ଭଞ୍ଜନଗର, ୦୮/୧୧(ପିପିଟି):ଗତ ୫ତାରିଖରେ ତାର ସିଂ ଥାନା ବଦାଙ୍ଗି ଗ୍ରାମ ଗୌଡ଼ ସାହିର ଜଳନ୍ଧର ଗୌଡ଼ (୫୫)ପୂର୍ବ ରାତିରେ କିଛି ଅଜ୍ଞାତ ବ୍ୟକ୍ତି ତାଙ୍କ ପିତା ତ୍ରିନାଥ ଗୌଡ଼ (୮୦)ଙ୍କୁ ହତ୍ୟା କରିଛନ୍ତି ବୋଲି ଅଭିଯୋଗ କରିଥିଲେ।ତାଙ୍କ ପିତା ଘରେ ଏକାକୀ ରହୁଥିଲେ। ଏ ନେଇ ତାରାସିଂ ଥାନାରେ କେସ୍ ନଂ ୪୪୨/୨୦୨୬ ବିଏନଏସ ଧାରା ୧୦୩(୧)/୩୩୨(ଏ) ଅନୁଯାୟୀ ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଥିଲା। ଗଞ୍ଜାମର ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳ ଯାଞ୍ଚ କରିଥିଲେ।ତଦନ୍ତ ସମୟରେ ମୃତ ବ୍ୟକ୍ତି ଜଣକ ପାରମ୍ପରିକ ଝାଡ଼ଫୁଙ୍କ କରୁଥିଲେ ଏବଂ ଗ୍ରାମର କିଛି ଲୋକ ତାଙ୍କୁ ଗୁଣି ଗାରେଡ଼ି କରୁଥିବା ସନ୍ଦେହ କରୁଥିଲେ। ଅଭିଯୁକ୍ତମାନଙ୍କ ମଧ୍ୟରୁ ଜଣଙ୍କର ଜ୍ୱର ଭଲ ହେଉ ନଥିଲା ଏବଂ ପରିବାରର ଅନ୍ୟ ସଦସ୍ୟମାନେ ମଧ୍ୟ ଅସୁସ୍ଥ ହୋଇ ପଡ଼ିଥିଲେ।ତେଣୁ ମୃତ ତ୍ରିନାଥ ତାଙ୍କ ପରିବାର ଉପରେ ଗୁଣି କରିଥିବା ସନ୍ଦେହ କରି ଘଟଣା ରାତିରେ, ଉକ୍ତ ଦୁଇ ଭାଇ ଘର ଭିତରକୁ ପଶି ବୃଦ୍ଧଙ୍କୁ ଟାଣି ଆଣି ବାରଣ୍ଡାରେ ପକାଇଥିଲେ। ସେଠାରେ ତାଙ୍କର ନିଜ ବାଡ଼ିରେ ପିଟିବା ସହ ମୁଣ୍ଡ ଓ ମୁହଁରେ ସିମେଣ୍ଟ ଖଣ୍ଡ ଆଘାତ କରିଥିଲେ, ଯାହା ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା।ଏହାପରେ ଉଭୟ ଗ୍ରାମରୁ ଫେରାର ହୋଇ ଯାଇଥିଲେ।ଆଭିଯୁକ୍ତ ମାନେ ହେଲେ ଅଭିମନ୍ୟୁ ଗୌଡ଼ (୩୭) ଓ ସୁଶାନ୍ତ ଗୌଡ଼ ଓରଫ କାଳିଆ (୩୫)।
ଉଭୟଙ୍କୁ ଗିରଫ କରି ଆଜି ଭଞ୍ଜନଗର କୋର୍ଟରେ ହାଜର କରାଯାଇଛି ବୋଲି ତାର ସିଂ ଆଇଆଇସି ଶୁଭଲକ୍ଷ୍ମୀ ପୂଜାରୀ କହିଛନ୍ତି।
ରିପୋର୍ଟ -ଜେ କେ ପଟ୍ଟନାୟକ