ମାଲକାନଗିରିରେ ଜିଲ୍ଲାସ୍ତରୀୟ ପୋଷଣ ମାସ ପାଳିତ ।

0 0

ମାଲକାନଗିରି,୧୩/୧୦(ପିପିଟି):ମାଲକାନଗିରି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଜିଲ୍ଲାସ୍ତରୀୟ ନବମ ପୋଷଣ ମାସ ୨୦୨୬ ଅତ୍ୟନ୍ତ ଉତ୍ସାହ ଓ ଉଦ୍ଦୀପନାର ସହିତ ପାଳିତ ହୋଇଯାଇଛି। ଏହି ଅବସରରେ ସ୍ଥାନୀୟ ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯାଇ ସଚେତନତାର ବାର୍ତ୍ତା ପ୍ରସାର କରାଯାଇଥିଲା।

କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ସୋମନାଥ ପ୍ରଧାନ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୁଚିତା ପଣ୍ଡା, ଅତିରିକ୍ତ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ମମତା ଚୌଧୁରୀ, ସମସ୍ତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଏବଂ ଜିଲ୍ଲା ପୋଷଣ ସଂଯୋଜକ ଉପସ୍ଥିତ ରହି ପୋଷଣର ଆବଶ୍ୟକତା ଓ ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ।ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଧାନ କହିଛନ୍ତି ସ୍ଥାନୀୟ ଅଞ୍ଚଳରେ ମିଳୁଥିବା ପୁଷ୍ଟିକର ଖାଦ୍ୟ ସାମଗ୍ରୀର ସଠିକ୍ ବ୍ୟବହାର ଦ୍ୱାରା କୁପୋଷଣକୁ ଦୂର କରାଯାଇପାରିବ। ଗର୍ଭବତୀ, ପ୍ରସୂତି ମା, ଶିଶୁ ଏବଂ କିଶୋରୀମାନଙ୍କ ପୋଷଣ ସୁରକ୍ଷା ହିଁ ଏକ ସୁସ୍ଥ ଓ ସମୃଦ୍ଧ ମାଲକାନଗିରି ଗଠନର ମୂଳଦୁଆ।ଏହି ଅବସରରେ ଜିଲ୍ଲାର ସାତଟି ପ୍ରକଳ୍ପରୁ ଆସିଥିବା ସୁପରଭାଇଜରମାନେ ସ୍ଥାନୀୟ ଭାବେ ଉପଲବ୍ଧ ପୋଷଣଯୁକ୍ତ ଖାଦ୍ୟ ସାମଗ୍ରୀ ଓ ପାରମ୍ପରିକ ଖାଦ୍ୟକୁ ନେଇ ସ୍ୱାଦିଷ୍ଟ, ସୁଷମ ଓ ପୁଷ୍ଟିକର ପ୍ରସ୍ତୁତିର ରେସିପି ଡେମୋନଷ୍ଟ୍ରେସନ୍ ପ୍ରଦର୍ଶନ କରିଥିଲେ, ଯାହା ସମସ୍ତଙ୍କର ମୁଖ୍ୟ ଆକର୍ଷଣ ପାଲଟିଥିଲା।

ଅନ୍ୟପଟେ ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ପ୍ରବନ୍ଧ ଲିଖନ, କୁଇଜ୍ ଓ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏହି ପ୍ରତିଯୋଗିତାଗୁଡ଼ିକ ମାଧ୍ୟମରେ ସନ୍ତୁଳିତ ଆହାର, ସୁସ୍ଥ ଜୀବନଶୈଳୀ ଏବଂ କୁପୋଷଣ ନିରାକରଣ ସମ୍ପର୍କରେ ଶିକ୍ଷାର୍ଥୀମାନଙ୍କୁ ସଚେତନ କରାଯାଇଥିଲା। କୃତି ପ୍ରତିଯୋଗୀମାନଙ୍କୁ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ପୁରସ୍କୃତ ଓ ସମ୍ମାନିତ କରାଯାଇ ସେମାନଙ୍କ ଉତ୍ସାହ ବୃଦ୍ଧି କରାଯାଇଥିଲା।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ)

Leave A Reply

Your email address will not be published.