ମାଛ ଧରିବା ବେଳେ ଜାଲରେ ଛନ୍ଦି ହୋଇ ପାଣିରେ ବୁଡି ଦୁଇ ଜଣ ମୃତ ।

0 0

ରେଙ୍ଗାଲିକ୍ୟାମ୍ପ,୦୮/୧୧ : ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ବୁଗବୁଗା ଗ୍ରାମରେ ଏକ ହୃଦୟବିଦାରକ ଘଟଣା ଘଟିଯାଇଛି। ପୋଖରୀରେ ଜାଲ ପକାଇ ମାଛ ଧରୁଥିବା ସମୟରେ ପାଣି ଭିତରେ ଥିବା ଏକ ଗଭୀର ଗର୍ତ୍ତ ଏବଂ ଜାଲରେ ଛନ୍ଦି ହୋଇ ଦୁଇ ଜଣଙ୍କର ଅକାଳ ବିୟୋଗ ଘଟିଛି। ମୃତକ ଦ୍ୱୟ ହେଲେ ବୁଗବୁଗା ଗମ୍ଭା ଟିଜ୍ରା ଅଞ୍ଚଳର ଯୁବକ ରିଙ୍କୁ ବର୍ଗେ (୨୫) ଏବଂ ସେହି ଗ୍ରାମର ରମେଶ ମହାକୁର (୫୫)। ଏହି ଅଭାବନୀୟ ଘଟଣା ପରେ ସମଗ୍ର ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।ସୂଚନା ଅନୁସାରେ, ଆଜି ଅପରାହ୍ନ ପ୍ରାୟ ୧୨ଟା ବେଳେ ରମେଶ ମହାକୁର ଏବଂ ରିଙ୍କୁ ବର୍ଗେ ଉଭୟ ମିଶି ରମେଶ ମହାକୁର ଙ୍କ ଏକ ୪୦ ଡିସିମିଲ ପୋଖରୀକୁ ମାଛ ଧରିବା ପାଇଁ ଯାଇଥିଲେ। ପୋଖରୀରେ ଜାଲ ବିଛାଇ ଦୁହେଁ ପାଣି ଭିତରକୁ ପ୍ରବେଶ କରିଥିଲେ। ତେବେ ପାଣି ଭିତରେ ଥିବା ଏକ ଅପ୍ରତ୍ୟାଶିତ ଗର୍ତ୍ତରେ ଜାଲ ସହ ଉଭୟ ଛନ୍ଦି ହୋଇଯିବାରୁ ଆଉ ବାହାରକୁ ଆସିପାରି ନ ଥିଲେ। ପୋଖରୀ କୂଳରେ ଉପସ୍ଥିତ ଥିବା ଜଣେ ଶିଶୁ ଏହି ଦୃଶ୍ୟ ଦେଖି ତୁରନ୍ତ ଉଭୟଙ୍କ ପରିବାରକୁ ଖବର ଦେଇଥିଲା।ଖବର ପାଇ ପରିବାର ଲୋକେ ଓ ସମ୍ପର୍କୀୟମାନେ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ପ୍ରଥମେ ରିଙ୍କୁ ବର୍ଗେଙ୍କୁ ଗୁରୁତର ଅବସ୍ଥାରେ ପାଣିରୁ ଉଦ୍ଧାର କରାଯାଇ ୧୦୮ ଆମ୍ବୁଲାନ୍ସ ଯୋଗେ ଅତାବିରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଯାଇଥିଲା। ଏହାର କିଛି ସମୟ ପରେ ରମେଶ ମହାକୁରଙ୍କୁ ଜାଲରୁ ମୁକ୍ତ କରି ପାଣିରୁ ବାହାର କରାଯାଇ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା।ତେବେ ଡାକ୍ତରଖାନାରେ ଡାକ୍ତର ଉଭୟଙ୍କୁ ପ୍ରାଥମିକ ପରୀକ୍ଷା ନିରୀକ୍ଷା କରିବା ପରେ ମୃତ ଘୋଷଣା କରିଥିଲେ। ଖବର ପାଇ ଅତାବିରା ପୋଲିସ ଡାକ୍ତରଖାନାରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। ପରେ ଶବ ବ୍ୟବଚ୍ଛେଦ ନିମନ୍ତେ ଉଭୟ ମୃତଦେହକୁ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିବା ଜଣାପଡ଼ିଛି। ଗୋଟିଏ ଗ୍ରାମର ଦୁଇ ଜଣଙ୍କର ଏଭଳି ଦୁର୍ଭାଗ୍ୟଜନକ ମୃତ୍ୟୁ ଗ୍ରାମବାସୀଙ୍କୁ ସ୍ତବ୍ଧ କରିଦେଇଛି।

Leave A Reply

Your email address will not be published.