ବୋଲଗଡ଼, ୦୮/୧୧ (ପିପିଟି): “ବଡ଼ ବଡୁଆ ହୋ, ଅନ୍ଧାରରେ ଆସ, ଆଲୁଅରେ ଯାଅ” ଏହି ଗୋଟିଏ ଡାକରେ ଲୁଚି ରହିଛି ଆମ ସଂସ୍କୃତି, ଆମ ପିତୃପୁରୁଷଙ୍କ ପ୍ରତି ଶ୍ରଦ୍ଧା ଓ ଅନ୍ଧାରରୁ ଆଲୁଅକୁ ଯିବାର ଆହ୍ୱାନ। ଏହି ପବିତ୍ର ଡାକରେ ଆଜି ପ୍ରକମ୍ପିତ ହୋଇଛି ପୁରା ବୋଲଗଡ଼ ବ୍ଲକ। “ଦୀପଂ ଜ୍ୟୋତି ପରଂବ୍ରହ୍ମ ଦୀପଂ ଜ୍ୟୋତି ଜନାର୍ଦ୍ଦନ, ଦୀପଂ ହରତୁ ମେ ପାପଂ ସନ୍ଧ୍ୟା ଦୀପ ନମୋସ୍ତୁତେ” ଏହି ମନ୍ତ୍ର ଉଚ୍ଚାରଣ ସହ ଅନ୍ଧକାର ଉପରେ ଆଲୋକର ବିଜୟ, ଅସତ୍ୟ ଉପରେ ସତ୍ୟର ବିଜୟର ପର୍ବ ଦୀପାବଳୀ ଆଜି ମହା ଆଡମ୍ବରରେ ପାଳିତ ହୋଇଛି।
ପୁରପଲ୍ଲୀ ଠାରୁ ସହରାଞ୍ଚଳ ପର୍ଯ୍ୟନ୍ତ ସବୁଠି ଦୀପ, ମହମବତୀ ଓ ରଙ୍ଗବେରଙ୍ଗ ଆଲୋକମାଳାରେ ଝଲସି ଉଠିଛି ବୋଲଗଡ଼। ପ୍ରତ୍ୟେକ ଘର ଆଗରେ ରଙ୍ଗୋଲି ଓ ଝୋଟି ଚିତାରେ ଲକ୍ଷ୍ମୀଙ୍କୁ ସ୍ୱାଗତ କରାଯାଇଛି। ଏହି ପର୍ବ ପଛରେ ରହିଛି ବଡ଼ ପୌରାଣିକ କଥା। ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମ ରାବଣ ବଧ ପରେ ୧୪ ବର୍ଷ ବନବାସ ଶେଷ କରି ଯେଉଁ ଦିନ ଅଯୋଧ୍ୟା ଫେରିଥିଲେ, ଅଯୋଧ୍ୟାବାସୀ ଦୀପ ଜାଳି ତାଙ୍କୁ ସ୍ୱାଗତ କରିଥିଲେ। ସେହି ଦିନଠାରୁ ଏହି ପରମ୍ପରା। ଆଜି ଧନର ଦେବୀ ମା’ ଲକ୍ଷ୍ମୀ ଓ ଚେତନାର ଦେବୀ ମା’ କାଳୀଙ୍କ ପୂଜା ମଧ୍ୟ କରାଯାଉଛି।
ଓଡ଼ିଆ ପରମ୍ପରା ଅନୁସାରେ ଆଜି ସନ୍ଧ୍ୟାରେ ପ୍ରତ୍ୟେକ ଘର ଆଗରେ କାଉଁରିଆ କାଠି ଜାଳି ପିତୃପୁରୁଷଙ୍କୁ ବାଟ ଦେଖାଯାଏ। ପିଲାଙ୍କ ସହ ବୁଢା ସମସ୍ତେ ଏକାଠି ହୋଇ ହାତ ଯୋଡି ଡାକନ୍ତି “ବଡ଼ ବଡୁଆ ହୋ, ଅନ୍ଧାରରେ ଆସ, ଆଲୁଅରେ ଯାଅ, ଗଙ୍ଗାରେ ବୁଡ ଦେଇ ବଇକୁଣ୍ଠକୁ ଯାଅ।” ଏହା କେବଳ ଡାକ ନୁହେଁ, ଏହା ଆମ ପିତୃପୁରୁଷଙ୍କୁ ଅନ୍ଧାରରୁ ଆଲୁଅକୁ ନେବାର ପ୍ରାର୍ଥନା। ଏହି ଦୃଶ୍ୟ ଆଜି ବୋଲଗଡ଼ର ପ୍ରତ୍ୟେକ ଗାଁ ଦାଣ୍ଡରେ ଦେଖିବାକୁ ମିଳିଛି। ଦୀପାବଳୀ ଅବସରରେ ବୋଲଗଡ଼ ନିକଟସ୍ଥ ତ୍ରିନାଥ ବଜାର କୁମ୍ଭାରୀଛକ, ଗଣେଶ ବଜାରର ଗଡଭିତର ଓ ହଳଦୀପଦା ବାରଦାଣ୍ଡି ସାହି ପୂଜା ମଣ୍ଡପରେ ଆଜି ରାତ୍ର ୧:୩୦ ମିନିଟରେ ମା’ ଶ୍ୟାମାକାଳୀଙ୍କ ମହାପୂଜା ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି । ପ୍ରଶାସନ ପକ୍ଷରୁ ଶାନ୍ତି ଶୃଙ୍ଖଳା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି।
ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।