲା ଜଣେ ବ୍ୟକ୍ତିଙ୍କ ଉପରେ। ଅନ୍ଧାର ଯୋଗୁଁ ଠିକ୍ ଭାବେ ଚିହ୍ନିବା ସମ୍ଭବ ହେଉନଥିଲା। ତଥାପି ଦେଖାଯାଉଥିଲା—ଜଣେ ବ୍ୟକ୍ତି ଧୀରେ ଧୀରେ ଚାଲି ଚାଲି ଆସୁଛନ୍ତି। ହାତରେ ଧରିଥିଲେ ଏକ ପତାକା। ନିକଟକୁ ଆସିବା ପରେ ଦେଖାଗଲା, ତାହା ଥିଲା ପ୍ରଭୁ ଜଗନ୍ନାଥଙ୍କ ପତିତପାବନ ପତାକା। ଦେହରେ ଥିଲା ଗୋଟିଏ ଧଳା ଗଞ୍ଜି ଓ ନାଲିଆ ଗାମୁଛା, ପାଦରେ ଚପଲ। ଗୋଟିଏ ପାଦ ଫୁଲିଯାଇଥିବା ପରି ଲାଗୁଥିଲା। ଥକା ଶରୀର, କଷ୍ଟରେ ପଡ଼ୁଥିବା ପ୍ରତିଟି ପାଦ। ଚାଲିବା ବେଳେ ତାଙ୍କ କାନ୍ଧରେ କିଛି ଭାର ମଧ୍ୟ ଥିବା ଦେଖାଯାଉଥିଲା। ପାଦରେ ଫୋଟକା ହୋଇଯାଇଥିବା ପରି ଲାଗୁଥିଲା। ଯନ୍ତ୍ରଣା ସ୍ପଷ୍ଟ ବାରି ହେଉଥିଲା। ତଥାପି ସେ ଅଟକୁନଥିଲେ। ଅନ୍ଧାର ରାତିରେ ଏମିତି କଷ୍ଟ ସହି କାହିଁକି ସେ ଚାଲୁଛନ୍ତି? ପୁଣି ହାତରେ ପତିତପାବନ ପତାକା କାହିଁକି?

ଏହି ପ୍ରଶ୍ନ ମନରେ ବାରମ୍ବାର ଉଙ୍କି ମାରୁଥିଲା। ଶେଷରେ ତାଙ୍କୁ ପଚାରିବାରୁ ଉତ୍ତର ଶୁଣିବା ପରେ ସାମ୍ନାକୁ ଆସିଲା ଏକ ଅତ୍ୟନ୍ତ ଭାବପ୍ରବଣର କାହାଣୀ। ସେ ହେଉଛନ୍ତି ଯାଜପୁର ଜିଲ୍ଲା ପାଣିକୋଇଲି ଅଞ୍ଚଳର ଦେବଦତ୍ତ ରାୟ। ମା ଲକ୍ଷ୍ମୀଙ୍କର ମନ୍ଦିର ନିର୍ମାଣ ପାଇଁ ସେ ଶ୍ରୀକ୍ଷେତ୍ରରୁ ଦିଲ୍ଲୀ ପଦଯାତ୍ରାରେ ବାହାରିଛନ୍ତି। ଏବଂ ଦିଲ୍ଲୀ ରେ ପହଞ୍ଚି ମହାମହିମ ରାଷ୍ଟ୍ରପତିଙ୍କ ସହ ସାକ୍ଷାତ କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କୁ ମଧ୍ୟ ସାକ୍ଷାତ କରି ମନ୍ଦିର ନିର୍ମାଣ ଓ ଶାନ୍ତିର ବାର୍ତ୍ତା ସମ୍ପର୍କରେ ଅବଗତ କରାଇବେ।

ତେବେ ଦେବଦତ୍ତ ରାୟଙ୍କ ଜୀବନର ଲକ୍ଷ୍ୟ ଏବେ ଗୋଟିଏ, ମାଆଙ୍କ ପାଇଁ ଏକ ଭବ୍ୟ ମନ୍ଦିର ନିର୍ମାଣ କରିବା। ମାଆଙ୍କ ମନ୍ଦିର ନିର୍ମାଣକୁ ନେଇ ସେ ଯେଉଁ ସ୍ୱପ୍ନ ଦେଖିଥିଲେ, ତାହାକୁ ସାକାର କରିବା ରାସ୍ତାରେ ଅନେକ ବାଧାବିଘ୍ନ ଆସିଥିଲା। ଏହି ବାଧା ଦୂର କରିବା ପାଇଁ ସେ ସାଧୁସନ୍ଥ, ପଣ୍ଡିତ ଓ ବ୍ରାହ୍ମଣମାନଙ୍କ ପରାମର୍ଶ ନେଇଥିଲେ।
ସେମାନଙ୍କ ପରାମର୍ଶ ଥିଲା—
“ତୁମେ ଯାଅ, ଭିକ୍ଷା କର। ସେହି ଭିକ୍ଷା ମାଧ୍ୟମରେ ମାଆଙ୍କ ଭବ୍ୟ ମନ୍ଦିର ନିର୍ମାଣ ହେବ।”
ସେହି ପରାମର୍ଶକୁ ନିଜ ଜୀବନର ସଂକଳ୍ପ କରିନେଇଛନ୍ତି ଦେବଦତ୍ତ। ଆଜି ମାଆ ଅସ୍ଥାୟୀ ମନ୍ଦିରରେ ପୂଜା ପାଉଛନ୍ତି। ଭକ୍ତମାନେ ମାଆଙ୍କ ଦର୍ଶନ କରୁଛନ୍ତି। କିନ୍ତୁ ଦେବଦତ୍ତଙ୍କ ମନରେ ରହିଛି ଗୋଟିଏ ବଡ଼ ସ୍ୱପ୍ନ—ମାଆଙ୍କ ପାଇଁ ଏକ ଭବ୍ୟ ମନ୍ଦିର। ସେହି ସ୍ୱପ୍ନକୁ ସାକାର କରିବା ପାଇଁ ସେ ଆଜି ରାତି-ଦିନ ଚାଲୁଛନ୍ତି। ପାଦରେ ଫୋଟକା ହେଉ, ଯନ୍ତ୍ରଣା ହେଉ, ଶରୀର ଥକିଯାଉ—ତଥାପି ତାଙ୍କ ପାଦ ଅଟକୁନାହିଁ। ହାତରେ ପତିତପାବନ ପତାକା, ମନରେ ମାଆଙ୍କ ପାଇଁ ଅଟୁଟ ବିଶ୍ୱାସ ଏବଂ ଆଖିରେ ଭବ୍ୟ ମନ୍ଦିରର ସ୍ୱପ୍ନ। ଦେବଦତ୍ତଙ୍କ ଏହି କାହାଣୀ ଶୁଣିବା ପରେ ଆମ ପ୍ରତିନିଧିଙ୍କ ଆଖିରୁ ମଧ୍ୟ ଅଜାଣତରେ ଲୁହ ଝରିଆସିଥିଲା।
କିଏ ଏହି ଦେବଦତ୍ତ? କାହିଁକି ନିଜ ସୁଖସ୍ୱାଚ୍ଛନ୍ଦ୍ୟକୁ ଭୁଲି ଅନ୍ଧାର ରାତିରେ ଏମିତି ଚାଲୁଛନ୍ତି? କାହିଁକି ହାତରେ ଧରିଛନ୍ତି ପତିତପାବନ ପତାକା?
ଏହାର ଉତ୍ତର ଖୋଜିବାକୁ ଯାଇ ଧୀରେ ଧୀରେ ସାମ୍ନାକୁ ଆସିଲା ଦେବଦତ୍ତ ରାୟଙ୍କ ସଂଘର୍ଷ ଓ ସଂକଳ୍ପର ସମ୍ପୂର୍ଣ୍ଣ କାହାଣୀ।
ଦେବଦତ୍ତ ରାୟଙ୍କ ଜନ୍ମ ଯାଜପୁର ଜିଲ୍ଲା ପାଣିକୋଇଲି ଅଞ୍ଚଳର ଅଳତିରି ଗ୍ରାମରେ। ପିଲାଦିନରୁ ବଡ଼ ଦୁଷ୍ଟ ଥିବା ପିଲାଟି ହିଁ ସାଧୂ ସନ୍ଥଙ୍କ ସହ ମିଶି ଧାର୍ମିକ ପରିବେଶରେ ବଦଳି ଯାଇଛି ତାହାର ଅତୀତ | ଜୀବନରେ ଏବେ ମାଆଙ୍କ ମନ୍ଦିର ନିର୍ମାଣ ହିଁ ସବୁଠାରୁ ବଡ଼ ସଂକଳ୍ପ। ପାଦର ଯନ୍ତ୍ରଣା ତାଙ୍କୁ ଅଟକାଇ ପାରୁନାହିଁ। ଅନ୍ଧାର ରାତି ତାଙ୍କୁ ଭୟଭୀତ କରୁନାହିଁ।
କାରଣ ତାଙ୍କ ଆଗରେ ରହିଛି ଗୋଟିଏ ସ୍ୱପ୍ନ ମାଆଙ୍କ ପାଇଁ ଭବ୍ୟ ମନ୍ଦିର ନିର୍ମାଣ କରିବା। ତେବେ ଏହି ପରୀପ୍ରେକ୍ଷୀରେ କଟକ ଜିଲ୍ଲା ଗ୍ରାମୀଣ ବିଜେପି ଉପସଭାପତି ହିମାଂଶୁ ମହାନ୍ତି ତାଙ୍କୁ ଭେଟି ତାଙ୍କର ଏହି କାର୍ଯ୍ୟକୁ ପ୍ରଶଂସା କରିବା ସହିତ ତାଙ୍କୁ ସହଯୋଗ ର ହାତ ବଢ଼ାଇଥିଲେ।

Leave A Reply

Your email address will not be published.