ମାଲକାନଗିରି ପୌରାଞ୍ଚଳର ବିଭିନ୍ନ ସମସ୍ୟାକୁ ନେଇ ଆଲୋଚନା ।

0 254

ମାଲକାନଗିରି,୦୨/୦୮(ପିପିଟି): ମାଲକାନଗିରି ଉପ – ଜିଲ୍ଲାପାଳ ଅକ୍ଷୟ କୁମାର ଖେମୁଣ୍ଡୁଙ୍କ ଅଧ୍ୟକ୍ଷତାରେ ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ,ପୌରାଞ୍ଚଳର ବିଭିନ୍ନ ସମସ୍ୟା ଓ ତା’ର ସମାଧାନ ନିମନ୍ତେଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ମାଲକାନଗିରି ପୌରପରିଷଦ ଅଧକ୍ଷ ମନୋଜ କୁମାର ବାରିକ, ନିର୍ବାହୀ ଅଧିକାରୀ ଅଶୋକ ଚକ୍ରବର୍ତ୍ତୀ, ତହସିଲଦାର ରାଖାଲ ଚନ୍ଦ୍ର ପରିଡା, ଉପଖଣ୍ଡ ଯନ୍ତ୍ରୀ ( ରାସ୍ତା ଓ ଗୃହନିର୍ମାଣ ବିଭାଗ ) ‌)ଅଭିଷେକ ସେଠୀ, ଭାରପ୍ରାପ୍ତ ଥାନା ଅଧିକାରୀ ରିଗାନ କିଣ୍ଡୋ, ଏମଭିଆଇ ବିଭୂତି ରଞ୍ଜନ ନାୟକ, ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଜାତୀୟ ରାଜପଥ, ରାମଚନ୍ଦ୍ର ସେଠୀ, ମାଲକାନଗିରି ଚାମ୍ବର୍ସ ଅଫ କମର୍ସ ର କର୍ମକର୍ତ୍ତା ,ଜୟ ମା ଦୂର୍ଗା ଜିଲ୍ଲା ଟ୍ୟାକ୍ସି ଚାଳକ ସଂଘର କର୍ମକର୍ତ୍ତା, ଘରୋଇ ବସ ସଂଘ ମାଲକାନଗିରିର କର୍ମକର୍ତ୍ତା ଏବଂ ପୈାରପରିଷଦର ମୁଖ୍ୟ କିରାଣୀ ଧରଣୀଧର ନାୟକ ଯୋଗଦେଇ, ମାଲକାନଗିରି ସହରର ବିଭିନ୍ନ ସମସ୍ୟା ଉପରେ ଆଲୋଚନ କରିଥିଲେ । ବେଆଇନ ପାର୍କିଂ ଏବଂ ଟ୍ରାଫିକ ସମସ୍ୟା, ବେପରୁଆ ଭାବରେ ଗାଡ଼ି ଏବଂ ବାଇକ୍ ଚଳାଉଥିବା ଲୋକମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା, ଫୁଟପାଥ ଏବଂ ରାସ୍ତା ଜବରଦଖଲ କରି ନିର୍ମାଣ ଓ ବ୍ୟବସାୟ କରିବା, ବେଆଇନ ନିର୍ମାଣ ଉଚ୍ଛେଦ, ଟ୍ରକ୍ ଟର୍ମିନାଲ ନିର୍ମାଣ,ଠେଲା ଓ ଉଠା ଦୋକାନୀମାନଙ୍କ ପାଇଁ ସ୍ବତନ୍ତ୍ର ସ୍ଥାନ ଯୋଗାଇ ଦେବା, ମୁଖ୍ୟ ରାସ୍ତା ଉପରେ ବଡ଼ ବଡ଼ ଟ୍ରକ୍ ଛିଡ଼ା କରାଇ ଲୋଡ୍ ଅନଲୋଡ କରିବା ପାଇଁ ସମୟ ନିର୍ଦ୍ଧାରଣ କରିବା, ବିଭିନ୍ନ ରାସ୍ତାର‌ ମରାମତି ଓ ରକ୍ଷଣାବେକ୍ଷଣ, ରାସ୍ତାରୁ ଗୋରୁଗାଈ, ଛେଳି ଇତ୍ୟାଦି ହଟାଇବା, ସହର ଭିତରେ ଯେ କୌଣସି ସ୍ଥାନରେ ବସ୍ ଛିଡ଼ା ନ କରାଇବା ଏବଂ ଏଥିପାଇଁ ସ୍ଵତନ୍ତ୍ର ସ୍ଥାନ ନିର୍ଧାରଣ କରିବା, ପଲିଥିନର ବ୍ୟବହାର ନିଷିଦ୍ଧ କରିବା ଇତ୍ୟାଦି। ଏଥି ସହିତ ନୂଆ ନୂଆ ପାର୍କ ନିର୍ମାଣ, ସହରର ସୈାନ୍ଦର୍ଯ୍ଯ କରଣ ସହିତ ସହରର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ସି ସି କ୍ୟାମେରା ଲଗେଇବା ଇତ୍ୟାଦି ଉପରେ ଗୁରୁତ୍ବ ଦିଆଯାଇଥିଲା। ଏହି ସମସ୍ୟା ଗୁଡ଼ିକର ସମାଧାନ ଯୁଦ୍ଧ କାଳିନ ଭିତ୍ତିରେ କରିବା ପାଇଁ ଉପ-ଜିଲ୍ଲାପାଳ ମାଲକାନଗିରି ପୈାର ପରିଷଦ, ପୋଲିସ ପ୍ରଶାସନ, ଜାତୀୟ ରାଜପଥ ବିଭାଗ, ରାସ୍ତା ଓ ଗୃହନିର୍ମାଣ ବିଭାଗ ଏବଂ ପରିବହନ ବିଭାଗର କର୍ମଚାରୀଙ୍କୁ ପରାମର୍ଶ ଦେଇଥିଲେ। ଏ ସଂପର୍କରେ ପ୍ରଥମେ ଡାକ ବାଜି ଯନ୍ତ୍ର ସାହାଯ୍ୟରେ ସ୍ଥାନୀୟ ଲୋକମାନଙ୍କୁ ସୂଚନା ଦେବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଏହି ସମସ୍ୟା ଗୁଡ଼ିକର ସମାଧାନ ପାଇଁ ସହରର ପ୍ରତ୍ୟେକ ସଚେତନ ନାଗରିକ, ବିଭିନ୍ନ ସଂଗଠନ, ଛାତ୍ରଛାତ୍ରୀ ଏବଂ ସ୍ବେଚ୍ଛାସେବୀ ଅନୁଷ୍ଠାନମାନେ ଆଗେଇ ଆସି ଜିଲ୍ଲା ପ୍ରଶାସନକୁ ସାହାଯ୍ୟ ସହଯୋଗ କରିବା ପାଇଁ ଅନୁରୋଧ କରାଯାଇଛି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.