ଭଞ୍ଜନଗର, ୧୯/୦୪(ପିପିଟି ):ତାଲୁକ ଆଇନ ସେବା କମିଟି, ଭଞ୍ଜନଗର ତରଫରୁ ମୁଦୁଲିପଲ୍ଲୀ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ଆଜି ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସାଧାରଣ ଲୋକଙ୍କୁ ଆଇନଗତ ଅଧିକାର ଓ ସରକାରୀ କଲ୍ୟାଣ ଯୋଜନା ବିଷୟରେ ସଚେତନ କରିବା।ଏଥିରେ ଭଞ୍ଜନଗର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ତଥା ତାଲୁକ ଆଇନ ସେବା କମିଟିର ଅଧ୍ୟକ୍ଷ ଶେଖ୍ ମହମ୍ମଦ କଏସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉପସ୍ଥିତ ଜନସାଧାରଣଙ୍କୁ ଆଇନ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଇଥିଲେ। ସିନିୟର ସିଭିଲ ଜଜ୍ ଦେବାଶିଷ ବିଶୋୟୀ, ଏସ୍.ଡି.ଜେ.ଏମ୍ ସୌମ୍ୟ ରଞ୍ଜନ ପୃଷ୍ଟି ଓ ଜେ.ଏମ୍.ଏଫ୍.ସି ଭିୟେନା ନାୟକ,ଉପଜିଲ୍ଲାପାଳ ଉମା ଶଙ୍କର ବେହେରା ଓ ସହକାରୀ ଜିଲ୍ଲାପାଳ ରାମ ଚନ୍ଦ୍ର ମହାପାତ୍ର ଉପସ୍ଥିତ ରହି ଆଇନ ସମ୍ପର୍କିତ ବିଭିନ୍ନ ଦିଗକୁ ନେଇ ଆଲୋଚନା କରିଥିଲେ। ତାଲୁକ ଆଇନ ସେବା କମିଟି ସଦସ୍ୟ ଡ଼ଃ ପୂର୍ଣ୍ଣ ଚନ୍ଦ୍ର ତ୍ରିପାଠୀ ଓ ସଦସ୍ୟା ଅଳକା ମଞ୍ଜରି ପଟ୍ଟନାୟକ ଆଇନ ସେବାର ବିଭିନ୍ନ ପ୍ରାସଙ୍ଗିକ ବିଷୟ ଉପରେ ଲୋକମାନଙ୍କୁ ସଚେତନ କରିଥିଲେ।ଏହି ଅବସରରେ ଭାରତୀୟ ନାଗରିକ ସୁରକ୍ଷା ସଂହିତା, ୨୦୨୩ ଅନୁସାରେ ଏଫ୍.ଆଇ.ଆର୍, ଜାମିନ, ସମନ୍, ୱାରେର୍ଣ୍ଟ, ଆଇନଜୀବୀ ସହାୟତା, ଅପିଲ୍ ଓ ପ୍ଲି ବାର୍ଗେନିଂ ଆଦି ବିଷୟରେ ଆଲୋଚନା ହୋଇଥିଲା।ଯୌତୁକ ନିଷେଧ ଆଇନ ଓ ଘରୋଇ ହିଂସା ନିରୋଧ ଆଇନ ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଇଥିଲା।ସମାଜରେ ଆଇନ ସମ୍ପର୍କରେ ସୂଚନା ବୃଦ୍ଧି ପାଇଁ ଏପରି କାର୍ୟକ୍ରମ ଆବଶ୍ୟକ ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ।
ମୁଦୁଲିପଲ୍ଲୀ ସରପଞ୍ଚ କାହ୍ନୁ ଚରଣ ପ୍ରଧାନ ଓ ଗ୍ରାମ ପଞ୍ଚାୟତ ଅଧିକାରୀମାନେ କାର୍ୟକ୍ରମରେ ସହଯୋଗ କରିଥିଲେ। ବହୁ ସଂଖ୍ୟକ ଗ୍ରାମବାସୀମାନେ କାର୍ୟକ୍ରମରେ ଯୋଗ ଦେଇଥିଲେ।
ରିପୋର୍ଟ -(ଜେ.କେ ପଟ୍ଟନାୟକ)